ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ: କହିଲେ ‘ଜିତିବାକୁ ପଦ୍ମପୁରରେ କଂଗ୍ରେସ ସହ ଡିଲ୍ କରିଥିଲା ବିଜେଡି’

 ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ । ପଦ୍ମପୁରରେ ବିଜେପିର ପରାଜୟ ନେଇ କରିଛନ୍ତି ପୋଷ୍ଟମର୍ଟମ୍ । ବିଜେପି କ୍ଷେତ୍ରୀୟ ପ୍ରଭାରୀଙ୍କ ସମୀକ୍ଷା ପୂର୍ବରୁ ରଖିଛନ୍ତି ପ୍ରତିକ୍ରିୟା । କହିଛନ୍ତି ‘ପଦ୍ମପୁରରେ ନିଜର ବିଜୟ ପରେ ବିଜେଡି କହୁଛି ୨୦୨୪ରେ ପୁରା ରାଜ୍ୟରେ ପଦ୍ମପୁର ଫର୍ମୁଲାକୁ ଲାଗୁ କରିବ । ହେଲେ ସେ ଫର୍ମୁଲା କ’ଣ ବିଜେଡି କାହାକୁ କହୁନି । ପ୍ରକୃତରେ କଂଗ୍ରେସ ସହ ବିଜେଡିର ବଡ ଡିଲ୍ ହୋଇଥିଲା । ଏହି ଡିଲ କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ’ । ପ୍ରଦୀପ ପୁରୋହିତ ଆହୁରି ମଧ୍ୟ କହିଛନ୍ତି ଯେ, ‘କଂଗ୍ରେସର ପ୍ରାର୍ଥୀ ଚୟନ ପୂର୍ବରୁ କଂଗ୍ରେସ ସହ ୩ଘଣ୍ଟା ଧରି ଆଲୋଚନା କରିଥିଲେ ବିଜେଡି ମନ୍ତ୍ରୀ । କଂଗ୍ରେସକୁ ଢାଲ କରି ତା’ର ଭୋଟକୁ ବିଜେଡି ପଟ କରିବାକୁ ପୁରା ମ୍ୟାପ୍ ପ୍ରସ୍ତୁତ ହୋଇଥିଲା । ଏଥିପାଇଁ ବିଜେଡି ୧୦୦ କୋଟି ଟଙ୍କାର ବଜେଟ୍ ତିଆରି କରିଥିଲା । କେବଳ ଏତିକି ନୁହେଁ ବିଜେପିର ସମର୍ଥକଙ୍କୁ ପୋଲିସ ମାଧ୍ୟମରେ ଧମକଚମକ ଦେବା ସହ କିଛି ଗୁଣ୍ଡା ଶ୍ରେଣୀର ଲୋକଙ୍କ ସହାୟତାରେ ବୁଥ୍ କ୍ୟାପଚର କରିଥିଲେ । ଆଉ ନିଜର ପୁରା ପ୍ଲାନରେ ସଫଳ ହେଲା ବିଜେଡି , ପଦ୍ମପୁରରେ ବିଜୟୀ ବି ହେଲା । ଏହା ହେଉଛି ବିଜେଡିର ପଦ୍ମପୁର ଫର୍ମୁଲା, ଯାହା ୨୦୨୪ ନିର୍ବାଚନରେ ଦଳ ପ୍ରୟୋଗ କରିବାକୁ ଚାହୁଁଛି । ଏ ବାବଦରେ ପଦ୍ମପୁର ଲୋକ ଜାଣନ୍ତି । ଆଗକୁ ସମସ୍ତେ ଜାଣିବେ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ୍ ।

Spread the love