ଜେଏମ୍‌ଏମ୍‌ରୁ ଇସ୍ତଫା ଦେଲେ ରାଜ୍ୟ ଉପସଭାପତି ପ୍ରହ୍ଲାଦ ପୂର୍ତ୍ତି

ରାଇରଙ୍ଗପୁର: ଜେଏମ୍‌ଏମ୍‌ର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଉପସଭାପତି ପ୍ରହ୍ଲାଦ ପୂର୍ତ୍ତି ଦଳ ଓ ନିଜ ପଦବିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ଦଳର ସୁପ୍ରିମୋ ଓ ରାଜ୍ୟ ସଭାପତିଙ୍କୁ ପଠାଇଛନ୍ତି।

ସୂଚନା ଅନୁଯାୟୀ ଗତକାଲି ଜେଏମଏମ୍‌ ରାଜ୍ୟ ସଭାପତି ଅଞ୍ଜନୀ ସୋରେନ ଶ୍ରୀ ପୂର୍ତ୍ତିଙ୍କ ନିକଟକୁ ୮ ମାସ ହେଲା ସେ ଦଳର କୌଣସି କାର୍ଯ୍ୟକ୍ରମ କିମ୍ବା ବୈଠକରେ ସାମିଲ ନହେବାର କାରଣ କଣ ପାଇଁ ଏକ ପତ୍ର ଦେଇଥିଲେ ଏବଂ ୨୪ ଘଣ୍ଟା ମଧ୍ୟରେ ସ୍ପଷ୍ଟୀକରଣ ନଦେଲେ ଦଳ ଓ ପଦବିରୁ ବହିଷ୍କୃତ କରାଯିବ ବୋଲି ଚିଠିରେ ଉଲ୍ଲେଖ କରିଥିଲେ।

ତେବେ ତାହାର ଜବାବରେ ଶ୍ରୀ ପୂର୍ତ୍ତି ଦଳର ସୁପ୍ରିମୋ (କେନ୍ଦ୍ରୀୟ ସଭାପତି) ଶିବୁ ସୋରେନ୍ ଓ ରାଜ୍ୟ ସଭାପତି ଅଞନୀ ସୋରେନଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ପ୍ରଦେଶର ଦଳର ନେତାମାନଙ୍କୁ ସମ୍ମାନ ନଦେଇ ଅନ୍ୟ ରାଜ୍ୟର ଦଳୀୟ ନେତାମାନେ ଆସି ସମସ୍ତ କାର୍ଯ୍ୟ କରୁଛନ୍ତି। ଫଳରେ ଓଡିଶାର ନେତା ଓ କର୍ମୀମାନଙ୍କୁ ଅସମ୍ମାନ କରାଯାଉଥିଲା। ତେବେ ଏ ସମ୍ବନ୍ଧରେ ଜେଏମଏମର ରାଜ୍ୟ ସଭାପତିଙ୍କୁ ମୌଖିକ ଆକାରରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ କରିନଥିଲେ । ଫଳରେ ଶ୍ରୀ ପୂର୍ତ୍ତି ଗତ ୮ ମାସ ହେଲା ଦଳର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ ବୋଲି ସଫେଇ ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ରକୁ ସ୍ୱୀକାର କରିବା ପାଇଁ କେନ୍ଦ୍ରୀୟ ଓ ରାଜ୍ୟ ସଭାପତିଙ୍କୁ ଅନୁରୋଧ କରିଛନ୍ତି।

Spread the love