କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ କାହିଁକି ବାଦ୍ ପଡ଼ିଲେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ?

ନୀଳଗିରି : ୨୦୨୪ ନିର୍ବାଚନ ପାଇଁ ଶ୍ରୀ ଷଡ଼ଙ୍ଗୀଙ୍କ ଭଳି ଜଣେ ଅନୁଭବୀ ନେତାଙ୍କୁ ସାଙ୍ଗଠନିକ ପୁନର୍ବିନ୍ୟାସ କାମ ପାଇଁ ପ୍ରଧାନମନ୍ତ୍ରୀ ଆବଶ୍ୟକ ମଣିଲେ ନା ପ୍ରଦର୍ଶନ ଉପରେ ଖୁସି ନଥିଲେ ଏଭଳି ଅନେକ ଘଟଣା ଏବେ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀରୁ ବାଦ ପଡିବା ପରେ ସାରା ଦେଶରେ ଚର୍ଚ୍ଚା ପାଲଟିଛି। ବାଲେଶ୍ବର ସଂସଦୀୟ କ୍ଷେତ୍ରରେ ବିରୋଧୀଙ୍କ ପାଇଁ ମନ୍ତ୍ରୀପଦ ଯିବା ଭଳି ଚର୍ଚ୍ଚା କରିବାକୁ ବିରୋଧୀଙ୍କୁ ଖୋରାକ ଯୋଗାଇ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ମନ୍ତ୍ରିମଣ୍ଡଳରୁ ଓଡ଼ିଶାରୁ ଜଣକୁ ବାଦ୍ ଦେଇ ପ୍ରତି ବଦଳରେ ଆଉ ଦୁଇଜଣଙ୍କୁ ବୋନସ୍ ଦେବା ନେଇ କୁହା ଯାଉଛି।

ମୟୂରଭଞ୍ଜ ଜିଲ୍ଲାରେ ବିଜେପି ଆଶାତୀତ ସଫଳତା ପାଇବା ନେଇ କାଳେ ସାଂସଦ ବିଶ୍ବେଶ୍ବର ଟୁଡୁଙ୍କୁ ମନ୍ତ୍ରିମଣ୍ଡଳରେ ନୂଆ ମୁହଁ ଭାବେ ଦାୟିତ୍ୱ ଦେଇଥିବାବେଳେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଆଦିବାସୀ କାର୍ଡ ଖେଳାଯାଇଥାଇ ପାରେ । ଏମିତିରେ ୨୦୨୪ ନିର୍ବାଚନ ପାଇଁ ହାତରେ ଆଉ ମାତ୍ର ଅଢ଼େଇ ବର୍ଷ ଥିବାରୁ ତା ପୂର୍ବରୁ ଘର ସଜାଡ଼ିବାକୁ ବିଜେପି ବଡ଼ ବଡ଼ ନେତାଙ୍କୁ ମନ୍ତ୍ରୀମଣ୍ଡଳରୁ ହଟାଇ ସାଙ୍ଗଠନିକ କାମରେ ଲଗାଇବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଥିବା ବେଳେ ଶ୍ରୀ ଷଡ଼ଙ୍ଗୀଙ୍କ ସମେତ ରବିଶଙ୍କର ପ୍ରସାଦ, ପ୍ରକାଶ ଜାଭଡେକରଙ୍କ ଭଳି ଏକାଧିକ ପୁରୁଖା ନେତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେଇ ଏମାନଙ୍କୁ ଦଳୀୟ ସାଂଗଠନିକ ଦାୟିତ୍ୱ ଦେବାର ଯଥେଷ୍ଟ ସମ୍ଭାବନା ରହିଛି । କରୋନାର ପ୍ରଥମ ଲହର ସମୟରେ ତାଙ୍କର ଭୂମିକା ଓ ବୟାନକୁ ନେଇ ଶ୍ରୀ ଷଡ଼ଙ୍ଗୀ ବିବାଦୀୟ ହେବା, ସଦର ଉପନିର୍ବାଚନରେ ବିଜେପି ଜିତି ନପାରିବା ମୁଖ୍ୟ କାରଣ ବୋଲି କୁହାଯାଉଛି ।

