ମୋର ବ୍ୟକ୍ତିତ୍ୱ ସେତେବଡ଼ ନୁହେଁ ଯେ ରାହୁଲ ଗାନ୍ଧୀ ମୋତେ ପଚାରିବେ: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: କଂଗ୍ରେସରେ ପ୍ରଶାନ୍ତ କିଶୋରଙ୍କ ଯୋଗ ଦେବା ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ପ୍ରଶାନ୍ତ କିଶୋର କିନ୍ତୁ ଅନେକ ଥର ଏହାକୁ ଖଣ୍ଡନ କରିସାରିଛନ୍ତି। ହେଲେ ଆଜି ସେ କଂଗ୍ରେସ ଦଳ ଓ ରାହୁଲ ଗାନ୍ଧୀଙ୍କୁ ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି, ସେଥିରେ ତାଙ୍କର କଂଗ୍ରେସ ପ୍ରୀତି ଓ ଦଳ ପ୍ରତି ଥିବା ତାଙ୍କ ଆନୁଗତ୍ୟତା ସ୍ପଷ୍ଟ ଜଣାପଡ଼ୁଛି।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ପ୍ରଶାନ୍ତ କିଶୋର କହିଛନ୍ତି ଯେ କଂଗ୍ରେସକୁ ପ୍ରଶାନ୍ତ କିଶୋରଙ୍କର ଆବଶ୍ୟକତା ନାହିଁ। ମିଡିଆ ମୋତେ ବଡ଼ କରି ଦେଖାଉଛି। ନହେଲେ ମୋର ବ୍ୟକ୍ତିତ୍ୱ ଓ ଭୂମିକା ଏତେ ବଡ଼ ନୁହେଁ ଯେ ରାହୁଲ ଗାନ୍ଧୀ ମୋତେ ଗୁରୁତ୍ୱ ଦେବେ। କଂଗ୍ରେସକୁ କୌଣସି ପିକେର ଆବଶ୍ୟକତା ନାହିଁ ଦଳ ନିଜେ ସବୁ ନିଷ୍ପତ୍ତି ନେଇପାରିବ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

ଦଳ ପ୍ରତି ତାଙ୍କ କାମକୁ ନେଇ ସେ କହିଛନ୍ତି ଯେ ଦଳକୁ ମୋତେ ଯାହା କହିବାର ଥିଲା ମୁଁ କହି ଦେଇଛି। ବାକି ଏହା ତାଙ୍କ ଉପରେ ନିର୍ଭର କରେ ଯେ ସେମାନେ ଏହା ଉପରେ କାମ କରିବେ କି ନାହିଁ। ତେବେ କଂଗ୍ରେସକୁ ଦିଆଯାଇଥିବା ଲିଡର୍ସିପ୍ ଫର୍ମୁଲାରେ ନା ରାହୁଲ ଗାନ୍ଧୀ ଥିଲେ ନା ପ୍ରିୟଙ୍କା ଗାନ୍ଧୀ। ତେବେ ଲିଡର୍ସିପ୍‌ରେ କାହା ନାଁ ରହିଛି ସେ ନେଇ କିନ୍ତୁ ପିକେ କିଛି କହି ନାହାଁନ୍ତି।

ତେବେ କଂଗ୍ରେସକୁ ଦେଇଥିବା ତାଙ୍କର ପ୍ରେଜେଣ୍ଟେସନ ୮-୯ ଘଣ୍ଟା ଥିଲା। ଦଳ ମୋ କଥା ଶୁଣିଲା ସେଥିପାଇଁ କଂଗ୍ରେସକୁ ଧନ୍ୟବାଦ ଦେବା ସହିତ ସେ ଦଳରେ ମିଶିବାକୁ ଚାହିଁ ନଥିଲେ ବୋଲି ପିକେ କହିଛନ୍ତି। ତେବେ ଦଳ କିନ୍ତୁ ତାଙ୍କୁ ସାମିଲ କରିବାକୁ ଅଫର ଦେଉଥିଲା ସେ କହିଛନ୍ତି।

Spread the love