‘କରୋନାର ଧ୍ୱଂସ ସ୍ତୁପରୁ ନବ ନିର୍ମାଣର ସଂକଳ୍ପ ସ୍ଥିତି’ବଜେଟ ମାଧ୍ୟମରେ ପ୍ରତିଫଳିତ ହୋଇଛି:ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର : ଚଳିତବର୍ଷର ବଜେଟ ହେଉଛି ଐତିହାସିକ ଏବଂ କ୍ରାନ୍ତିକାରୀ ବଜେଟ। କରୋନାରେ ସାରା ବିଶ୍ୱକୁ ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବା ସମୟରେ ଏହି ବଜେଟ ଅମୃତ କଳସ ପରି ଉପସ୍ଥାପିତ କରାଯାଇଛି। ଏଥିରେ ଦୃଢ ଇଚ୍ଛା ଶକ୍ତି,ଗଭାର ସମ୍ବେଦନ ଶୀଳତା, ପ୍ରଚଣ୍ଡ ଆତ୍ମବିଶ୍ୱାସ ଏବଂ ଦୁର୍ବାର ସାହସିକତାର ପ୍ରତିଫଳନ ହୋଇଛି। ୧୩୦ କୋଟି ଲୋକଙ୍କ ଗଭୀର ଆତ୍ମବିଶ୍ୱାସରେ ଏହି ବଜେଟ ଆଲୋକିତ। ଏହା କେବଳ ଏକ ହିସାବର ଫର୍ଦ୍ଦ ନୁହେଁ ଏହା ରାଷ୍ଟ୍ର ନବଜାଗରଣ ସଂକଳ୍ପର ଏକ ଦଲିଲ । ପ୍ରଧାନମନ୍ତ୍ରୀଙ୍କ ସବକା ସାଥ, ସବକା  ବିକାଶ, ସବକା ବିଶ୍ୱାସର ନୀତିରେ ବଜେଟ ପ୍ରସ୍ତୁତ ହୋଇଛି । ବଜେଟରେ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା, ଭିତଭୂମିକୁ ସୁଦୃଢ କରିବା, ମହିଳା ସଶକ୍ତିକରଣ, ସମାବେଶୀ ବିକାଶ ଆଦି ପ୍ରସଙ୍ଗକୁ ଅଗ୍ରାଧୀକାର ଦିଆଯାଇଛି। କରୋନାର ଧ୍ୱଂସ ସ୍ତୁପରୁ ନବ ନିର୍ମାଣର ଏକ ସଂକଳ୍ପ ସ୍ଥିତି ଏହି ବଜେଟ ମାଧ୍ୟମରେ ପ୍ରତିଫଳିତ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି। ଏହି ବଜେଟ୍ ବ୍ୟକ୍ତିବିଶେଷ, ନିବେଶକ, ଶିଳ୍ପ ତଥା
ଭିତିଭୂମି କ୍ଷେତ୍ରରେ ଅନେକ ସକାରାତ୍ମକ ପରିବର୍ତନ ଆଣିବ। ଏଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ, ୨୦୨୧-୨୨ କେନ୍ଦ୍ର ବଜେଟ ୬ଟି ସ୍ତମ୍ଭ
ଉପରେ ଆଧାରିତ ହୋଇଛି । ସେଗୁଡିକ ହେଲା ସ୍ୱାସ୍ଥ୍ୟ ଓ କଲ୍ୟାଣ, ଭୌତିକ ଓ ଆର୍ଥିକ ପୁଞ୍ଜି ଏବଂ ଭିତିଭୂମି,ଆକାଂକ୍ଷୀ ଭାରତ ପାଇଁ ସମାବେଶୀ ବିକାଶ,ମାନବ ସମ୍ବଳର ଉପଯୁକ୍ତ ବିକାଶ ଓ ବିନିଯୋଗ, ନବସୃଜନ ଏବଂ ଗବେଷଣା ଓ ବିକାଶ, ସର୍ବନିମ୍ନ ସରକାର ଓ ସର୍ବାଧିକ ପ୍ରଶାସନ। କରୋନା ସମୟରେ ଅର୍ଥନୀତି ଅପେକ୍ଷା ମାନବ ଜୀବନକୁ ଅଧିକା ଗୁରୁତ୍ୱ ଏହି ବଜେଟରେ ଦିଆଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ ଓ କଲ୍ୟାଣ କ୍ଷେତ୍ରରେ ୨,୨୩,୮୪୬ କୋଟି ଟଙ୍କାବଜେଟ ବ୍ୟବସ୍ଥା କରାଯାଇଛି