ହେଲେ ଏହି ଉପନିର୍ବାଚନରେ ପ୍ରାର୍ଥୀଙ୍କୁ ହରାଇବା ପାଇଁ ଏକ ଚକ୍ରବ୍ୟୁହ ରଚନା କରାଯାଇଥିବା ବେଳେ ଶ୍ରୀ ଷଡ଼ଙ୍ଗୀ ଏହି ଚକ୍ରବ୍ୟୁହ ଭାଙ୍ଗିବାକୁ ଅସମର୍ଥ ଥିବା କୁହାଯାଏ ।  ଏହାଛଡ଼ା ମତ୍ସ୍ୟ ଓ ପଶୁ ସମ୍ପଦ, ଦୁଗ୍ଧ ପ୍ରକ୍ରିୟାକରଣ, ଗୋସମ୍ପଦ ତଥା ଏମ୍‌ଏସ୍‌ଏମ୍‌ଇ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ବ ପାଇଥିଲେ ହେଁ ତାଙ୍କର ଅଧିକାରୀ, କର୍ମଚାରୀ ମାନେ ଏହାକୁ ସଠିକ ରୂପାୟନ କରିପାରିନଥିଲେ ବୋଲି ଅଲୋଚନା ହେଉଛି । ଆଉ ଯେଉଁସବୁ କାର୍ଯ୍ୟ ସଫଳ ହୋଇଛି ଏହା ଲୋକ ଲୋଚନକୁ ଆସି ପାରିନାହିଁ। ଦୁଇବର୍ଷ କାଳ କେନ୍ଦ୍ରମନ୍ତ୍ରୀ ରହିବା ଭିତରେ ମତ୍ସ୍ୟ ପ୍ରକଳ୍ପ ଭଳି ୨/୩ଟି ପ୍ରକଳ୍ପ ହୋଇଥିବା ବେଳେ କୋଭିଡ କଟକଣା ପାଇଁ ନିର୍ବାଚନମଣ୍ଡଳୀରେ କିଛି ଆଖିଦୃଶିଆ କାମ ହୋଇ ପାରିନଥିଲା । ବ‌ାଲେଶ୍ବର ଜିଲ୍ଲା ନୀଳଗିରି ଆସନରୁ ୨ ଥର ବିଧାୟକ ନିର୍ବାଚିତ ହେବା ପରେ ୨୦୧୪ରେ ସାଂସଦ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ଶ୍ରୀ ଷଡ଼ଙ୍ଗୀ। ୨୦୧୯ରେ ପୁଣି ଥରେ ବାଲେଶ୍ବର ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ବିଜେଡିର ତତ୍କାଳୀନ ସାଂସଦ ତଥା ହେଭିୱେଟ୍‌ ନେତା ରବୀନ୍ଦ୍ର ଜେନାଙ୍କୁ ହରାଇବା ଓ ମୋଦୀଙ୍କ ଅତି ନିକଟ ଥିବାରୁ ରାଷ୍ଟ୍ରପତିଙ୍କ ସ୍ୱାଗତ ଭାଷଣରେ ତେଜସ୍ୱି ଭାଷଣ ଦେଇ ସାରା ବିଶ୍ୱକୁ ଚକିତ କରିଥିବା ପ୍ରତାପ ଷଡ଼ଙ୍ଗୀଙ୍କ ମନ୍ତ୍ରୀ ପଦ ଯିବାକୁ ସହଜରେ ହଜମ କରିନାହାନ୍ତି ତାଙ୍କର ଶୁଭେଚ୍ଛୁ।

ଆରଏସ୍‌ଏସ୍‌ ବିଚାରଧାରା, ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ତଥା ସମର୍ପିତ ଜୀବନଶୈଳୀ ଯୋଗୁଁ ମୋଦୀ ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନପାଇବା ଓ ତାଙ୍କ ଭଳି ନେତାଙ୍କୁ ପ୍ରଧାନମନ୍ତ୍ରୀ ବାଦ ଦେବା ପଛରେ ନିଶ୍ଚୟ କିଛି ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି। କିଛିଦିନ ପରେ ସବୁ ଘଟଣା ସ୍ପଷ୍ଟ ହୋଇଯିବ ବୋଲି ଅନେକ ମତ ରଖିଥିବା ବେଳେ ପ୍ରତାପ ଷଡ଼ଙ୍ଗୀ ମନ୍ତ୍ରୀପଦ ଯିବା ନେଇ ସେଭଳି ଆଶ୍ଚର୍ଯ୍ୟ ହେବାର କିଛି ନୁହଁ ବୋଲି କହିଛନ୍ତି । ମନ୍ତ୍ରୀ ପଦ ପାଇବାରେ ମୁଁ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଯିବାର କଣ କାରଣ ଅଛି ମୁଁ ମଧ୍ୟ ଏବେ ସୁଦ୍ଧା କିଛି ଜାଣେନା ବୋଲି କହିଛନ୍ତି ।

Spread the love