ଭିସୁଟ୍ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ଘଟଣା: ପ୍ରୀତିମାନଙ୍କ ନାର୍କୋ ଟେଷ୍ଟ ସମ୍ଭାବନା

ଭୁବନେଶ୍ବର: ଭିସୁଟ୍ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁକୁ ନେଇ ଏକ ନୂଆ କଥା ଏବେ ଚର୍ଚ୍ଚାରେ ରହିଛି। ତାହା ହେଲା କି ଚିନ୍ମୟୀଙ୍କ ପୁରୁଷବନ୍ଧୁ ପ୍ରୀତିମାନଙ୍କ ନାର୍କୋ ଟେଷ୍ଟ କରିପାରେ ପୁଲିସ୍। କୁହାଯାଉଛି ଯେ ପ୍ରୀତିମାନଙ୍କ ସତମିଛ ପରୀକ୍ଷା କରାଯିବା ପରେ ନାର୍କୋ ଟେଷ୍ଟର ସମ୍ଭାବନା ବଢ଼ିଛି। ଏଣେ ଇତିମଧ୍ୟରେ ୫ ଦିନ ବିତି ଯାଇଥିଲେ ମଧ୍ୟ ଚିନ୍ମୟୀଙ୍କ ମୃତ୍ୟୁର କାରଣ ପୁଲିସ୍ ଜାଣିପାରିନାହିଁ। ପ୍ରୀତିମାନ ଓ ଚିନ୍ମୟୀଙ୍କ ପରିବାର, ଚିନ୍ମୟୀ ରହୁଥିବା ଘରମାଲିକ ଏବଂ ଜଣଙ୍କ ପରେ ଜଣେ ସହପାଠୀଙ୍କୁ ପୁଲିସ୍ ଜେରା କରିଛି। ମୋବାଇଲ୍ କଲ୍ ରେକର୍ଡ ଓ ସୋସିଆଲ୍ ମିଡିଆ ମେସେଜ୍ଗୁଡ଼ିକୁ ବି ଟିକିନିଖି ଯାଞ୍ଚ କରୁଛି। ପ୍ରୀତିମାନଙ୍କ ଉପରେ ପୁଲିସ୍ର ଅଧିକ ସନ୍ଦେହ ଥିବାରୁ ଆଜି ଭୁବନେଶ୍ବରସ୍ଥିତ ଏସ୍ଏଫ୍ଏସ୍ଏଲ୍ଠାରେ ତାଙ୍କର ଓ ମାନସ ଟୁଡୁଙ୍କ ମିଛ ଧରା ପରୀକ୍ଷା କରାଯାଇଛି।
ଶୁକ୍ରବାର ବିଳମ୍ବିତ ରାତିରେ ବୁର୍ଲା ପୁଲିସର ଏକ ଟିମ୍ ଉଭୟଙ୍କୁ ନେଇ ଭୁବନେଶ୍ବରରେ ପହଞ୍ଚିଥିଲା। ଏହାପରେ ଗତକାଲି ଏସ୍ଏଫ୍ଏସ୍ଏଲ୍ଠାରେ ପ୍ରାୟ ୪ଘଣ୍ଟା ଧରି ଉଭୟଙ୍କୁ ୫୦ରୁ ଅଧିକ ପ୍ରଶ୍ନ ପଚରା ଯାଇଥିଲା। ଘଟଣାସ୍ଥଳରେ କିଏ କିଏ ଥିଲେ, ଚିନ୍ମୟୀ ନିଜେ ଡେଇଁଥିଲେ କି ତାଙ୍କୁ କେହି ଧକ୍କା ଦେଇଥିଲା, ଚିନ୍ମୟୀଙ୍କ ସହ କି’ ସମ୍ପର୍କ ଥିଲା ଆଦି ପ୍ରଶ୍ନ ଉଭୟଙ୍କୁ ପଚରାଯାଇଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ରବିବାର ସଂଧ୍ୟା ସୁଦ୍ଧା ଏହି ମିଛଧରା ପରୀକ୍ଷାର ରିପୋର୍ଟ ଆସିଯିବ ବୋଲି ସମ୍ବଲପୁର ଅତିରିକ୍ତ ଏସ୍ପି ତପନ ମହାନ୍ତି କହିଛନ୍ତି। ସେହିପରି ଡାଏଟମ୍ ଓ ଭିସେରା ରିପୋର୍ଟ ଆଉ ୩-୪ ଦିନରେ ଆସିପାରେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ଅପରପକ୍ଷେ, ଶୁକ୍ରବାର ଚିନ୍ମୟୀଙ୍କ ରୁମ୍ରୁ ପୁଲିସ ଜବତ କରିଥିବା ଲାପ୍ଟପ୍, ହାର୍ଡଡିସ୍କ, ପେନ୍ଡ୍ରାଇଭ୍, ଡାଏରିକୁ ଲ୍ୟାବ୍କୁ ପଠାଇଥିବା ଜଣାପଡ଼ିଛି।

Spread the love