ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ପହଞ୍ଚିଛନ୍ତି । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ସାଙ୍ଗରେ ଅଛନ୍ତି । ବିମାନ ବନ୍ଦରରୁ ସିଧାସଳଖ ଉତ୍କଳ ମଣ୍ଡପରେ ଆୟୋଜିତ ଜ୍ଞାନପ୍ରଭା ମିସନର ପ୍ରତିଷ୍ଠା ଦିବସରେ ଯୋଗଦେବେ । ପରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ଦେବେ ରାଷ୍ଟ୍ରପତି । ଦ୍ରୌପଦୀ ମୁର୍ମୁ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଥିଲେ । ତେଣୁ ତାଙ୍କ ଆଗମନକୁ ନେଇ ବିଶ୍ୱବିଦ୍ୟାଳୟ ଅଧ୍ୟାପକ, ଛାତ୍ରଛାତ୍ରୀ ବେଶ ଉତ୍ସାହିତ ଅଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ଆସନ୍ତାକାଲି ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିରକୁ ଠାକୁର ଦର୍ଶନ କରିବା ପାଇଁ ଯିବା କାର୍ଯ୍ୟସୂଚୀ ମଧ୍ୟ ରହିଛି । ଏହି ଗସ୍ତ ସମୟରେ ରାଷ୍ଟ୍ରପତିଙ୍କର ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ । ଦେଶର ପ୍ରଥମ ନାଗରିକ ତଥା ଶିକ୍ଷାନୁଷ୍ଠାନର ପୂରାତନ ଛାତ୍ରୀ ହୋଇଥିବାରୁ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି କର୍ତୃପକ୍ଷ । ରାଷ୍ଟ୍ରପତି ପହଂଚିବା ମାତ୍ରେ ଜାତୀୟ ସଙ୍ଗୀତ ପରିବେଷଣ କରିବେ ଛାତ୍ରଛାତ୍ରୀ । କୌଣସି ପ୍ରକାର ବ୍ୟାଣ୍ଡ କିମ୍ବା ମ୍ୟୁଜିକ୍ ବାଜିବ ନାହିଁ । ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରୀ ଯେପରି ଏହି ଉତ୍ସବ ଦେଖିପାରିବେ ସେଥିପାଇଁ ମଧ୍ୟ କର୍ତୃପକ୍ଷ ବ୍ୟବସ୍ଥା କରିଛନ୍ତି । ମଂଚକୁ ଆସିବାକୁ ଥିବା ସଦସ୍ୟମାନେ ବିଭିନ୍ନ ରଙ୍ଗର ଗାଉନ୍ ପିନ୍ଧିବେ । ସେହିପରି ସ୍ୱର୍ଣ୍ଣ ପଦକ ପାଇବାକୁ ଥିବା ଛାତ୍ରୀଙ୍କ ଲାଗି ଡ୍ରେସ୍କୋର୍ଡ କରାଯାଇଛି । ଦ୍ୱିତୀୟ ସମାବର୍ତନ ଉତ୍ସବରେ ଯୋଗଦେବା ପାଇଁ ରାଷ୍ଟ୍ରପତିଙ୍କ ୩୦ ଜଣ ସହପାଠୀଙ୍କୁ ନିମନ୍ତ୍ରଣ କରାଯାଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୋଗଦେବେ ବୋଲି ଜଣାପଡ଼ିଛି ।