ଖାଦ୍ୟ ଓ କାମ ଦାବିରେ ଦେଶବ୍ୟାପୀ ପ୍ରତିବାଦ କଲା ଭାରତ ଗଣତାନ୍ତ୍ରିକ ମହିଳା ସମିତି

ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ତରଫରୁ ସମସ୍ତଙ୍କୁ ଖାଦ୍ୟ ଓ କାମ ଯୋଗାଇବା ଦାବିରେ ଦେଶବ୍ୟାପୀ ପ୍ରତିବାଦ ଦିବସ ପରିପ୍ରେକ୍ଷୀରେ ସଂଗଠନ ଭୁବନେଶ୍ୱର ଜିଲ୍ଲା କମିଟି ତରଫରୁ ବିଭିନ୍ନ ସ୍ଥାନରେ ଯଥା ସମେଇଗାଢିଆ, ସାଲିଆ ସାହି, ଚନ୍ଦ୍ରଶେଖରପୁର ଠାରେ ପାଳିତ ହୋଇଛି । କରୋନା ମହାମାରି ରୋକିବା ପାଇଁ କେନ୍ଦ୍ର ସରକାର ମାତ୍ର ୪ଘଣ୍ଟାର ସମୟ ଦେଇ ମାର୍ଚ୍ଚ ୨୩ ତାରିଖରେ ସାରା ଦେଶରେ ତାଲା ବନ୍ଦ ଘୋଷଣା କଲେ । ସାରା ଦେଶରେ ଧନ ଜୀବନ ସ୍ତବ୍ଧ ହୋଇଗଲା । ହଜାର ହଜାର ଛୋଟ ବଡ଼ କଳକାରଖାନା, ଦୋକାନ ବଜାର, ସପିଙ୍ଗ ମଲ୍‌, ପରିବହନ ସେବା ବନ୍ଦ ହୋଇଗଲା । ଲକ୍ଷ ଲକ୍ଷ ଶ୍ରମିକ ଓ ଏହା ଉପରେ ନିର୍ଭର କରୁଥିବା ଜନଗଣ ଜୀବିକା ହରାଇଲେ । କେନ୍ଦ୍ର ଓ ରାଜ୍ୟ ସରକାର ସେହିପରି କିଛି ପଦକ୍ଷେପ ନେଲେ ନାହିଁ । ଯାହା ଘୋଷଣା କରିଛନ୍ତି ସେଥିରେ ଜଣେ ମଣିଷ ବଞ୍ଚିବା କଷ୍ଟଦାୟକ । କେନ୍ଦ୍ର ସରକାର ୨୦ଲକ୍ଷ କୋଟି ଟଙ୍କା ପ୍ୟାକେଜ୍‌ ଘୋଷଣା କଲେ, ହେଲେ ଏଥିରେ ଶ୍ରମଜୀବୀ ମଣିଷ ପାଇଁ କିଛି ନାହିଁ ଯାହା କେବଳ କର୍ପୋରେଟ୍‌ ଓ ପୁଞ୍ଜିପତିମାନଙ୍କ ପାଇଁ । ଏଣୁ ଅଖିଳ ଭାରତ ମହିଳା ସମିତି ଏହା ବିରୁଦ୍ଧରେ ପ୍ରତିବାଦ ସାରା ଦେଶରେ ସଂଗଠିତ କରିଛି । ସମସ୍ତଙ୍କୁ କାମ ଓ ଖାଦ୍ୟର ଗ୍ୟାରେଣ୍ଟି, ଆୟକର ଦେଉନଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସକୁ ୭୫୦୦ଟଙ୍କା ତିନିମାସ ପର୍ଯ୍ୟନ୍ତ ବ୍ୟାଙ୍କ ଖାତା ମାଧ୍ୟମରେ ଦିଆଯାଉ । ପ୍ରତ୍ୟେକ ପରିବାର ମୁଣ୍ଡ ପିଛା ୧୦ କିଗ୍ରା ଚାଉଳ/ଗହମ ଆଗାମି ୬ ମାସ ପର୍ଯ୍ୟନ୍ତ ମାଗଣାରେ ଯୋଗାଇ ଦିଆଯାଉ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କଣ୍ଟ୍ରୋଲ୍‌ ମାଧ୍ୟମରେ ସମସ୍ତ ପରିବାରକୁ ମାଗଣାରେ ଯୋଗାଇ ଦିଆଯାଉ, ଅନ୍‌ଲାଇନ୍‌ ମଦ କାରବାର ବନ୍ଦ କରାଯାଉ, ମନ୍‌ରେଗା କାର୍ଯ୍ୟ ୨୦୦ଦିନ ବୃଦ୍ଧି କରିବା ସହିତ ପଞ୍ଚାୟତରୁ ସହରାଞ୍ଚଳି ପର୍ଯ୍ୟନ୍ତ ପ୍ରସାର କରାଯାଉ, ସହରାଞ୍ଚଳରେ ବ୍ୟାପକ ନିଯୁକ୍ତ ସୃଷ୍ଟି କରି ବେକାରଙ୍କୁ ନିଯୁକ୍ତି ଦିଆଯାଉ, ତାଲା ବନ୍ଦ ସମୟରେ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ଛାଡ଼ କରାଯାଉ, ଘରୋଇ ମହିଳା ହିଂସା ବନ୍ଦ କରାଯାଉ, ମହିଳା ନିର୍ଯ୍ୟାତନାକାରୀଙ୍କୁ କଠୋର ଦଣ୍ଡ ଏବଂ ସି.ଏ.ଏ, ଏନ୍‌.ଆର୍‌.ସି, ଏନ୍‌.ପି.ଆର ଆନ୍ଦୋଳନରେ ଗିରଫ୍‌ ହୋଇଥିବା ସମସ୍ତ ଆନ୍ଦୋଳନକାରୀ ଓ ସାମାଜିକ କର୍ମୀମାନଙ୍କୁ ମୁକ୍ତ କର । ଏହିପରି ବିଭିନ୍ନ ଦାବିରେ ପ୍ରତିବାଦ କରାଯାଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭୁବନେଶ୍ୱରଙ୍କ ଜରିଆରେ ଇମେଲ୍‌ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପ୍ରତିବାଦ କାର୍ଯ୍ୟକ୍ରମ ସଂଗଠନର ରାଜ୍ୟ ଉପସଭାନେତ୍ରୀ ପୁଷ୍ପା ଦାସ, ଭୁବନେଶ୍ୱର ଜିଲ୍ଲା ସଂପାଦିକା ମିନତୀ ପାଣିଗ୍ରାହୀ, ଭୁବନେଶ୍ୱର ଜିଲ୍ଲା ସଭାପତି ବିମଳା ନାୟକ, ନିରୂପମା ନାୟକ, ନୟନା ନାୟକ, ଜୟନ୍ତି ସ୍ୱାଇଁ ପ୍ରମୁଖ ସଂଗଠିତ କରିଥିଲେ ।

Spread the love