ତିନି ଓଡ଼ିଆଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନାଗରିକ ସମ୍ମାନ ସମାରୋହରେ ଓଡ଼ିଶାର ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ସାହିତ୍ୟ ଓ ଶିକ୍ଷାକ୍ଷେତ୍ରରେ, ଡକ୍ଟର କ୍ରିଷ୍ଣା ପଟେଲଙ୍କୁ କଳାକ୍ଷେତ୍ରରେ ଏବଂ ବୈଦ୍ୟ ପଟାୟତ କୁମାର ସାହୁଙ୍କୁ କୃଷିକ୍ଷେତ୍ରରେ ଉତ୍କର୍ଷ ହାସଲ ଲାଗି ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଉଲ୍ଲେଖ ଥାଉ କି ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର ଜଣେ ପ୍ରତିଷ୍ଠିତ ଓଡ଼ିଆ ସାହିତ୍ୟିକ, ବିଶିଷ୍ଟ ସ୍ତମ୍ଭକାର ଏବଂ ଗବେଷକ। ସେ ପ୍ରାୟ ପାଞ୍ଚ ଦଶନ୍ଧି ଧରି ଓଡ଼ିଆ ଭାଷା, ବ୍ୟାକରଣ, ସଂସ୍କୃତି ଓ ଇତିହାସ ଅଧ୍ୟୟନରେ ଯୋଗଦାନ ଦେଇଆସୁଛନ୍ତି। ନିଜେ ଜଣେ ଦିବ୍ୟାଙ୍ଗ ହୋଇଥିବା ସତ୍ତ୍ୱେ, ସେ ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଦେବା ଲାଗି କ୍ରମାଗତ ଭାବେ ଭିନ୍ନ ଭିନ୍ନ ଗବେଷଣା ନିବନ୍ଧ ଓ ପୁସ୍ତକ ଲେଖିଛନ୍ତି। ଓଡ଼ିଆ ଭାଷା ଉପରେ ତାଙ୍କର ଅଧିକାଂଶ ବିଚାର, ଗବେଷଣା କାର୍ଯ୍ୟ ଏବଂ ରଚନା ଅନ୍ୟ ବୌଦ୍ଧିକ ଗବେଷଣା ବିଦ୍ୱାନ ଏବଂ ଓଡ଼ିଆ ପ୍ରେମୀଙ୍କ ଆଖି ଖୋଲିଦେଇଥିଲା।

ଡକ୍ଟର କ୍ରିଷ୍ଣା ପଟେଲ ଜଣେ ଲୋକପ୍ରିୟ ଏବଂ ବହୁମୁଖୀ ଲୋକଗାୟିକା। ସେ ୧୯୭୮ମସିହାରେ ନିଜର ସର୍ବାଦୃତ ସମ୍ବଲପୁରୀ ଗୀତ ‘ରଙ୍ଗବତୀରଙ୍ଗବତୀ’ ମାଧ୍ୟମରେ ସମ୍ବଲପୁରୀ ଲୋକ ସଙ୍ଗୀତକୁ ସାରା ବିଶ୍ୱରେ ଲୋକପ୍ରିୟ କରାଇପାରିଥିଲେ। ପ୍ରଭୁଦତ୍ତ ପ୍ରଧାନ ଏହି ଗୀତ ପାଇଁ ସଂଗୀତ ସଂଯୋଜନା କରିଥିବାବେଳେ ଜିତେନ୍ଦ୍ର ହରିପାଲ ଏବଂ କ୍ରିଷ୍ଣା କଣ୍ଠଦାନ କରିଥିଲେ। ଏହି ଗୀତ ପ୍ରଚାରିତ ହେବା ପରେ ଅସମ୍ଭବ ଲୋକପ୍ରିୟତା ଲାଭ କରିଥିଲା। ପ୍ରତିଟି ସାଂସ୍କୃତିକ କାର୍ଯ୍ୟକ୍ରମରେ ରଂଗବତୀ ଗାଇବା ପାଇଁ ଶ୍ରୋତାଙ୍କ ପ୍ରଥମ ଦାବି ରହୁଥିଲା। ସାରା ଓଡ଼ିଶା ଓ ଛତିଶଗଡ଼ରେ ବାହାଘର ଶୋଭାଯାତ୍ରା ହେଉ କି ମୂର୍ତ୍ତି ବିସର୍ଜନ ସବୁଠି ରଂଗବତୀ ଗୀତର ସର୍ବାଧିକ ଚାହିଦା ରହିଥିଲା। ୧୯୭୦ରେ ଆକାଶବାଣୀ ସମ୍ବଲପୁରରୁ ତାଙ୍କ ପ୍ରଥମ ଗୀତ ପ୍ରସାରିତ ହୋଇଥିଲା। କ୍ରିଷ୍ଣା ପଟେଲ୍ ଓଡ଼ିଶା ସଙ୍ଗୀତ ନାଟକ ସମ୍ମାନ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍‌ ସହିତ ଅନେକ ସମ୍ମାନ ପାଇଛନ୍ତି।

ସେହିପରି ପଟାୟତ କୁମାର ସାହୁ ପେସାରେ ଜଣେ ବୈଦ୍ୟ। ଆୟୁର୍ବେଦ ଔଷଧ ପ୍ରସ୍ତୁତ କରିବା ଏବଂ ଔଷଧୀୟ ବୃକ୍ଷରୋପଣ ପାଇଁ ସମଗ୍ର ପଶ୍ଚିମ ଓଡ଼ିଶାରେ ସେ ବିଶେଷ ଲୋକପ୍ରିୟ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ ନାନ୍ଦୋଲ ଗ୍ରାମର ଶ୍ରୀ ସାହୁ ବହୁ ବିଲୁପ୍ତ ଔଷଧୀୟ ବୃକ୍ଷ ଲଗାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ସେ ଚର୍ଚ୍ଚାକୁ ଆସିଥିଲେ। ସେ ଦେଢ଼ ଏକର ଜମିରେ ୩ ହଜାରରୁ ଅଧିକ ଔଷଧୀୟ ବୃକ୍ଷ ଲଗାଇଛନ୍ତି। ଏଥିରୁ ସେ ପ୍ରାୟ ୫୦୦ରୁ ଅଧିକ ପ୍ରଜାତିର ଔଷଧୀୟ ବୃକ୍ଷ ଦେଶର ବିଭିନ୍ନ ସ୍ଥାନରୁ ସଂଗ୍ରହ କରିଛନ୍ତି। ୪୦ ବର୍ଷ ପୂର୍ବେ ସେ ଔଷଧୀୟ ବୃକ୍ଷ ତାଙ୍କ ବଗିଚାରେ ଲଗାଇବା ଆରମ୍ଭ କରିଥିଲେ। ତାଙ୍କ ଜେଜେ ବାପା ଜଣେ ବୈଦ୍ୟ ଥିଲେ। ଜେଜେଙ୍କ ପ୍ରେରଣା ଯୋଗୁ ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା।

Spread the love