ରାଷ୍ଟ୍ରପତିଙ୍କ ପାଇଁ ଫୁଡ୍ ମେନ୍ୟୁ, ଖାଇବେ ତିନି ପ୍ରକାର ପିଠା ଓ ୧୪ ପ୍ରକାରର ବ୍ୟଞ୍ଜନ

ପୁରୀ ୧୦/୧୧: ପୁରୀରେ ମହାମହିମ ରାଷ୍ଟ୍ରପତି । ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହାପରେ ରାଜଭବନରେ ଯାଇ ମହାପ୍ରସାଦ ସେବନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରସ୍ତୁତି ସରିଛି । ସକାଳ ଧୂପରେ ପ୍ରସ୍ତୁତ ହୋଇଛି ତିନି ପ୍ରକାର ପିଠା ଓ ୧୪ ପ୍ରକାର ବ୍ୟଞ୍ଜନ ।

କାନ୍ତି ପିଠା, ଝିଲି, ମାଛପୋଳି, ଘିଅ ଅନ୍ନ, ଅଦା ହେଙ୍ଗୁ ଫାଳ ମୁଗ ଖେଚୁଡି, ମିଷ୍ଟା ଅନ୍ନ, ମିଠା ଡାଲି, ଡାଲମା, ମଞ୍ଜା କଖାରୁ ଫୁଲ ବେଶର, ସନ୍ତୁଳା, ଫାଳ ସୋଲା ମହୁର, ପୋଟଳ ଗ୍ରେଭି, ତଡକା, ଛେନାବଡି ରସା, ସାଗମୁଗ, ସପୁରୀ ଜେଲି ଖଟା, ରାଇତା ଇତ୍ୟାଦି ସେବନ କରିବେ ରାଷ୍ଟ୍ରପତି ।

ପୁରୀରୁ ଭୁବନେଶ୍ୱର ଫେରିବା ପରେ ରାଜଭବନରେ ରାଷ୍ଟ୍ରପତିଙ୍କ ରାତ୍ରିଭୋଜନ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ରାତ୍ରିଭୋଜନରେ ରାଷ୍ଟ୍ରପତିଙ୍କୁ ପରଷା ଯିବ ଭଳିକିଭଳି ଓଡ଼ିଆ ଖାଦ୍ୟ । ଏଥିପାଇଁ ପ୍ରସ୍ତୁତ ହୋଇଛି ମେନ୍ୟୁ । ଷ୍ଟେଟ୍‌ ବାନ୍‌କ୍ୟୁଏଟ୍‌ରେ ରାଷ୍ଟ୍ରପତିଙ୍କୁ ଭାତ, ରୁଟି, ଡାଲି, ଡାଲ୍‌ମା, ପୋଟଳ ତରକାରୀ, ଛେନା ତରକାରୀ, ମିକ୍ସ ତରକାରୀ, ସନ୍ତୁଳା, ଭଜା ଆଦି ପରଷାଯିବ ।

ଏହା ସାଙ୍ଗକୁ ମଣ୍ଡା ପିଠା, ପୋଡ଼ ପିଠା ସହ ମିଠା ଖାଇବେ ରାଷ୍ଟ୍ରପତି । ଏହି ଅବସରରେ ତାଙ୍କ ସହ ରାତ୍ରିଭୋଜନ କରିବେ ୫୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତି । ରାଜନୈତିକ ଦଳର ମୁଖ୍ୟ, ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ଭୋଜନରେ ସାମିଲ ହେବେ । ପରଦିନ ସକାଳ ଜଳଖିଆ ରାଜଭବନରେ କରିବେ ।

Spread the love