ଯାହାକି ୨୦୨୦-୨୧ ଆର୍ଥିକ ବର୍ଷର ବ୍ୟୟବରାଦ ୯୪,୪୫୨ କୋଟି ଟଙ୍କା ଠାରୁ ୧୩୭% ଅଧିକ। ତିନୋଟି ପ୍ରମୁଖ କ୍ଷେତ୍ର ନିରାକରଣ, ନିଦାନ ଏବଂ କଲ୍ୟାଣ କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। କୋଭିଡ-୧୯ ଟିକା ପାଇଁ ୩୫,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। କୋଭିଡ ଟୀକା ଭାରତର ସମସ୍ତ ଲୋକଙ୍କୁ ଦିଆଯିବ। ଭାରତ ନିର୍ମିତ ନ୍ୟୁମୋକୋକାଲ ଟୀକା ସାରା ଦେଶରେ ଦିଆଯିବ। ବର୍ତମାନ ଏହା ୫ଟି ରାଜ୍ୟରେ ଦିଆଯାଉଛି-ଏହା ବାର୍ଷିକ ୫୦,୦୦୦ ଶିଶୁ ମୃତ୍ୟୁ ରୋକିବାରେ ସହାୟକ ହେବ। ସମସ୍ତ ଜିଲ୍ଲାରେ ସମନ୍ୱିତ ଜନସ୍ୱାସ୍ଥ୍ୟ ପରୀକ୍ଷାଗାର ଏବଂ ୧୧ଟିରାଜ୍ୟରେ ୩୩୮୨ ବ୍ଲକ ଜନସ୍ୱାସ୍ଥ୍ୟ ୟୁନିଟ୍ ହେବ। ୬୦୨ଟି ଜିଲ୍ଲାରେ କ୍ରିଟିକାଲକେୟାର ହସ୍ପିଟାଲ ବ୍ଲକ ଏବଂ ୧୨ଟି କେନ୍ଦ୍ରୀୟ ସଂସ୍ଥାନ ପ୍ରତିଷ୍ଠା ହେବ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।
ଦେଶରେ ମିଶନ ପୋଷଣ ୨.୦ ଶୁଭାରମ୍ଭ କରାଯିବ । ୧୧୨ଟି ଆକାଂକ୍ଷୀ ଜିଲ୍ଲାରେ ପୁଷ୍ଟିସାଧନ ପରିଣାମରେ ସୁଧାର ଆଣିବା ଲାଗି ସମନ୍ୱିତ ରଣନୀତି ପ୍ରସ୍ତୁତ ହେବ । ଆସନ୍ତା ୫ ବର୍ଷ ପାଇଁ ୨,୮୭,୦୦୦ କୋଟି ଟଙ୍କା ବ୍ୟୟରେ ଜଳ ଜୀବନ ମିଶନ (ସହରାଚଂଳ) ଶୁଭାରମ୍ଭ କରାଯିବ । ଏହି କାର୍ଯ୍ୟକ୍ରମ ଅନୁଯାୟୀ ୨.୮୬ କୋଟି ପରିବାର ଏବଂ ସମସ୍ତ ୪୩୭୮ ସହରାଚଂଳରେ ସାର୍ବଜନୀନ ଜଳ ଯୋଗାଇ ଦିଆଯିବ। ୫୦୦ ଅମୃତ ଯୋଜନାଭୃକ୍ତ ନଗରୀରେ ଅଳିଆ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ନିର୍ମାଣ ଏବଂ ଭଗ୍ନ କାର୍ଯ୍ୟକଳାପ ଯୋଗୁ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁର ପ୍ରଭାବୀ ପରିଚାଳନା ଜରିଆରେ ବାୟୁ ପ୍ରଦୂଷଣ ହ୍ରାସ କରାଯିବ। ବାୟୁ ପ୍ରଦୂଷଣର ମୁକାବିଲା ଲାଗି ୨୨୧୭ କୋଟି ଟଙ୍କା ବ୍ୟୟ କରାଯିବ । ୧୩ଟି କ୍ଷେତ୍ରରେ ପିଏଲଆଇ ଯୋଜନା ପାଇଁ ଆସନ୍ତା ୫ ବର୍ଷରେ ୧.୯୭ ଲକ୍ଷ କୋଟି ଟଙ୍କା ବ୍ୟୟ କରାଯିବ। ବିଶ୍ୱ ଯୋଗାଣ ଶୃଙ୍ଖଳର ଅଂଶବିଶେଷ ପାଲଟିବା, ପ୍ରତିଯୋଗିତାମୂଳକ କ୍ଷମତା ବୃଦ୍ଧି କରିବା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତି ଯୁକ୍ତ ହେବା ଲାଗି ଉତ୍ପାଦନ
