ରାଷ୍ଟ୍ରପତିଙ୍କ ସ୍ବାକ୍ଷର ପରେ ଆଇନରେ ପରିଣତ ହେଲା ମହିଳା ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ଅଧିନିୟମ)କୁ ଅନୁମୋଦନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ବିଲ୍ ସେପ୍ଟେମ୍ବର ୨୦ରେ ଲୋକସଭାରେ ଏବଂ ସେପ୍ଟେମ୍ବର ୨୧ରେ ରାଜ୍ୟସଭାରେ ପାରିତ ହୋଇଥିଲା। ସଂସଦର ଉଭୟ ଗୃହ ଦ୍ବାରା କୌଣସି ବିଲ୍ ପାରିତ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଏ, ଯାହା ଦ୍ବାରା ଏହା ଏକ ଆଇନରେ ପରିଣତ ହୋଇପାରିବ। ଏହି ଆଇନ କାର୍ଯ୍ୟକାରୀ ହେବା ପରେ ଲୋକସଭା ତଥା ରାଜ୍ୟସଭାରେ ମହିଳାମାନେ ୩୩ପ୍ରତିଶତ ସଂରକ୍ଷଣ ପାଇବେ। ସଂସଦରେ ଏହି ବିଲ୍ ପାରିତ ହେବାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ, ଲିଙ୍ଗଗତ ନ୍ୟାୟ ପାଇଁ ଏହା ଆମ ସମୟର ସବୁଠାରୁ ପରିବର୍ତ୍ତନଶୀଳ ବିପ୍ଳବ ହେବ। ତେବେ ଏହି ବିଲ୍ ଆଇନରେ ପରିଣତ ହୋଇଥିଲେ ବି ୨୦୨୬ ପରେ ଜନଗଣନା ଏବଂ ପରବର୍ତ୍ତୀ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ପରେ ହିଁ କାର୍ଯ୍ୟକାରୀ ହେବ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ନେତୃତ୍ୱାଧୀନ ୟୁନାଇଟେଡ୍ ଫ୍ରଣ୍ଟ ସରକାରଙ୍କ ଦ୍ବାରା ସେପ୍ଟେମ୍ବର ୧୨, ୧୯୯୬ରେ ୮୧ତମ ସଂଶୋଧନ ବିଲ୍ ଭାବରେ ଲୋକସଭାରେ ଏହି ବିଧେୟକ ଆଗତ କରାଯାଇଥିଲା। ତେବେ ଏହି ବିଲ୍ ଗୃହରେ ପାରିତ ହେବାରେ ବିଫଳ ହୋଇଥିଲା ଏବଂ ଲୋକସଭା ଭାଙ୍ଗିଯିବା ପରେ ଏହି ବିଲ୍‌ ଅଚଳ ହୋଇଯାଇଥିଲା। ଏହାର ଦୁଇ ବର୍ଷ ପରେ, ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ୧୯୯୮ରେ ଦ୍ୱାଦଶ ଲୋକସଭାରେ ଏହି ବିଲ୍‌କୁ ଆଗକୁ ବଢ଼ାଇଥିଲେ। ତେବେ ସେତେବେଳେ ମଧ୍ୟ ବିଲ୍ ସମର୍ଥନ ପାଇବାରେ ବିଫଳ ହେଲା ।

ଏହା ପରବର୍ତ୍ତୀ ସମୟରେ ବାଜପେୟୀ ସରକାରଙ୍କ ଅଧୀନରେ ୧୯୯୯, ୨୦୦୨ ଏବଂ ୨୦୦୩ରେ ପୁନଃ ଉପସ୍ଥାପିତ ହୋଇଥିଲା, କିନ୍ତୁ ଏହାର ଭାଗ୍ୟ ଖୋଲିନଥିଲା। ପ୍ରାୟ ପାଞ୍ଚବର୍ଷ ପରେ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ଉପା-୧ ସରକାର ସମୟରେ ମହିଳା ସଂରକ୍ଷଣ ବିଲ୍ ପୁନର୍ବାର ଆଗତ ହୋଇଥିଲା। ଏହି ବିଲ୍ ରାଜ୍ୟସଭାରେ ୬ ମଇ ୨୦୦୮ରେ ପୁନଃ ଉପସ୍ଥାପିତ ହୋଇଥିଲା ଏବଂ ମେ ୯, ୨୦୦୮ରେ ସ୍ଥାୟୀ କମିଟି ନିକଟକୁ ପଠାଯାଇଥିଲା। ଡିସେମ୍ବର ୧୭, ୨୦୦୯ରେ ସ୍ଥାୟୀ କମିଟି ଏହାର ରିପୋର୍ଟ ଉପସ୍ଥାପନ କରିଥିଲା। ଫେବ୍ରୁଆରି ୨୦୧୦ରେ ଏହା କେନ୍ଦ୍ର କ୍ୟାବିନେଟରୁ ଅନୁମୋଦନ ପ୍ରାପ୍ତ କଲା। ମହିଳା ସଂରକ୍ଷଣ ବିଲ୍ ଶେଷରେ ମାର୍ଚ୍ଚ ୯, ୨୦୧୦ରେ ୧୮୬-୧ ଭୋଟ୍ ସହିତ ରାଜ୍ୟସଭାରେ ପାରିତ ହୋଇଥିଲା। ତଥାପି, ଏହା ଲୋକସଭାରେ ଗୃହୀତ ହୋଇପାରି ନ ଥିଲା ଏବଂ ଶେଷରେ ୨୦୧୪ରେ ଲୋକସଭା ଭଙ୍ଗ ସହ ପୁଣି ଥରେ ନିଷ୍କ୍ରିୟ ହୋଇଯାଇଥିଲା ।

Spread the love