ସଙ୍କଟ ସମୟରେ ବେକାରୀ ଯୁବକଙ୍କୁ ରୋଜଗାର ଦେବାର ପନ୍ଥା ଆପଣାନ୍ତୁ ରାଜ୍ୟ ସରକାର: ପ୍ରଦୀପ୍ତ ନାଏକ

 ଦୀର୍ଘ ୨୦ ବର୍ଷ ଭିତରେ କେବଳ ଖର୍ଚ୍ଚ କାଟ କରି ସରକାର ଚଲାଇଛନ୍ତି ମୁଖ୍ୟମନ୍ତ୍ରୀ
 ସରକାରୀ ନିଯୁକ୍ତିକୁ ୨ ବର୍ଷ ଲାଗି ବନ୍ଦ କରିବା ନିଷ୍ପତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ
 ରାଜ୍ୟରେ ମଦ ବ୍ୟତୀତ ରାଜସ୍ୱ ଆଦାୟ କରିବା ପାଇଁ ଅନେକ ବିକଳ୍ପ ବ୍ୟବସ୍ଥା ରହିଛି
 ଏମଏଲଏ ଲାଡ୍ ଫଣ୍ଡକୁ ୨ ବର୍ଷ ପାଇଁ ବନ୍ଦ କରି କରୋନା ଚିକିତ୍ସା କ୍ଷେତ୍ରରେ ଲଗାଯାଉ
 ବିଧାୟକ ଏବଂ ମନ୍ତ୍ରୀଙ୍କର ଦରମା ଅନ୍ୟୁନ ୧ ବର୍ଷ ପାଇଁ ୩୦ ପ୍ରତିଶତ କମ କରିବା ପାଇଁ ଅନୁରୋଧ
ବିକାଶ ପରିଷଦ ଓ ରାଜ୍ୟସରକାରଙ୍କ ଉଦ୍ୟୋଗ ଗୁଡିକରେ ସଭାପତି/ଅଧ୍ୟକ୍ଷ ଥିବା ରାଜନୈତିକ ବ୍ୟକ୍ତି ବିଶେଷ
୩୦ପ୍ରତିଶତ କମ ଦରମା ନିଅନ୍ତୁ
କେନ୍ଦ୍ରରେ ନରେନ୍ଦ୍ର ମୋଦି ଯେଉଁ ବ୍ୟବସ୍ଥା ଲାଗୁ କରିଛନ୍ତି ଓଡିଶାରେ ମଧ୍ୟ ଅନୁରୂପ ଭାବେ ଏହାକୁ ଲାଗୁ କରାଯାଉ
ମନ୍ତ୍ରୀ ଓ ବିଧାୟକଙ୍କ ଦରମା କାଟ୍ ରୁ ଯେଉଁ ଅର୍ଥ ଆସିବ ସେଥିରେ ଏକ ବିଶେଷ ପାଣ୍ଠି ଗଠନ କରି ଏହାକୁ
କରୋନା ମୁକାବିଲା ପାଇଁ ଲଗାଯାଉ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଦୀର୍ଘ ୨୦ ବର୍ଷ ଭିତରେ କେବଳ ଖର୍ଚ୍ଚ କାଟ କରି ସରକାର ଚଲାଇଛନ୍ତି ।  ଅନେକ ବିଭାଗରେ ସରକାରୀ ପଦବୀ ଦୀର୍ଘ ବର୍ଷ ଧରି ଖାଲି ପଡିବା ପରେ ବି ପୂରଣ ହେଉନି । ବିଶେଷ କରି ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବିଭାଗରେ ଅନେକ ପଦବୀ ଖାଲି ରହିଛି । ରାଜ୍ୟର ଅନେକ ସ୍କୁଲରେ ଶିକ୍ଷକ ନାହାଁନ୍ତି । ମେଡିକାଲରେ ଡାକ୍ତର ଏବଂ  ଆଧୁନିକ ଯନ୍ତ୍ରପାତି ଅଭାବ କାରଣରୁ ହଜାର ହଜାର ରୋଗୀ ଅକାଳରେ ମୃତ୍ୟୁବରଣ କରୁଛନ୍ତି । ଏହା ପ୍ରତି ରାଜ୍ୟ ସରକାର  କେବେ ଦୃଷ୍ଟି ଦେଇ ନାହାଁନ୍ତି । ଏବେ କରୋନାକୁ ଏକ ବାହାନା ବନାଇ ଖର୍ଚ୍ଚ କାଟ କରିବା ପାଇଁ ସରକାରୀ ନିଯୁକ୍ତିକୁ ୨ ବର୍ଷ ଲାଗି ବନ୍ଦ କରିବା ନିଷ୍ପତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିଜ ଦାୟୀତ୍ୱରୁ ଖସିଯିବାର ଏକ ଷଡଯନ୍ତ୍ର ବୋଲି ବିରୋଧୀ ଦଳ  ନେତା ଶ୍ରୀ ପ୍ରଦୀପ୍ତ ନାୟକ ଅଭିଯୋଗ କରିଛନ୍ତି । ପ୍ରତିବର୍ଷ ରାଜ୍ୟରେ ବେକାରୀ ସମସ୍ୟା ବଢିବାରେ ଲାଗିଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ରାଜ୍ୟ ସରକାର ଚାହୁଁ ନାହାଁନ୍ତି ।

