ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ଵର ପହଞ୍ଚିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ସମୟରେ ରାଷ୍ଟ୍ରପତି ରାଉରକେଲା, ପୁରୀ ଓ କୋଣାର୍କ ଯିବେ। ଆସନ୍ତାକାଲି ସନ୍ଧ୍ୟା ୬ଟା ୨୫ରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ। ବିମାନ ବନ୍ଦରରୁ ସିଧାସଳଖ ରାଜଭବନ ଯିବେ ଏବଂ ସେଠାରେ ରାତ୍ରିଯାପନ କରିବେ। ଏନେଇ ଶୁକ୍ରବାର ରାଷ୍ଟ୍ରପତିଙ୍କ ଗସ୍ତସୂଚୀ ପ୍ରକାଶ ପାଇଛି।

ଆସନ୍ତା ୨୧ ତାରିଖରେ ରାଉରକେଲା ସ୍ଥିତ ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେବେ । ରାଉରକେଲା ଏନଆଇଟିର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଉରକେଲା ଏନଆଇଟିର ସମାବର୍ତ୍ତନ ଉତ୍ସବ ସବୁ ବର୍ଷ ଜାନୁଆରୀରେ ଅନୁଷ୍ଠିତ ହେଉଥିବା ବେଳେ କୋଭିଡ଼୍ କଟକଣା ଯୋଗୁଁ ଚଳିତ ବର୍ଷ ମାର୍ଚ୍ଚ ମାସ ୨୧ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ଗସ୍ତରେ ପୁରୀ ଓ କୋଣାର୍କ ଯିବାର ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଦର୍ଶନ ସହ କୋଣାର୍କ ପରିଦର୍ଶନ କରିବେ ରାଷ୍ଟ୍ରପତି କୋବିନ୍ଦ।

Spread the love