ଭିତ୍ତିକ କମ୍ପାନୀଗୁଡିକୁ ସହାୟତା ଯୋଗାଇ ଦିଆଯିବ। ପିଏଲଆଇ ବ୍ୟତୀତ ମେଗା ନିବେଶ ବୟନ ପାର୍କ (ମିତ୍ର) ପ୍ରତିଷ୍ଠା କରାଯିବ । ୩ ବର୍ଷ ମଧ୍ୟରେ ସାତଟି ବୟନ ପାର୍କ ସ୍ଥାପନ କରାଯିବ। ଜାତୀୟ ଭିତିଭୂମି ପାଇପଲାଇନ (ଏନଆଇପି) ୭୪୦୦ ପ୍ରକଳ୍ପକୁ ସମ୍ପ୍ରସାରିତ କରାଯିବ। ୨୦,୦୦୦ କୋଟି ଟଙ୍କାର ଭିତିଭୂମି ଅର୍ଥ ଲଗାଣ ବ୍ୟବସ୍ଥା ସ୍ଥାପନ କରାଯିବ ଏବଂ ବିକାଶ ଆର୍ଥିକ ସଂସ୍ଥାନ (ଡିଏଫଆଇ)- ଭିତିଭୂମି ପାଇଁ ପାଣ୍ଠି ଯୋଗାଣ କ୍ଷେତ୍ରରେ ଯୋଗାଣକାରୀ, ସକ୍ଷମକାରୀ ଏବଂ ସହାୟକ ଭାବେ କାର୍ଯ୍ୟ କରିବ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।
ଏନଏଚଏଆଇ ଇନଭିଟକୁ ୫୦୦୦ କୋଟି ଟଙ୍କାର ୫ଟି କାର୍ଯ୍ୟକ୍ଷମ ଟୋଲ ରୋଡ ହସ୍ତାନ୍ତର କରାଯାଉଛି। ପିଜିସିଆଇ ଇନଭିନକୁ ୭୦୦୦ କୋଟି ଟଙ୍କାର ଟ୍ରାନ୍ସମିଶନ ସମ୍ପତିର ହସ୍ତାନ୍ତର ହୋଇଛି। ବଜେଟରେ ୧୩ ହଜାର କିମିର ନୂଆ ସଡକ ୩.୩ ଲକ୍ଷ କୋଟିରେ ନିର୍ମାଣ ହେବ। ଭାରତମାଳା କାର୍ଯ୍ୟକ୍ରମ ପାଇଁ ୫.୩୫ ଲକ୍ଷ କୋଟିର କାମ ଦିଆଯାଇଛି। ରେଳବାଇ ପାଇଁ ରେକର୍ଡ ପରିମାଣର ୧,୧୦,୦୫୫ କୋଟି ଅର୍ଥ ବ୍ୟୟ ବରାଦ ହୋଇଛି । ସହରାଚଂଳ ଭିତିଭୂମିକୁ ସୁଦୃଢ କରିବା ସହ ମେଟ୍ରୋ, ରେଳ ଓ ସିଟି ବସ ସେବା ନିମନ୍ତେ ୧୮ ହଜାର କୋଟି ଟଙ୍କାର ଏକ ନୂଆ ଯୋଜନା ଆରମ୍ଭ ହେବ। ୨୦୨୧-୨୨ ବଜେଟରେ ୫.୫୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟବରାଦ କରାଯାଇଛି ଯାହାକି ୨୦୨୦-୨୧ ବଜେଟର ପୁଞ୍ଜି ବ୍ୟୟବରାଦ ୪.୧୨ ଲକ୍ଷ କୋଟି ଟଙ୍କା ଠାରୁ ୩୪.୫% ଅଧିକ। ଉଜ୍ଜ୍ୱଳା ଯୋଜନାର ସମ୍ପ୍ରସାରିତ କରାଯାଇ ୧ କୋଟି ଅଧିକ ହିତାଧିକାରୀମାନଙ୍କୁ ସାମିଲ କରାଯିବ । ଜମ୍ମୁ-କଶ୍ମୀରରେ ଏକ ନୂଆ ଗ୍ୟାସ ପାଇପ ଲାଇନ ପ୍ରକଳ୍ପ ଆରମ୍ଭ  କରାଯାଇଛି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।
ଲଦାଖରେ ଉଚ୍ଚଶିକ୍ଷା ବ୍ୟବସ୍ଥା କରିବା ଲାଗି ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଅନୁସୂଚୀତ ଜାତି ଏବଂ ଜନଜାତି କଲ୍ୟାଣ କ୍ଷେତ୍ରରେ ୭୫୦ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି । ଅନୁସୂଚୀତ ଜାତିଙ୍କ କଲ୍ୟାଣ ଲାଗି ମାଟ୍ରିକ ପରବର୍ତୀ ଛାତ୍ରବୃଦ୍ଧି ଯୋଜନା ପୁଣିଥରେ ଆରମ୍ଭ କରାଯାଇଛି । ଆର୍ଥିକ ବର୍ଷ ୨୦୨୨ରେ କୃଷି କ୍ରେଡିଟ କାର୍ଡ ଲକ୍ଷ୍ୟକୁ ବୃଦ୍ଧି କରାଯାଇ ୧୬.