ପ୍ରେମ ଲେଖିଦେଲି ତୋ ନାଁରେ’ର ଶୁଭ ମହୁରତ ଅନୁଷ୍ଠିତ

ଭୁବନେଶ୍ୱର ୧୦/୦୭: ‘ପ୍ରେମ ଲେଖିଦେଲି ତୋ ନାଁରେ’ ଓଡ଼ିଆ ସିନେମାର ଶୁଭ ମହୁରତ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ଆର୍ଯ୍ୟ ପ୍ୟାଲେସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ କଳାକାର ଯୋଗ ଦେଇଥିଲେ। ଆଜି ଏହାର ଶୁଭ ମହୁରତ ହେବା ସହ ଅଗଷ୍ଟ ପ୍ରଥମ ସପ୍ତାହରୁ ସୁଟିଂ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ସୂଚନା ଦେଇଛି। ଏଥିରେ ନୂଆ ଯୋଡି ଭାବେ ପ୍ରେମ୍‌, ସୁସ୍ମିତା ନଜର ଦେଖିବାକୁ ମିଳିବେ। ଏମାନଙ୍କ ସହ ପୂଜା, ଆଶୁତୋଷ, ରବି ମିଶ୍ର, ଦେବଦତ୍ତ, ତପସ୍ୱିନୀ ପ୍ରମୁଖ ଅଭିନୟ କରିଛନ୍ତି।

ସତ୍ୟ ନାରାୟଣ ସାହୁ ସିନେମାରେ ନୂଆକରି ନିର୍ଦ୍ଦେଶନା ଦେଇଥିବା ବେଳେ ଟୁଟୁ ନାୟକ ନୂଆ କରି ପ୍ରଯୋଜନା ଭାର ତୁଲାଇଛନ୍ତି। ସେହିପରି ‘ନନ୍ଦିନୀ ଆଇ ଲଭ ୟୁ’, ‘ମିତରେ ମିତ’ ଭଳି ଅନେକ ସୁପରହିଟ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଥିବା ପ୍ରଶାନ୍ତ ପାଢ଼ୀ ଏହି ସିନେମାରେ ସଂଗୀତକୁ ସଜାଇଛନ୍ତି। ଓଲିଉଡର ସୁପରହିଟ ଯୋଡି ବିନି ପଟ୍ଟନାୟକ ଓ ସଚ୍ଚିକାନ୍ତ ଜେନା ଏହି ସିନେମାରେ ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି।

ଏହା ପୂର୍ବରୁ ସୁନ୍ଦରଗଡ଼ର ‘ସଲମନ୍ ଖାନ୍’, ‘ଝିଅଟା ବିଗିଡ଼ି ଗଲା’ ଓ ‘ବଜରଙ୍ଗୀ’ ଭଳି ଅନେକ ସୁପରହିଟ୍ ଚଳଚ୍ଚିତ୍ର ମୁନ୍ ଟିଭି ମୁଭିଜ୍ ଓଡ଼ିଶାର ଦର୍ଶକମାନଙ୍କୁ ଭେଟି ଦେଇଛି। ଏଥିରେ ଲୁବୁନ-ଟୁବୁନ କୋରିଓଗ୍ରାଫି କରୁଥିବା ବେଳେ ପ୍ରଣୟ ଜେଠୀ କ୍ରିଏଟିଭ ହେଡ ରହିଛନ୍ତି।  ଏହି କାର୍ଯ୍ୟକ୍ରମରେ ସମାଜସେବୀ ଶଶୀ କୁମାର ସାହୁ, ମହୁରତ କ୍ଲାପ୍ ଦେଇଥିଲେ। ତାଙ୍କ ସହ ପ୍ରଯୋଜକ ଟୁଟୁ ନାୟକ, ଅତିସ କୁମାର ରାଉତ, ରମେଶ ବାରିକ, ଶ୍ରୀଧର ମାର୍ଥା, ସଂଳାପକାର ଡକ୍ଟର ରଜନୀ ରଞ୍ଜନ ଓ ନିର୍ଦ୍ଦେଶକ ଅବତାର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Spread the love