ପ୍ରତିଭା ରାୟଙ୍କୁ ମିଳିବ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ

ଔପନ୍ୟାସିକା  ପଦ୍ମଶ୍ରୀ ଡ. ପ୍ରତିଭା ରାୟଙ୍କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ପ୍ରଦାନ କରାଯିବ। ଜାନୁଆରୀ 2ତାରିଖ ବିଶ୍ବବିଦ୍ୟାଳୟର 54ତମ ପ୍ରତିଷ୍ଠା ଦିବସ ସମାରୋହରେ ଏହି ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ଭାରତୀୟ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ପାଇଁ ଖ୍ୟାତନାମା ବ୍ୟକ୍ତିଙ୍କୁ ପ୍ରତିବର୍ଷ ପ୍ରତିଷ୍ଠା ଦିବସ ସମାରୋହରେ ସମ୍ମାନିତ କରାଯାଇଥାଏ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମାନୁଯାୟୀ ଏହାର ନାମ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ରଖାଯାଇଛି। ମାନପତ୍ର ସହ ଡ. ରାୟଙ୍କୁ ବିଶ୍ବବିଦ୍ୟାଳୟ ତରଫରୁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ବିଶ୍ବବିଦ୍ୟାଳୟର କୁଳ ସଚିବ ରଞ୍ଜନ କୁମାର ବିଶ୍ବାଳ ସୂଚନା ଦେଇଛନ୍ତି। ଡ. ରାୟ ଓଡ଼ିଆ ଭାଷାରେ ଅନେକ ଚର୍ଚ୍ଚିତ ପୁସ୍ତକ ରଚନା କରିବା ସହ ସେସବୁକୁ ଅନ୍ୟଭାଷାରେ ଅନୁବାଦ କରିଛନ୍ତି।

2000 ମସିହାରେ ପଦ୍ମଶ୍ରୀ ଓ ସାହିତ୍ୟ ଏକାଡେମୀ ଏବଂ 2011 ରେ ତାଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରତିଷ୍ଠା ଦିବସ ସମାରୋହରେ ଡ. ରାୟ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପାରନ୍ତି ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶ୍ରୀମତୀ ରାୟ ତାଙ୍କର ଯାଜ୍ଞସେନୀ (1985) ପୁସ୍ତକ ଲାଗି 1990 ମସିହାରେ ଶାରଳା ପୁରସ୍କାର ଓ ‘ଯାଜ୍ଞସେନୀ’ ଉପନ୍ୟାସ ପାଇଁ 2011 ମସିହାରେ ଭାରତୀୟ ଜ୍ଞାନପୀଠ ପୁରସ୍କାର ପାଇଥିଲେ। ଏହା ବ୍ୟତୀତ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସାରଳା ପୁରସ୍କାର, ଓଡିଶା ଲିଭିଂ ଲିଜେଣ୍ଡ ପୁରସ୍କାର ଆଦି ଏକାଧିକ ସମ୍ମାନ ଲାଭ କରିଛନ୍ତି।ଏହା ସହ ଜ୍ଞାନପୀଠ ସିଲେକ୍ସନ ବୋର୍ଡର ଅଧ୍ୟକ୍ଷ୍ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଗତ ବର୍ଷ କବି ମନୋଜ ଦାସଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା

Spread the love