ଏକ୍ସପ୍ରେସ୍‌ ଟ୍ରେନ୍ ଉଦଘାଟନ ପରେ ରେଳରେ ବାଦାମପାହାଡ଼ରୁ ରାଇରଙ୍ଗପୁର ଯାତ୍ରା କରିବେ ରାଷ୍ଟ୍ରପତି

ରାଇରଙ୍ଗପୁର/ସମ୍ବଲପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଆସନ୍ତା ୨୦ ତାରିଖରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ୨୦ ନଭେମ୍ବର ରାଷ୍ଟ୍ରପତି ଭବନରୁ ଦିଲ୍ଲୀ ବିମାନବନ୍ଦରରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ପଡ଼ୋଶୀ ପଶ୍ଚିମବଙ୍ଗର କଲେଇକୁଣ୍ଡା ବିମାନବନ୍ଦର ପହଞ୍ଚିବେ। ସେଠାରୁ ଏକ ହେଲିକେପ୍ଟର ଯୋଗେ ଅପରାହ୍ନ ୧.୫୫ ମିନିଟରେ ବାରିପଦା ଅଭିମୁଖେ ବାହାରିବେ। ସେଠାରେ ସେ ସହିଦ୍ ସ୍ମୃତି ଭବନରେ ସାନ୍ତାଳୀ ଲେଖକ ସଂଘର ସମ୍ମିଳନୀ ଓ ସାହିତ୍ୟ ମହୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବେ। ଗସ୍ତର ଦ୍ବିତୀୟ ଦିନରେ ରାଷ୍ଟ୍ରପତି ୩ଟି ଏକ୍ସପ୍ରେସ୍‌ ଟ୍ରେନ୍‌ର ଶୁଭାରମ୍ଭ କରିବେ। ଏହି ଅବସରରେ ସେ ବାଦାମପାହାଡ଼ରୁ ରାଇରଂଗପୁର ଯାଏଁ ଟ୍ରେନ୍‌ରେ ଯାତ୍ରା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି।

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଓ ଜଳଶକ୍ତି ବିଭାଗର କେନ୍ଦ୍ରମନ୍ତ୍ରୀ ଇଂ ବିଶ୍ବେଶ୍ୱର ଟୁଡୁ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ମନ୍ତ୍ରୀ ସୁଦାମ ମାର୍ଣ୍ଣି, ଝାଡଖଣ୍ଡର ଝାଡ଼ଗ୍ରାମ ସାଂସଦ କୁଅଁର ହେମ୍ବ୍ରମ, ଚାଣକ୍ୟ ଚୌଧରୀ, ଲେଖକ ସଂଘର ଉପସଭାପତି ମଦନମୋହନ ସୋରେନ, ପଦ୍ମଶ୍ରୀ ଦମୟନ୍ତ୍ରୀ ବେଶ୍ରା, ପଦ୍ମଶ୍ରୀ କାଳିପଦ ସୋରେନ୍‌ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ ବୋଲି ସୂଚନା ମିଳିଛି। ବାରିପଦାରୁ ରାଷ୍ଟ୍ରପତି ସେଠାରୁ ହେଲିକ୍ୟାପଟର୍ ଯୋଗେ ରାଇରଙ୍ଗପୁର ଗସ୍ତ କରିବେ। ରାଇରଙ୍ଗପୁର ପହଂଚିବା ପରେ ମହୁଲଡିହାସ୍ଥ ଡାକବଙ୍ଗଳାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ ଏବଂ ସେଠାରେ ସେ ରାତ୍ରୀଯାପନ କରିବେ। ତାପର ଦିନ ସକାଳୁ ବାଦାମପାହାଡ ନିକଟସ୍ଥ ପାହାଡ଼ପୁର ପହଂଚି ଏଲଏଣ୍ଡଟି ଦ୍ୱାରା ନିର୍ମାଣ ହୋଇଥିବା ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଏବଂ ଏସଏଲଏସ୍ ଆବାସିକ ବିଦ୍ୟାଳୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ।

ବାଦାମପାହାଡ଼ ଗସ୍ତ କରି ଭିସି ମାଧ୍ୟମରେ ରାଇରଙ୍ଗପୁର ସବଡିଭିଜନାଲ ଡାକଘରକୁ ଡିଭିଜନାଲ୍ ଡାକଘର ରୂପାନ୍ତରିତ ଓ କୁଳିଅଣା ବ୍ଲକରେ ନବନିର୍ମିତ ଏକଲବ୍ୟ ଆବାସିକ ମଡେଲ ସ୍କୁଲର ଉଦଘାଟନ କରିବେ ରାଷ୍ଟ୍ରପତି ଉଦଘାଟନ କରିବେ ବୋଲି ସୂଚନା ମିଳିଛି । ଏହାପରେ ୩ଟି ନୂତନ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ଉଦଘାଟନ କରିବା ସହିତ ସେ ବାଦାମପାହାଡଠାରୁ ଟ୍ରେନରେ ଯାତ୍ରା କରି ରାଇରଙ୍ଗପୁର ଷ୍ଟେସନକୁ ପହଂଚିବେ। ଉକ୍ତ କାର୍ଯ୍ୟକ୍ରମ ସରିବା ପରେ ହେଲିକ୍ୟାପଟର୍ ଯୋଗେ ସମ୍ବଲପୁର ଗସ୍ତ କରିବେ ବୋଲି ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ସୂଚନା ଦେଇଛନ୍ତି। ସମ୍ବଲପୁରରେ ରାଷ୍ଟ୍ରପତି ନଭେମ୍ବର ୨୧ରେ ଭିସୁଟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଗସ୍ତରେ ଶେଷ ଦେିନରେ ଅର୍ଥାତ ନଭେମ୍ବର ୨୨ରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ।

Spread the love