ବିରୋଧୀ ଶିବିରରେ ଭୂକମ୍ପ, ଭୁଶୁଡୁଛି ଦୁର୍ଗ

ଭୁବନେଶ୍ବର: ଭୋଟ ପୂର୍ବରୁ ଦଳଡିଆଁ। କଳାହାଣ୍ଡିରୁ କେନ୍ଦ୍ରାପଡ଼ା, ମାଲକାନଗିରିରୁ ମୟୂରଭଞ୍ଜ। ରାତି ପାଇଲେ ବିରୋଧୀ ବିଜେପି ହେଉ ଅବା କଂଗ୍ରେସରୁ କିଏ ନା କିଏ ନେତା ଶଙ୍ଖ ଫୁଙ୍କୁଛନ୍ତି ଓ ବିଜେଡିରେ ଯୋଗ ଦେଉଛନ୍ତି। ଗତ ମାସକ ମଧ୍ୟରେ ବିଜେପି ଓ କଂଗ୍ରେସର ବହୁ ହେଭିୱେଟ୍ ବିଜେଡି କ୍ୟାମ୍ପରେ ସାମିଲ ହୋଇଛନ୍ତି। ଗୋଟିଏ ପଟେ ବିଜୁ ଜନତା ଦଳ ବଳୁଆ ହେଉଥିବା ବେଳେ ବିରୋଧୀଙ୍କ ଦୁର୍ଗ ଭୁଶୁଡ଼ିବାରେ ଲାଗିଛି। ୨୦୨୪ରେ ଲୋକସଭା ଓ ବିଧାନସଭା ନିର୍ବାଚନ । ହେଲେ ତା’ ପୂର୍ବରୁ ପଞ୍ଚାୟତ ନିର୍ବାଚନକୁ ସେମିଫାଇନାଲ ଭାବେ ବିବେଚନା କରୁଛି ବିଜେଡି । କୌଣସି ପରିସ୍ଥିତିରେ ଚାମ୍ପିୟନ୍ ହେବାକୁ ସେମିଫାଇନାଲକୁ ହାତଛଡ଼ା କରିବାକୁ ଚାହୁଁନି ଦଳ।

ହେଭିୱେଟ୍ ପ୍ରଦୀପ ମାଝୀଙ୍କଠାରୁ ଆରମ୍ଭ କରି ବିଶ୍ୱ ମଲ୍ଲିକ, ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ, କୈଳାସ କୁଲେସିକା ଓ ଏବେ ଗୌତମବୁଦ୍ଧ ଦାସ, କଂଗ୍ରେସର ବେଗୁନିଆ ନେତା ପ୍ରଦୀପ ସାହୁ ମଧ୍ୟ ଶଙ୍ଖ ଫୁଙ୍କିଛନ୍ତି। ପ୍ରତିଦିନ ରାତି ପାଇଲେ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ହେଉଛି ମିଶ୍ରଣ ପର୍ବ। ସବୁଜ ଗାମୁଛା, ଦଳୀୟ ଉତ୍ତରୀୟରୁ ଫୁଲତୋଡ଼ା, ନେତା ଓ କର୍ମୀଙ୍କ ନବୀନ ପଟ୍ଟନାୟକ ଜିନ୍ଦାବାଦରେ ଫାଟି ପଡୁଛି ପାର୍ଟି ଅଫିସ୍। ଆଗକୁ ଆହୁରି ଅନ୍ୟ ଦଳର ନେତା ମଧ୍ୟ ବିଜେଡିରେ ମିଶିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା।

ପଞ୍ଚାୟତ ଭୋଟକୁ ନେଇ ଶାସକ ବିଜେଡି କ୍ୟାମ୍ପ ଏବେ ଦିନରାତି ଏକ କରି ଦେଇଛି। ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଓ ଲୋକପ୍ରିୟତାକୁ ପୁଞ୍ଜି କରି ଦଳ ପଞ୍ଚାୟତ ଭୋଟ ବୈତରଣୀ ପାର୍ କରିବାକୁ ନିଶ୍ଚିତ ଅଛି। ପଞ୍ଚାୟତ ଭୋଟରେ ବିରୋଧୀଙ୍କୁ ବହୁ ପଛରେ ପକାଇବାକୁ ବିଜେଡି ସୁଚିନ୍ତିତ ଗେମପ୍ଲାନ୍ ପ୍ରସ୍ତୁତ କରିଛି। ଅନ୍ୟ ଦଳର ଲୋକପ୍ରିୟ ନେତାଙ୍କୁ ନିଜ ଦଳରେ ସାମିଲ କରି ବିରୋଧୀଙ୍କୁ ଝଟକା ଦେବା ସହ ମନୋବଳ ମଧ୍ୟ ଦୁର୍ବଳ କରୁଛି।

ଗାଁ ରାଜନୀତି ଉଷ୍ଣ ହେଉଥିବା ବେଳେ ବିଜେଡିରେ ମିଶିବାକୁ ନେତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ତୀବ୍ର ହୋଇଛି। ନବୀନଙ୍କ ଆଶୀର୍ବାଦ ନେଇ ଭୋଟ ମଇଦାନକୁ ଲମ୍ଫ ମାରିବାକୁ ତୃଣମୂଳସ୍ତରର ନେତାମାନେ ନିରାପଦ ମଣୁଛନ୍ତି। ବିଜେଡି ଓ ନବନୀଙ୍କ ଏ ଲୋକପ୍ରୟିତା ଶାସକ ଶିବିର ପାଇଁ ସବୁଠାରୁ ବଡ଼ ଅସ୍ତ୍ର ହୋଇଛି। ବିଜେଡିର ଏଭଳି ରଣକୌଶଳରେ ବିରୋଧୀ ଏକରକମ ହତାଶ ହୋଇ ପଡ଼ିଛନ୍ତି। ବିଜେପି କେତେକାଂଶରେ ମୃଦୁ ପ୍ରତିଶୋଧ ନେଉଥିଲା ବେଳେ କଂଗ୍ରେସ କ୍ୟାମ୍ପ କିନ୍ତୁ ବେଶୀ କ୍ଷତି ସହୁଛି।

ଆସନ୍ତା ଫେବୃଆରୀ ଦ୍ୱିତୀୟ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ନିର୍ବାଚନ କମିଶନ ପ୍ରସ୍ତୁତି ବଢ଼ାଇ ଦେଇଛନ୍ତି । ଏପଟେ ନିର୍ବାଚନୀ ବିଗୁଲ ବାଜିବା ପରେ ମିଶ୍ରଣ ପର୍ବ ଜରିଆରେ ବିଜୁ ଜନତା ଦଳ ମଧ୍ୟ ଅଧିକ ଶକ୍ତିଶାଳୀ ହେଉଛି।

Spread the love