ସେହିପରି ରାଜ୍ୟରେ ରାଜସ୍ୱ ଆଦାୟ କରିବା ପାଇଁ ଅନେକ ବିକଳ୍ପ ବ୍ୟବସ୍ଥା ରହିଛି । କିନ୍ତୁ  ରାଜ୍ୟସରକାର କେବଳ ମଦ ବିକ୍ରି କରି ରାଜସ୍ୱ ପାଇବା କଥା ଚିନ୍ତା କରି ସେ ଦିଗରେ ମାତିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଜ ବିଧାନସଭାମଣ୍ଡଳୀର ପଂଚାୟତରେ ଅଧିକାଂଶ ପିଇଓ ପଦବୀ ଖାଲି ରହିଛି । ଯାଜପୁର ଜିଲ୍ଲା ବହୁ ଚର୍ଚ୍ଚିତ ନଗଡାରେ ୨୬ ଟି ପଂଚାୟତରେ କେବଳ ୨ ଜଣ ପିଇଓ କାର୍ଯ୍ୟ କରୁଛନ୍ତି । ସରକାରୀ ପଦବୀ ଖାଲି ରହିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଖର୍ଚ୍ଚ କାଟ କରିବା । ଏଭଳି ସମୟରେ ବେକାରୀ ସମସ୍ୟାକୁ ହଟାଇବା ପାଇଁ ରାଜ୍ୟସରକାର ନିଜ ନିଷ୍ପତି ବଦଳାଇ ରୋଜଗାର ଦେବାର ପନ୍ଥା ଆପଣାନ୍ତୁ ବୋଲି ଶ୍ରୀ ନାଏକ କହିଛନ୍ତି । ଦେଶ ଓ ରାଜ୍ୟର କରୋନାର ଘଡିସନ୍ଧି ମୁହୁର୍ତରେ ଲୋକପ୍ରତିନିଧୀ ମାନଙ୍କର ବହୁତ ବଡ ଭୂମିକା ରହିଛି । ଏଥିଲାଗି ଓଡିଶାର ସବୁ ବିଧାୟକ ମାନଙ୍କର ବିଧାୟକ ହାତ ପାଣ୍ଠି ତଥା ଏମଏଲଏ ଲାଡ୍ ଫଣ୍ଡକୁ ୨ ବର୍ଷ ପାଇଁ ବନ୍ଦ କରିବା ସହ ବିଧାୟକ ଏବଂ ମନ୍ତ୍ରୀଙ୍କର ଦରମା ଅନ୍ୟୁନ ୧ ବର୍ଷ ପାଇଁ ୩୦ ପ୍ରତିଶତ କମ କରିବା ପାଇଁ ରାଜ୍ୟ ସରକାରଙ୍କୁ ଶ୍ରୀ ନାୟକ ଅନୁରୋଧ କରିଛନ୍ତି ।  ରାଜ୍ୟର ବିଭିନ୍ନ ସରକାରୀ ସଂସ୍ଥା ଯଥା ବିକାଶ ପରିଷଦ ଓ ରାଜ୍ୟସରକାରଙ୍କ ଉଦ୍ୟୋଗ ଗୁଡିକରେ ସଭାପତି/ଅଧ୍ୟକ୍ଷ  ଥିବା ରାଜନୈତିକ ବ୍ୟକ୍ତି ବିଶେଷ ମାନେ ମଧ୍ୟ ୩୦ପ୍ରତିଶତ କମ ଦରମା ନେବାକୁ ଶ୍ରୀ ନାଏକ ଅନୁରୋଧ କରିଛନ୍ତି ।

କେନ୍ଦ୍ର  ସରକାର ସାଂସଦମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରିଛନ୍ତି । କେନ୍ଦ୍ରରେ ନରେନ୍ଦ୍ର ମୋଦି ଯେଉଁ ବ୍ୟବସ୍ଥା ଲାଗୁ କରିଛନ୍ତି ଓଡିଶାରେ ମଧ୍ୟ ଅନୁରୂପ ଭାବେ ଏହାକୁ ଲାଗୁ କରାଯାଉ ବୋଲି ଶ୍ରୀ ନାଏକ କହିଛନ୍ତି ।  ଏମଏଲଏ ଲାଡ ଫଣ୍ଡରୁ ଏବଂ ମନ୍ତ୍ରୀ ଓ ବିଧାୟକଙ୍କ ଦରମା କଟିବାରୁ ଯେଉଁ ଅର୍ଥ ଆସିବ ସେଥିରେ ଏକ ବିଶେଷ  ପାଣ୍ଠି ଗଠନ କରି ଏହାକୁ କରୋନା ମୁକାବିଲା କରିବା ପାଇଁ ସ୍ୱତନ୍ତ୍ର ମେଡିକାଲ ତଥା ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୀର୍ଘ ମିଆଦି ଯୋଜନା କରିବାକୁ ଶ୍ରୀ ନାଏକ ଦାବି କରିଛନ୍ତି ।

Spread the love