ବୀମା କମ୍ପାନୀମାନଙ୍କଠାରୁ ଗତ ନିର୍ବାଚନ ସମୟରେ ବିଜେଡି ଶହେ କୋଟି ଟଙ୍କା ଚାନ୍ଦା ନେଇ ଚାଷୀଙ୍କୁ ପ୍ରତାରଣା କରିଛି: ବିଜେପି

ଭୁବନେଶ୍ୱର, ତା.୨୬/୦୮: ଚାଷୀର ବଳ କହୁୁଥିବା ବିଜୁ ଜନତା ଦଳ ଏବେ ଚାଷୀଙ୍କ ସମସ୍ୟା ଓ ସଂକଟ ବେଳେ ହାତବାନ୍ଧି ବସି ରହିବା ଦୁର୍ଭାଗ୍ୟଜନକ ବୋଲି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ୨୦୨୦-୨୧ ଖରିଫ ଋତୁରେ ଓଡିଶାର ଚାଷୀଙ୍କ ପ୍ରଧାନମନ୍ତ୍ରୀ ଫସଲବୀମା କରିବା ପାଇଁ (ଇଓଉ ଙଲ ଓଦ୍ଭୟସବ ଖଞଊ, ଐଊୠଉ ଋଜଏଙ ଖଞଊ) ଓ ଜରକ୍ଷସବଦ୍ଭମର ଏଓଉ ଖଞଊ ସହ ଚୁକ୍ତିପତ୍ର ସ୍ୱାକ୍ଷର କରିଥିଲେ ରାଜ୍ୟ ସରକାର । ୨୦୨୦-୨୧ଖରିଫ ବର୍ଷରେ ଅନାବୃଷ୍ଟି କାରଣରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଭୟଙ୍କର ମରୁଡି ସ୍ଥିତି ଉତ୍ପନ୍ନ ହୋଇଥିଲା । ମରୁଡି ଆକଳନ କରିବା ପାଇଁ ବହୁଦିନରୁ ମିଳିତଭାବେ କୃଷି, ରାଜସ୍ୱ, ପରିସଂଖ୍ୟାନ ବିଭାଗ ସହ ବୀମା କମ୍ପାନୀର ପ୍ରତିନିଧିମାନଙ୍କ ଉପସ୍ଥିତିରେ କ୍ରପ କଟିଙ୍ଗ୍ ରିପୋର୍ଟ ସଂଗ୍ରହ ହୋଇସାରିଛି । କ୍ରପ କଟିଙ୍ଗ ଆଧାରରେ ପ୍ରିମିୟମ୍ ଜମା କରିଥିବା ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲବୀମା ଟଙ୍କା କମ୍ପାନୀମାନେ ଯୋଗାଇ ଦେବା କଥା । ବୀମା କମ୍ପାନୀମାନେ ଓଡ଼ିଶାର ଚାଷୀମାନଙ୍କୁ ବୀମା କ୍ଷତିପୂରଣ ଦେଉନଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେକୃଷକ ସଙ୍ଗଠନମାନଙ୍କ ଦ୍ୱାରା ରାସ୍ତା, ରେଳ ବନ୍ଦ, ସରକାରୀ କାର୍ଯ୍ୟାଳୟମାନଙ୍କରେ ତାଲା ବନ୍ଦ ଆନ୍ଦୋଳନ ଚାଲୁଥିବାବେଳେ ବୀମା କମ୍ପାନୀମାନେ ଓଡ଼ିଶା ଚାଷୀଙ୍କ ସହ ଲୁଚକାଳୀ ଖେଳୁଛନ୍ତି । ସେପଟେ ଓଡ଼ିଶାର ବିଜୁ ଜନତା ଦଳ ଗତ ପଂଚାୟତ ଓ ପୌର ନିର୍ବାଚନ ସମୟରେ ଏହି ବୀମା କମ୍ପାନୀମାନଙ୍କଠାରୁ ୧୦୦କୋଟି ଟଙ୍କା ନିର୍ବାଚନୀ ପାଣ୍ଠି ସଂଗ୍ରହ କରି କମ୍ପାନୀମାନଙ୍କୁ ସୁରକ୍ଷା ଦେବାର କାମ କରୁଛି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ।
