ପୁଣି ଏକ ମିଥ୍ୟା ପ୍ରତିଶୃତିର ବାର୍ତା ମୁଖ୍ୟମନ୍ତ୍ରୀଙ୍କଠାରୁ ଶୁଣିବାକୁ ପାଇବେ ପଶ୍ଚିମ ଓଡିଶାବାସୀ: ପ୍ରଦୀପ ପୁରୋହିତ

ଭୁବନେଶ୍ୱର, ତା.୦୪/୦୩: ଗତ ୨୦୧୬ ମସିହାରେ ବରଗଡ ଜିଲ୍ଲା ସୋହେଲାଠାରେ ଚାଷୀ ସମାବେଶକୁ ବଡ ବଡ ପ୍ରତିସୃତି ଦେଇ ଆଜି ପର୍ଯ୍ୟନ୍ତ ପୂରଣ କରିବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁ ଆସନ୍ତା କାଲି ପୁଣି ପଶ୍ଚିମ ଓଡିଶା ଗସ୍ତ କରୁଛନ୍ତି । ଏହି ଗସ୍ତ ଅବସରରେ ବରଗଡ, ନୁଆପଡା ଓ କଳାହାଣ୍ଡିବାସୀ ପୁଣି ଏକ ମିଥ୍ୟା ପ୍ରତିଶୃତିର ବାର୍ତା ମୁଖ୍ୟମନ୍ତ୍ରୀଙ୍କଠାରୁ ଶୁଣିବାକୁ ପାଇବେ । ଦୀର୍ଘ ୭ ବର୍ଷର ଅପେକ୍ଷା କରି ନିରାଶ ହୋଇଥିବା ପଶ୍ଚିମ ଓଡିଶାର ଚାଷୀକୁଳ କେବେହେଲେ କ୍ଷମା କରିବେ ନାହିଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରାଯିବ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ବେଶୀ ଓ କାମ ଶୁନ୍ । ୨୦୧୬ ମସିହା ସୋହେଲା ସମାବେଶରେ ଧାନ କ୍ୱିଂଟାଲ ପ୍ରତି ଶହେ ଟଙ୍କା ଚାଷୀଙ୍କୁ ବୋନସ୍ ଦେବା କଥା ଓ ଆସନ୍ତା ୭ବର୍ଷ ଭିତରେ ପଶ୍ଚିମ ଓଡିଶାର ବିକାଶ ପାଇଁ ପର୍ଯ୍ୟାୟ କ୍ରମେ ୩୫ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଓଡିଶାର ଚାଷୀଙ୍କୁ ଓ ପଶ୍ଚିମ ଓଡିଶାବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଇଥିଲେ । ବରଗଡ ଗସ୍ତ କରି ଆଉ ଅଧିକ ମିଥ୍ୟା ପ୍ରତିଶୃତି ଦେବା ପୂର୍ବରୁ ପ୍ରଥମେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କେତେ ବୋନସ ଦେଲେ ଓ ୩୫ହଜାର କୋଟି ଟଙ୍କା ପଶ୍ଚିମ ଓଡିଶାର କେଉଁଠି ଖର୍ଚ୍ଚ କଲେ ତାର ହିସାବ ଦିଅନ୍ତୁ ବୋଲି ଶ୍ରୀ ପୁରୋହିତ ଦାବୀ କରିଛନ୍ତି ।
ବିଜୁ ଏକ୍ସପ୍ରେସ ୱେ ରାସ୍ତାର ଯେତେ ପୋଲ ନିର୍ମାଣ ହୋଇଛି ସବୁ ଟଙ୍କା କେନ୍ଦ୍ର ସରକାର ଠୁଁ ଆସିଛି ଓ ଜାତୀୟ ରାଜପଥରେ ସମ୍ପୂର୍ଣ୍ଣ ଟଙ୍କା କେନ୍ଦ୍ର ସରକାର ଖର୍ଚ୍ଚ କରିଛନ୍ତି । ତେଣୁ ବିଜୁ ଏକ୍ସପ୍ରେସ ୱେ ଉଦ୍‌ଘାଟନ ସମୟରେ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସାମିଲ ନକରି ମୁଖ୍ୟମନ୍ତ୍ରୀ ନିଜେ କେବଳ ଏହାର ଫାଇଦା ନେବା ପାଇଁ ଦ୍ୱିତୀୟ ଥର ପାଇଁ ବିଜୁ ଏକ୍ସପ୍ରେସ ୱେ ଉଦ୍‌ଘାଟନ କରୁଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
୨୦୨୨ ସୁଦ୍ଧା ହୀରାକୁଦ ଡ୍ୟାମ୍‌ରୁ ପାଣି ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଜରିଆରେ ବିଜେପୁର ନିର୍ବାଚନ ମଣ୍ଡଳୀର ଚାଷୀଙ୍କ କ୍ଷେତରେ ପହଁଚିବାର ଯେଉଁ ପ୍ରତିଶୃତି ମୁଖ୍ୟମନ୍ତ୍ରୀ ବିଜେପୁର ବାସୀଙ୍କୁ ଦେଇଥିଲେ, ତାହା କେବେ ପୂରଣ ହେବ ଏହାର ଉତର ମଧ୍ୟ ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
“ନବ ଦାସ” ହତ୍ୟାକାଣ୍ଡ ଓ ଓଡିଶାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିରୁ ବର୍ତିବା ପାଇଁ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତାମାନଙ୍କ ନାମରେ ଆକ୍ରୋଶମୁଳକ ଭାବେ ମିଥ୍ୟା ଓ ସଙ୍ଗୀନ ଦଫା ଲଗାଇ ଝାରପଡା ଜେଲରେ ବନ୍ଦି କରି ରଖାଯାଇଛି । ଏହାକୁ ନେଇ ରାଜ୍ୟବ୍ୟାପୀ ବିରୋଧର ସ୍ୱର ବ୍ୟାପିବାରେ ଲାଗିଛି । ଏଥିରୁ ବର୍ତିବା ପାଇଁ ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲା ଗସ୍ତ କରୁଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

Spread the love