ପୁରୀରେ ବନ୍ୟାଞ୍ଚଳ ବୁଲି ସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ପୁରୀ: ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଶୁକ୍ରବାର ପୁରୀ ଜିଲ୍ଲାର ବିଭିନ୍ନ ବନ୍ୟାଞ୍ଚଳ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ପରେ ସର୍କିଟ ହାଉସରେ ସ୍ଥିତିର ସମୀକ୍ଷା କରିଥିଲେ। ପୁରୀ ଜିଲ୍ଲାରେ ଦୟା, ଭାର୍ଗବୀ, କୁଶଭଦ୍ରା, ରତ୍ନଚିରା, ଲୁଣା ଓ ମକରା ଆଦି ନଦୀ ଓ ତାର ଶାଖାନଦୀ ଦେଇ ବନ୍ୟା ଜଳ ସମୁଦ୍ରକୁ ନିଷ୍କାସିତ ହେଉଥିବାରୁ ପୁରୀ ଜିଲ୍ଲାରେ ବନ୍ୟା ବିଭୀଷିକା ଦେଖାଦେଇଛି। ଫଳରେ ଜିଲ୍ଲାର ଅସ୍ତରଙ୍ଗ, ଗୋପ, ଡେଲାଙ୍ଗ, କଣାସ, ନିମାପଡା, ପିପିଲି, ପୁରୀ ସଦର ଆଦି ସାତଟି ବ୍ଲକ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି।

ବନ୍ୟାରେ ମୋଟ ୫୫ଟି ପଞ୍ଚାୟତର ୨୦୧ଟି ଗ୍ରାମ ବନ୍ୟା ପାଣିରେ ବୁଡି ରହିଛି । ମୋଟ ପ୍ରାୟ ୧,୪୩,୪୨୯ ଲୋକ ପ୍ରଭାବିତ ହେବା ସହ ଘରଛାତ କିମ୍ବା ନଦୀବନ୍ଧ ଉପରେ ଆଶ୍ରୟ ନେଇଛନ୍ତି । ଗାଁ ଗୁଡିକୁ ସଂଯୋଗ କରୁଥିବା ରାସ୍ତା ଉପରେ ପାଣି ଚାଲୁଥିବା ଯୋଗୁଁ ଏସବୁ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି । ଗତ ୧୭ ତାରିଖ ଦିନ ମୋଟ ୧୨,୩୧ ୯ଜଣଙ୍କୁ ୧୬୧ଟି ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଗୁରୁବାର ୧୦,୩୬୦ ଜଣଙ୍କୁ ୭ଟି ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ମୋଟ ୨୨,୬୭୯ ଜଣଙ୍କୁ ସ୍ଥାନାନ୍ତର କରାଯାଇ ୧୬୮ଟି ସେଣ୍ଟରରେ ସୁରକ୍ଷିତ ଭାବେ ରଖାଯାଇଛି। ପ୍ରଥମେ ୨୮ଟି ଓ ପରେ ଆଉ ୧୯ଟି କେନ୍ଦ୍ରରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ଅଧିକ ୭ଟି କେନ୍ଦ୍ର ମଞ୍ଜୁର କରାଯାଇଛି।

ରିଲିଫ କେନ୍ଦ୍ର ଖୋଲାଯାଇ ରିଲିଫ ବଣ୍ଟନ କରାଯାଉଛି । ୧୮୦ କୁଇଣ୍ଟାଲ ଚାଉଳ, ୬୭୫କେଜି ଚୁଡା, ୮୭ କେଜି ଚିନି ଓ ଗୁଡ, ୨୫ହଜାର ପାଣି ବୋତଲ ସହ ୮ହଜାର ପାଣି ପାଉଚ ଆଦି ରିଲିଫ ବଣ୍ଟନ କରାଯାଇଛି। ବନ୍ୟାଞ୍ଚଳରେ ୪୬ହଜାରରୁ ଉର୍ଦ୍ଧ୍ବ ପାଣି ବୋତଲ ବଣ୍ଟନ କରାଯାଇଥିବା ବେଳେ ୧୨୨୦ ପଲିଥିନ ରିଲିଫ ବାବଦରେ ବଣ୍ଟନ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏବେ ସୁଦ୍ଧା ବନ୍ୟା କୌଣସି ଜୀବନହାନି ହୋଇନାହିଁ।  ବନ୍ୟା ଯୋଗୁଁ ପ୍ରାୟ ୩୭ହଜାର ଗୋସମ୍ପଦ ପ୍ରଭାବିତ ହୋଇଥିଲେ ମଧ୍ୟ ସମସ୍ତେ ସୁରକ୍ଷିତ ରହିଛନ୍ତି। ତେବେ ବନ୍ୟା ଯୋଗୁଁ ବ୍ୟାପକ ଫସଲ ହାନି ଘଟିଥିବା ଜଣାପଡିଛି। ସରକାରୀ ରିପୋର୍ଟ ଅନୁସାରେ ପ୍ରାୟ ୬,୫୭୭ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। କେଉଁ ଜମି କେତେ କ୍ଷତିଗ୍ରସ୍ତ ହୋଇଛି ତାହାର ସଠିକ୍ ଭାବେ ଆକଳନ କରାଯିବା ପରେ ସ୍ପଷ୍ଟ ହେବ ବୋଲି ବୈଠକରେ କୁହାଯାଇଥିଲା‌।

Spread the love