ପ୍ରଦୀପଙ୍କୁ ନେଇ ଥମୁନି ଚର୍ଚ୍ଚା, ବିଜେଡ଼ି ଅପ୍‌ସନ ଏବେ ବି ଖୋଲା !

ନବରଙ୍ଗପୁର ୦୧।୦୯ : ବିଜେଡିକୁ ଡେଇଁବେ କି କଂଗ୍ରେସର ଟାଣୁଆ ନେତା ତଥା ପିପିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି? ଏହାକୁ ନେଇ ଜିଲ୍ଲାରେ ପୁଣି ଆରମ୍ଭ ହୋଇଯାଇଛି ନାନା କଳ୍ପନାଜଳ୍ପନା । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଦୀପଙ୍କ ବିଷୟକୁ ନେଇ ଆଲୋଚନା ହୋଇଛି ଓ ଆନୁଷ୍ଠାନିକ କାର୍ଯ୍ୟକାରୀ ହେବା ବାକି ରହିଛି ବୋଲି ଚର୍ଚ୍ଚା ହେଉଛି । ପ୍ରଦୀପଙ୍କ ଅନେକ ସମର୍ଥକ ଏହି ଖବର ସତ୍ୟ ବୋଲି କହୁଛନ୍ତି । ପ୍ରଦୀପଙ୍କ ବାପା ଭଗବାନ ମାଝି ରାଜନୀତି ଜୀବନ ବିଜୁବାବୁଙ୍କଠାରୁ ଆରମ୍ଭ କରିଥିଲେ । ଏଣୁ ଚର୍ଚ୍ଚା ମିଛ ହୋଇନପାରେ ବୋଲି ରାଜନୀତି ମହଲରୁ ଶୁଣିବାକୁ ମିଳୁଛି ।

କଂଗ୍ରେସ ଜିଲ୍ଲା ସଭାପତି ମୁନ୍ନା ତ୍ରିପାଠୀଙ୍କୁ ପଚାରିବାରୁ ପ୍ରସଙ୍ଗକୁ ନେଇ ସେ ପ୍ରଦୀପଙ୍କ ସହ ଆଲୋଚନା କରିନଥିବା କହିଛନ୍ତି । ଏଭଳି ସସ୍‌ପେନ୍ସ ଉପରୁ ପରଦା ହଟୁନଥିବାବେଳେ ତୃଣମୂଳସ୍ତରର କର୍ମୀମାନେ ପ୍ରଦୀପଙ୍କୁ ଫୋନ୍‌ କରି ନୟାନ୍ତ କରୁଥିବା ଜଣାପଡ଼ିଛି । ଫୋନକଲ୍‌ଗୁଡ଼ିକୁ କୌଣସି ସ୍ପଷ୍ଟ ଉତ୍ତର ଦେଇ ନପାରି ଥକିଗଲିଣି ବୋଲି ପ୍ରଦୀପ ନିଜେ କହିଛନ୍ତି । ବିଜେଡି ଜିଲ୍ଲା ସଭାପତି ତଥା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ବି ପ୍ରସଙ୍ଗକୁ ନେଇ ଅନ୍ଧାରରେ ରହିଛନ୍ତି । ସେ ଖାଲି ଶୁଣୁଥିବା କହିଛନ୍ତି । ପ୍ରସଙ୍ଗକୁ ପ୍ରଦୀପ ଦୃଢ଼ତାର ସହ ଖଣ୍ଡନ କରୁ ନଥିବାରୁ ଜିଲ୍ଲାବାସୀଙ୍କ ମନରେ ସନ୍ଦେହ ବଢ଼ିବାରେ ଲାଗିଛି ।

ପ୍ରଦୀପଙ୍କ ବାପା ଭଗବାନ ମାଝି ନିଜ ରାଜନୀତି ଜୀବନ ବିଜୁବାବୁଙ୍କଠାରୁ ଆରମ୍ଭ କରିଥିଲେ । ବିଜୁବାବୁ ଭଗବାନଙ୍କୁ ଜନତା ଦଳରୁ ୧୯୯୪ରେ ରାଜ୍ୟସଭାକୁ ପଠାଇଥିଲେ । ପରବର୍ତ୍ତୀ ସମୟରେ ଭଗବାନ କଂଗ୍ରେସରେ ସାମିଲ ହୋଇଥିଲେ । କିନ୍ତୁ ପ୍ରଦୀପ କଂଗ୍ରେସରୁ ନିଜ ରାଜନୀତି ଆରମ୍ଭ କରିଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପରେ ସେ ସିଧାସଳଖ ୨୦୦୯ରେ ନବରଙ୍ଗପୁର ସାଂସଦ ନିର୍ବାଚିତ ହୋଇଥିଲେ । ପରେ ଦୁଇ ଥର ନିର୍ବାଚନରେ ପରାଜୟ ହୋଇଥିଲେ । ରାଜନୀତି ଜୀବନରେ ସଂଘର୍ଷ କରି କେବଳ ଅବିଭକ୍ତ କୋରାପୁଟ ନୁହେଁ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିଛନ୍ତି । ରାଜ୍ୟସ୍ତରର ଜଣେ ଦକ୍ଷନେତା ଭାବେ ନିଜ ସ୍ଥାନ ଏବେ ବି ବଜାୟ ରଖିଛନ୍ତି । ପ୍ରଦୀପ ବିଜେଡିରେ ସାମିଲ ହେବା ଥୟ ବୋଲି ଆଶଙ୍କା ପ୍ରକାଶ ପାଉଥିଲେ ହେଁ କେବେ ଏଥିରୁ ପରଦା ହଟିବ ତାହାକୁ ଜିଲ୍ଲା ତଥା ରାଜ୍ୟବାସୀ ଚାହିଁ ରହିଛନ୍ତି ।

Spread the love