୫ ଲକ୍ଷ କୋଟି ଟଙ୍କା କରାଯାଇଛି। ପଶୁପାଳନ ଡାଏରୀ ଏବଂ ମତ୍ସ୍ୟ ପାଳନ କ୍ଷେତ୍ର ଉପରେ ପ୍ରାଧାନ୍ୟ ଦିଆଯାଇଛି। ଅପରେସନ ଗ୍ରୀନ ଯୋଜନାରେ ଶୀଘ୍ର ନଷ୍ଟ ହୋଇଯାଉଥିବା ୨୨ଟି ଉତ୍ପାଦ ସାମିଲ କରାଯିବ ଯାହାଫଳରେ କୃଷି ଏବଂ ଆନୁସଙ୍ଗୀକ ଉତ୍ପାଦର ମୂଲ୍ୟ ବୃଦ୍ଧିକୁ ପ୍ରୋତ୍ସାହନ ମିଳିବ। ଉଭୟ ସାମୁଦ୍ରିକ ଏବଂ ଆଭ୍ୟନ୍ତରୀଣ କ୍ଷେତ୍ରରେ ମାଛଧରା ଜେଟି ଏବଂ ମତ୍ସ୍ୟ ଲ୍ୟାଣ୍ଡିଂ କେନ୍ଦ୍ରର ବିକାଶ ନିମନ୍ତେ ୫ଟି ପ୍ରମୁଖ ମତ୍ସ୍ୟ ବନ୍ଦର କୋଚି, ଚେନ୍ନାଇ, ବିଶାଖାପାଟଣା, ପାରଦୀପ ଏବଂ ପେତବାଘାଟକୁ ଆର୍ଥିକ ଗତିବିଧି କେନ୍ଦ୍ର ରୂପରେ ବିକଶିତ କରାଯିବ। ଏହା ବ୍ୟତିତ ନଦୀ ମୁହାଣ ଓ ଅନ୍ୟାନ୍ୟ ଜଳଉତ୍ସଗୁଡିକର ମାଛଧରାକୁ ପ୍ରୋତ୍ସାହନ ପାଇଁ ମଧ୍ୟ ପାରାଦୀପରେ ମାଛଧରା ବନ୍ଦରର ଆଧୁନିକୀକରଣ ଓ ମାଛ ସଂଗ୍ରହ କେନ୍ଦ୍ରର ହେବ ବିକାଶ ହେବ । ପାରାଦୀପରେ ମାଛଧରା ବନ୍ଦରର ଆଧୁନିକୀକରଣ ଓ ମାଛ ସଂଗ୍ରହ କେନ୍ଦ୍ରର ହେବ ବିକାଶ ହେଲେ ଓଡିଶା ଲାଭବାନ ହେବ । ଦେଶର ଯେକୌଣସି ସ୍ଥାନରୁ ରାସନ ପାଇବା ଲାଗି ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା ଆରମ୍ଭ କରାଯାଇଛି । ଏହାର ଅଧିକ ଲାଭ ପ୍ରବାସୀ ଶ୍ରମିକ ପାଇଛନ୍ତି। ଏହି ଯୋଜନା ଲାଗୁ ହେବା ପରଠାରୁ ଏଥିରେ ବର୍ତମାନ ସୁଦ୍ଧା ୩୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ୮୬ ପ୍ରତିଶତ ହିତାଧିକାରୀଙ୍କୁ ସାମିଲ କରାଯାଇରିଛି । ଅବଶିଷ୍ଟ ୪ଟି ରାଜ୍ୟକୁ ଆସନ୍ତା କିଛି ମାସ ମଧ୍ୟରେ ସାମିଲ କରାଯିବ। ଏମଏସଏମଇ କ୍ଷେତ୍ର ପାଇଁ ବଜେଟରେ ୧୫୭୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି, ଯାହାକି ଚଳିତ ବର୍ଷର ବଜେଟ ପୂର୍ବାନୁମାନର ଦୁଇଗୁଣା । ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୬ ହଜାର ୯୯୫.୫୮ କୋଟି ଟଙ୍କା ଅନୁଦାନ ଦିଆଯାଇଛି । ୨୦୨୦-୨୧ ବଜେଟରେ ୪.୧୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟବରାଦ କରାଯାଇଥିବା ବେଳେ ଏହି ବର୍ଷ ବାସ୍ତବ ବ୍ୟୟ ୪.୩୯ ଲକ୍ଷ କୋଟି ଟଙ୍କା ହୋଇଥିବାରୁ ବ୍ୟୟର ଗୁଣବତା ବଜାୟ ରଖାଯାଇପାରିଛି। ପଂଚଦଶ ଅର୍ଥ ଆୟୋଗର ସୁପାରିସ ଅନୁଯାୟୀ ୨୦୨୩-୨୪ ସୁଦ୍ଧା ରାଜ୍ୟଗୁଡିକର ରାଜସ୍ୱ ନିଅଂଟ ଜିଏସଡିପିର ୩ ପ୍ରତିଶତ ପର୍ଯ୍ୟନ୍ତ ଅଣାଯିବାକୁ ଲକ୍ଷ୍ୟ ରଖାଯାଇଛି । ଟିକସଦାତାଙ୍କ ଉପରୁ
