ସ୍ୱାବଲମ୍ବୀ କଲା କାଗଜ ଡଙ୍ଗା

ପୁରୀ: ରାତି ପାହିଲେ କାର୍ତ୍ତିକପୂର୍ଣ୍ଣିମା । ସେଥିପାଇଁ ବଜାରରେ ବିଭିନ୍ନ ପ୍ରକାରର ହାତ ତିଆରି ଡଙ୍ଗା ବିକ୍ରୀ ହେଉଛି । ଆଉ ଏହି କାଗଜ ଡଙ୍ଗା ଦେଇଛି ରୋଜଗାର । ଗାଁର ମହିଳାମାନେ ଫୁରସତ ସମୟରେ କିଭଳି ଆତ୍ମନିର୍ଭରଶୀଳ ହୋଇପାରନ୍ତି ତାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡା ବ୍ଲକ ଅଧୀନ ସାଇଁସ ପଞ୍ଚାୟତ ଅନ୍ତର୍ଗତ ତୋରିହଁ ବନ୍ଧ ଗ୍ରାମରେ । 

ଗାଁର କିଛି ମହିଳା ଆତ୍ମନିର୍ଭରଶୀଳ ହେବା ଉଦ୍ଦେଶ୍ୟରେ 10 ବର୍ଷ ତଳେ ଗଠନ କରିଥିଲେ ଗୋପବନ୍ଧୁ ସ୍ୱୟଂ ସହାୟକ ଗୋଷ୍ଠୀ । କାଗଜ ଡଙ୍ଗାର ଚାହିଦା ଓ ଗ୍ରାହକମାନଙ୍କ ଆବଶ୍ୟକତାକୁ ଦେଖି ଗୋଷ୍ଠୀର ମହିଳାମାନେ ନିଜେ ଏହାକୁ ତିଆରି କରିବା ପାଇଁ ମନ ବଳାଇଥିଲେ । ପାରିବାରିକ ଜଞ୍ଜାଳରୁ ସମୟ ବାହାର କରି କାର୍ଟୁନ, ପଞ୍ଚରଙ୍ଗି କାଗଜ, ଜମ୍ବୁରା ଏବଂ ରଦ୍ଦି କାଗଜକୁ ବ୍ୟବହାର କରି ସୁନ୍ଦର ସୁନ୍ଦର ଡ଼ଙ୍ଗା ନିର୍ମାଣ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।

ଗୋଷ୍ଠୀର ସଦସ୍ୟମାନେ ଏକତ୍ରିତ ହୋଇ 1 ନମ୍ବର ଠାରୁ 10 ନମ୍ବର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଡ଼ଙ୍ଗା ନିର୍ମାଣ କରୁଛନ୍ତି । ଏହାକୁ ବିକ୍ରୀ ପାଇଁ ସେମାନେ ବଜାରକୁ ପଠେଇଥାନ୍ତି  । ଏମାନଙ୍କ ହାତ ତିଆରି ଡ଼ଙ୍ଗା ଏବେ କଟକ, ପୁରୀ, ଭୁବନେଶ୍ୱର ଓ ଖୋର୍ଦ୍ଧା ଆଦି ଅଞ୍ଚଳକୁ ବିକ୍ରୀ ପାଇଁ ଯାଉଛି I ବେପାରୀମାନେ ଏହାକୁ ଆସି ବ୍ୟବସାୟ ପାଇଁ ବି ନେଉଛନ୍ତି I ଏହା ଦ୍ୱାରା ସେମାନେ ନିଜ ପରିଶ୍ରମ ମୁତାବକ ପାରିଶ୍ରମିକ ପାଇ ଆଜି ନିଜ ଗୋଡ଼ରେ ଠିଆ ହୋଇପାରିଛନ୍ତି । କାଗଜ ଡ଼ଙ୍ଗା ମହିଳାଙ୍କୁ ଦେଇଛି ରୋଜଗାର । ନିଜ ସମୟ ବାହାର କରି ମହିଳା ମାନେ କାଗଜଡ଼ଙ୍ଗା ତିଆରି କରି ହୋଇପାରିଛନ୍ତି ସ୍ୱାବଲମ୍ବୀ ।

Spread the love