ଇବ୍ରାହିମ ରଇସି ଇରାନର ରାଷ୍ଟ୍ରପତି ହେବା ମାତ୍ରେ ଇସ୍ରାଏଲର ଧମକ, ପ୍ରଧାନମନ୍ତ୍ରୀ ନଫତାଲି ବେନେଟ୍ କହିଲେ…

ତେହେରାନ ୨୧।୦୬: ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖମେନେଇଙ୍କ ଘନିଷ୍ଠ ଇବ୍ରାହିମ ରଇସି ରାଷ୍ଟ୍ରପତି ହେବା ପରେ ଲାଗୁଥିଲା, ଏବେ ସରକାରରେ କଠୋରପନ୍ଥୀଙ୍କ ସ୍ଥିତି ମଜବୁତ ହେବ। ମାତ୍ର ଏହା ଆଶା କରାଯାଇନଥିଲା ଯେ, ଇସ୍ରାଏଲ ଏତେ ଶୀଘ୍ର ଇରାନ ବିରୋଧରେ ସାମ୍ନାକୁ ଆସିବ ଆଉ ବିଶ୍ଵ ସମୁଦାୟକୁ ଚେତାବନୀ ଦେବ।

ରଇସି ରାଷ୍ଟ୍ରପତି ହେବା ମାତ୍ରେ ଏବେ ଧମକ ଚମକ ପର୍ବ ଆରମ୍ଭ  ହୋଇ ଯାଇଛି। ଏହି କ୍ରମରେ ଇସ୍ରାଏଲର ନୂତନ ପ୍ରଧାନମନ୍ତ୍ରୀ ନଫତାଲି ବେନେଟ ଇରାନ ସହିତ ଆଣବିକ ଚୁକ୍ତି ଉପରେ ଆଲୋଚନା କରୁଥିବା ଆମେରିକା ଓ ଅନ୍ୟ ଦେଶଗୁଡିକୁ ଚେତାବନୀ ଦେଇଛି। ବେନେଟ୍ କହିଛନ୍ତି, ଏହା ବିଶ୍ଵ ଶକ୍ତିଙ୍କ ପାଇଁ ଜାଗ୍ରତ ହେବାର ଅନ୍ତିମ ସୁଯୋଗ। କାରଣ ଇରାନର ସୁପ୍ରିମୋ ଅୟାତୁଲ୍ଲା ଅଲି ଖମେନେଇଙ୍କ ଆଶ୍ରିତ ନୂତନ ରାଷ୍ଟ୍ରପତି ଇବ୍ରାହିମ ରଇସି ଦେଶରେ କ୍ରୁର ଜଲ୍ଲାଦ ଶାସନ ସ୍ଥାପନ କରିବେ।

କ୍ରୁର ଜଲ୍ଲାଦ ହେଉଛନ୍ତି ରଇସି

ବେନେଟ୍ କ୍ୟାବିନେଟ୍‌ରେ କହିଛନ୍ତି, ରଇସି ନିର୍ବାଚିତ ହେବା ସମଗ୍ର ଦୁନିଆର ପ୍ରମୁଖ ଦେଶ ଗୁଡିକୁ ପରମାଣୁ ଚୁକ୍ତିନାମା କରିବା ପୂର୍ବରୁ ପୁଣି ଥରେ ବିଚାର କରିବାର ଅନ୍ତିମ ସୁଯୋଗ। ବିଶ୍ଵର ପ୍ରମୁଖ ଦେଶଗୁଡିକୁ ଏହା ମଧ୍ୟ ଜାଣି ନେବା ଉଚିତ୍ ଯେ, ସେମାନେ ପରମାଣୁ ଉପରେ କାହା ସହ ଆଲୋଚନା କରିବାକୁ ଯାଉଛନ୍ତି। କ୍ରୁର ଜଲ୍ଲାଦ ଶାସନକୁ ବ୍ୟାପକ ବିନାଶକାରୀ ମାରଣାସ୍ତ୍ର ହାସଲ କରିବାକୁ ଅନୁମତି କେବେ ବି ଦେବା ଉଚିତ୍ ନୁହେଁ। ବେନେଟ୍ କହିଛନ୍ତି, ଏହି ପ୍ରସଙ୍ଗରେ ଇସ୍ରାଏଲର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆସିବ ନାହିଁ।

ଏହା ପୂର୍ବରୁ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ ୨୦୧୫ରେ ହୋଇଥିବା ଐତିହାସିକ ପରମାଣୁ ରାଜିନାମା ପୁନର୍ବାର ଲାଗୁ କରିବା ନେଇ ରବିବାର ଇରାନ ଓ ଦୁନିଆର ପାଞ୍ଚ ଶକ୍ତିଶାଳୀର ଦେଶର ରାଷ୍ଟ୍ରଦୂତଙ୍କ ମଧ୍ୟରେ ଆଲୋଚନା ହୋଇଛି। ଇରାନରେ ଇବ୍ରାହିମ ରଇସ୍ ନିର୍ବାଚନ ଜିତିବା ପରେ ରବିବାର ଏହି ଧରଣର ପ୍ରଥମ ଆନୁଷ୍ଠନିକ ବୈଠକ କରିଛନ୍ତି।

ଇରାନ ସହ ପରମାଣୁ ରାଜିନାମା ଉପରେ ପାଞ୍ଚ ଦେଶର ଆଲୋଚନା

ବୈଠକରେ ଏହାକୁ ନେଇ ଚିନ୍ତା ପ୍ରକାଶ କରାଯାଇଛି ଯେ, ଇରାନର ନବ ନିର୍ବାଚିତ ରାଷ୍ଟ୍ରପତି ପରମାଣୁ ରାଜିନାମାକୁ ପୁନର୍ବାର ଲାଗୁ କରିବାରେ ବାଧା ଦେଇ ପାରନ୍ତି। ଚୀନ,  ଜର୍ମାନୀ, ଫ୍ରାନ୍ସ, ରୁଷ, ବ୍ରିଟେନ୍ ଓ ଇରାନର ବରିଷ୍ଠ ରାଜଦୂତ ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ଏକ ହୋଟେଲ୍‌ରେ ଷଷ୍ଠ ପର୍ଯ୍ୟାୟର ଆଲୋଚନା କ୍ରମରେ ଅନ୍ତିମ ବୈଠକ କରିଛନ୍ତି। ଏହି ବୈଠକର ଅଧ୍ୟକ୍ଷତା କରୁଥିବା ୟୁରୋପୀୟ ସଂଘର ଅଧିକାରୀ ଏନରିକ ମୋରା କହିଛନ୍ତି, ଆମେ ଏକ ରାଜିନାମାର ନିକଟତର ପହଞ୍ଚି ଯାଇଛୁ। ମାତ୍ର ଅଦ୍ୟାବଧି ଏହାକୁ ଅନ୍ତିମ ରୂପ ଦିଆଯାଇ ନାହିଁ। ଆମେ ରାଜିନାମାର ଅନେକ ବୈଷେୟିକ ଦିଗ ପ୍ରତି ବିସ୍ତୃତ ଆଲୋଚନା କରିଛୁ।

Spread the love