ଟିକସ ବୋଝ ହ୍ରାସ କରିବା ସହିତ ଦେଶରେ ଏକ ନିବେଶ ଏବଂ ନିଯୁକ୍ତି ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ଏକପାରଦର୍ଶୀ, ଦକ୍ଷ ଟିକସ ବ୍ୟବସ୍ଥା ନିମନ୍ତେ ସଂକଳ୍ପ କରାଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ରେ ୨.୭୬ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା। ଏଥିରେ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟସାମଗ୍ରୀ, ୮ କୋଟି ପରିବାରକୁ ମାଗଣା ଗ୍ୟାସ,୪୦ କୋଟିରୁ ଅଧିକ କୃଷକ, ମହିଳା, ବୟସ୍କ, ଗରିବ ଏବଂ ଅସହାୟଲୋକଙ୍କୁ ନଗଦ ରାଶି ସହାୟତା ପ୍ରଦାନ କରାଯାଇଥିଲା। କେନ୍ଦ୍ରୀୟ ବଜେଟ ୨୦୧୫-୧୬ରେ ୧୩ଟି ପ୍ରତିଶ୍ରୁତି ଦିଆଯାଇଥିଲା ଯାହାକି ଦେଶ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତି ଅବସରରେ ୨୦୨୨ର ଅମୃତ ମହୋତ୍ସବ ସମୟରେ ଆତ୍ମନିର୍ଭରଶୀଳତାର ସଂକଳ୍ପ ଅନୁରୂପ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ଏବଂ ସୋନାଲୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ସଂଧ୍ୟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀ ‘ଉତ୍କଳ ଚେୟାର ଅଫ୍ କମର୍ସ ଏବଂ ଇଣ୍ଡଷ୍ଟ୍ରୀ’ ସଭାଗୃହ ଠାରେ ବିଜେପି ବୁଦ୍ଧିଜୀବୀ ସେଲ୍ ପକ୍ଷରୁ ଆୟୋଜିତ ବଜେଟ ସଂପର୍କିତ ଆଲୋଚନାଚକ୍ରରେ ସାମିଲ ହୋଇ ବଜେଟର ରୂପରେଖ ସଂପର୍କରେ ଆଲୋକପାତ କରିଥିଲେ। ଏହା ସହ ଶ୍ରୀ ଷଡଙ୍ଗୀ ବଜେଟ ସଂପର୍କିତ ଅନେକ ପ୍ରଶ୍ନର ଉତର ଦେବା ସହ ସାଧାରଣ ଲେକଙ୍କ ମନରେ ଥିବା ଶଙ୍କାକୁ ଦୂର କରିଥିଲେ। ଏହି ଆଲୋଚନାଚକ୍ରରେ ରାଜ୍ୟ ସଭାପତି ସମୀର ମହାନ୍ତି, ବୁଦ୍ଧିଜୀବୀ ପ୍ରକୋଷ୍ଠ ରାଜ୍ୟ ଆବାହକ ସୁଦର୍ଶନ ନାୟକ ଏବଂ ବିନୋଦ ଦାସଙ୍କ ସମେତ ଶତାଧିକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Spread the love