କ୍ରପ କଟିଙ୍ଗ୍ ରିପୋର୍ଟ ଓଡ଼ିଶା ସରକାରଙ୍କ ପାଖରେ ଥିବାବେଳେ ଏହା କାହା ସ୍ୱାର୍ଥ ପାଇଁ ସାର୍ବଜନୀନ କରାଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଚଳିତବର୍ଷର ଭୟଙ୍କର ବନ୍ୟାରେ ଚାଷୀଙ୍କ ଧାନ, ଅନ୍ୟାନ୍ୟ ଫସଲ, ପନିପରିବା ବ୍ୟାପକଭାବେ ନଷ୍ଟ ହୋଇଥିବାବେଳେ ରାଜ୍ୟ ସରକାର ଏଯାଏଁ କ୍ଷୟକ୍ଷତିର ଆକଳନ କରିନାହାନ୍ତି । ଏବେବି ରାଜ୍ୟ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ମାନବ ସମ୍ବଳ ଯଥା ରାଜସ୍ୱ ନିରୀକ୍ଷକ, ବ୍ଲକ କୃଷି ଅଧିକାରୀ ଓ ଗ୍ରାମସେବକ ଅଭାବ କାରଣରୁ ଚାଷ କ୍ଷୟକ୍ଷତି ଆକଳନ ନିର୍ଦ୍ଦିଷ୍ଟ ସମୟ ଭିତରେ କରାଯାଇପାରୁନାହିଁ । ପ୍ରାକୃତିକ ଦୁର୍ବିପାକ ପାଣ୍ଠିରେ ଓଡ଼ିଶା ସରକାରଙ୍କ ପାଖରେ ପାଖାପାଖି ୧୦୦୦କୋଟି ଟଙ୍କା ଜମା ଥିବାବେଳେ ଚାଷୀଙ୍କୁ ଏହି ଦୁର୍ବିପାକ ସମୟରେ କାହିଁକି ସହାୟତା ଯୋଗାଇ ଦେଉନାହାନ୍ତି ଏବଂ ଏହି ପାଣ୍ଠିରେ ଗଚ୍ଛିତ ଥିବା ଅର୍ଥ ଅନ୍ୟଆଡେ ଖର୍ଚ୍ଚ କରିବାରେ ସରକାର ଅଭ୍ୟସ୍ତ । ତୁରନ୍ତ ଚାଷୀଙ୍କୁ ଉକ୍ତ ପାଣ୍ଠିରୁୁ ସହାୟତା ପ୍ରଦାନ କରନ୍ତୁ ଏବଂ ଚାଷୀର ଖରିଫ ଫସଲ ବନ୍ୟାରେ ଉଜୁଡି ଯାଇଥିବାରୁ ତା’ପାଖରେ ରବି ଫସଲ ହିଁ ଏକମାତ୍ର ବିକଳ୍ପ । ତେଣୁ ତୁରନ୍ତ ଚାଷୀଙ୍କୁ ରବି ଫସଲ ପାଇଁ ବିହନ, ସାର ଓ କୀଟ ନାଶକ ମାଗଣାରେ ଯୋଗାଇ ଦେବା ପାଇଁ ଶ୍ରୀ ପୁରୋହିତ ଦାବି କରିଛନ୍ତି । ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ମଣ୍ଡଳୀ ଆଜି ରାଜ୍ୟ କୃଷି ବିଭାଗ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀଙ୍କୁ ଭେଟି ଆଲୋଚନା କରିବା ପରେ ଏଥିପ୍ରତି ଯତ୍ନବାନ ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜ ଉପସ୍ଥିତ ଥିଲେ ।

Spread the love