ବ୍ରହ୍ମାକୁମାରୀ କେନ୍ଦ୍ରରେ ରାଷ୍ଟ୍ରପତି: ଆଶ୍ରମ ତରଫରୁ ମଧ୍ୟାହ୍ନ ଭୋଜନ ପାଇଁ ହୋଇଛି ୧୯ ପ୍ରକାର ବ୍ଯଞ୍ଜନ ପ୍ରସ୍ତୁତି

ଭୁବନେଶ୍ୱର : ତିନି ଦିନିଆ ଓଡ଼ିଶା ଗସ୍ତରେ ମହାମହିମ ଦ୍ରୌପଦୀ ମୁର୍ମୁ। ରାଜଭବନରୁ ବାହାରି ତମାଣ୍ଡୋର ଦଶବାଟିଆ ବ୍ରହ୍ମାକୁମାରୀ ଆଶ୍ରମରେ ପହଞ୍ଚି ଡିଭାଇନ ଲାଇଟ ହାଉସର ଭିତ୍ତିପ୍ରସ୍ତର ଶିଳାନ୍ୟାସ କଲେ। ଏହି ପରିସରରେ ରାଷ୍ଟ୍ରପତି ବୃକ୍ଷ ରୋପଣ ମଧ୍ୟ କରିଛନ୍ତି। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗନେଶି ଲାଲ ମଧ୍ୟ ଯୋଗ ଦେଇଛନ୍ତି।

ଏଥିସହିତ ବ୍ରହ୍ମାକୁମାରୀ ଆଶ୍ରମ ତରଫରୁ ରାଷ୍ଟ୍ରପତିଙ୍କ ମଧ୍ୟାହ୍ନ ଭୋଜନ ପାଇଁ ୧୯ ପ୍ରକାର ବ୍ଯଞ୍ଜନ ପ୍ରସ୍ତୁତ ହୋଇଛି । ଲଞ୍ଚରେ ଭାତ, ଡାଲମା, ପୋଟଳ କୁର୍ମା, ପନିର, ଛତୁ, ଧନିଆ ଚଟଣୀ, ମିକ୍ସ ଭେଜ୍‌, ଆମ୍ବ ଖଟା ଆଦି ବ୍ଯଞ୍ଜନ ରହିଛି। ସେହିପରି କ୍ଷୀରି ଓ ସ୍ୱତନ୍ତ୍ର ଲଡୁ ମଧ୍ୟ ରହିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶାକାହାରୀ ଖାଦ୍ୟ ଗ୍ରହଣ କରିଥାନ୍ତି । ବିନା ପିଆଜ ରସୁଣର ସାତ୍ତ୍ୱିକ ଭୋଜନ ତାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ।

ଗତକାଲି କଟକରେ ମାରାଥନ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମହାମହିମ୍‌। ଆଜି ଭୁବନେଶ୍ୱରରେ କାର୍ଯ୍ୟକ୍ରମ ସାରି ଆଜି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ୍‌। ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଦ୍ରୌପଦୀ ମୁର୍ମୁଙ୍କର ଏହା ତୃତୀୟ ଓଡ଼ିଶା ଗସ୍ତ। ଫେବୃଆରୀ ୧୦ ଓ ୧୧ ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶା ଆସି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Spread the love