ଜନନାୟକ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୯୧ ତମ ଜୟନ୍ତୀ, କିସରେ ପାଳିତ ହେଲା ଉତ୍ସବ

ବିଶିଷ୍ଟ ସାମ୍ବାଦିକ, ଦୈନିକ ଖବରକାଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ତଥା ଜନନାୟକ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୯୧ ତମ ଜୟନ୍ତୀ ବୁଧବାର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍  ପରିସରରେ ପାଳିତ ହୋଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କିଟ୍ ଓ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସ୍ମୃତିଚାରଣ କରି କହିଲେ ସ୍ୱର୍ଗତ ବଳ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ । ସ୍ୱର୍ଗତ ବଳ ସର୍ବଦା କହୁଥିଲେ ଯିଏ କର୍ମ କରିବ ତା ଜୀବନରେ କୌଣସି ଅସୁବିଧା ରହିବ ନାହିଁ । କିସରେ ସମସ୍ତେ ଉପଯୁକ୍ତ କର୍ମ କରୁଛନ୍ତି । ସେଥିପାଇଁ ସ୍ୱର୍ଗତ ବଳଙ୍କ ଯେଉଁ ଚିନ୍ତାଧାରା ଥିଲା ତାହା କିସରେ କାର୍ଯ୍ୟକାରୀ ହେଉଛି । ସ୍ୱର୍ଗତ ବଳ ସର୍ବଦା ସମାଜର ଅବହେଳିତ, ଗରିବ ଓ ଜନଜାତିଙ୍କ ଉନ୍ନତି କଥା ଚିନ୍ତା କରୁଥିଲେ । ଏଥିପାଇଁ ସେ ତାଙ୍କର ଖବରକାଗଜ ପ୍ରଗତିବାଦୀରେ ନିଜର ଲେଖନୀ ଚାଳନା କରୁଥିଲେ ବୋଲି ଡ.ସାମନ୍ତ ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇଥିଲେ ।

କାର୍ଯ୍ୟକ୍ରମରେ କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ, ମହାନିର୍ଦ୍ଦେଶକ ଡ. କାହ୍ନୁ ଚରଣ ମାହାଲି, କିଟ୍ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ବଳଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ବଳଙ୍କ ପରି ନିର୍ଭିକ, ସ୍ପଷ୍ଟବାଦୀ ଓ ନୀତିବାନ୍ ହେବାକୁ ଅତିଥିମାନେ ଉପସ୍ଥିତ କିସ୍ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଆଜି ସକାଳେ ପ୍ରଦ୍ୟୁମ୍ନ ବଳ ମେମୋରିଆଲ୍ ହସ୍ପିଟାଲ୍ କିମ୍ସ ପରିସରରେ ଥିବା ସ୍ୱର୍ଗତ ବଳଙ୍କ ପ୍ରତିମୂର୍ତ୍ତରେ ମାଲ୍ୟାର୍ପଣ ଓ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ପ୍ରତିଷ୍ଠାତା ଡ. ସାମନ୍ତଙ୍କ ସମେତ ହସ୍ପିଟାଲର ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Spread the love