ଭାରତର ରାଷ୍ଟ୍ରପତିଙ୍କ ଦରମା କେତେ? ମିଳେ କେଉଁ ସବୁ ସୁବିଧା ?

ନୂଆଦିଲ୍ଲୀ ୨୨।୭: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭାରତର ପଞ୍ଚଦଶତମ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ତାରିଖରେ ପୂରଣ ହେବ। ଦ୍ରୌପଦି ମୁର୍ମୁ ଦେଶର ପ୍ରଥମ ଆଦିବାସୀ ଓ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବ। ଜୁଲାଇ ୨୫ ତାରିଖ ଦିନ ସେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ତେବେ ଆସନ୍ତୁ ଜାଣିବା ଦେଶର ରାଷ୍ଟ୍ରପତିଙ୍କୁ କେତେ ବେତନ ମିଳେ ଓ ପାଆନ୍ତି କେଉଁ ସବୁ ସୁବିଧା ସୁଯୋଗ।

ଗତ ଅକ୍ଟୋବର ୨୦୧୮ରେ ଭାରତର ରାଷ୍ଟ୍ରପତିଙ୍କ ମାସିକ ବେତନ ୧.୫ଲକ୍ଷ ଟଙ୍କାରୁ ବଢି ୫ ଲକ୍ଷ ଟଙ୍କା ହୋଇଥିଲା। ସେବେଠାରୁ ରାଷ୍ଟ୍ରପତି ମାସିକ ୫ ଲକ୍ଷ ଟଙ୍କା ବେତନ ପାଇ ଆସୁଛନ୍ତି। ତେବେ ରାଷ୍ଟ୍ରପତିଙ୍କ ବେତନରେ କୌଣସି ଶୁଳ୍କ ଲାଗେନି କି ରାଷ୍ଟ୍ରପତିଙ୍କୁ ଆୟକର ଦେବାକୁ ପଡେନି। ଏହା ଛଡା ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସମାପ୍ତିରେ ତାଙ୍କୁ ମାସିକ ୧.୫ ଲକ୍ଷ ଟଙ୍କା ପେନସନ ମିଳିଥାଏ।

ରାଷ୍ଟ୍ରପତିଙ୍କୁ ମିଳୁଥିବା ସୁବିଧା
ରାଷ୍ଟ୍ରପତିଙ୍କୁ ମାସିକ ୫ଲକ୍ଷ ଟଙ୍କା ବେତନ ମିଳିଥାଏ ଯାହା ସମ୍ପୂର୍ଣ୍ଣ ରୂପେ ଶୁଳ୍କ ମୁକ୍ତ। ରାଷ୍ଟ୍ରପତିଙ୍କୁ ମାଗଣା ଡାକ୍ତରୀ ଚିକିତ୍ସା ଓ ଯାଞ୍ଚ ସୁବିଧା ପ୍ରାପ୍ତ ହୋଇଥାଏ। ରାୟସେନା ହିଲସସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରହିଥାନ୍ତି। ୩୨୦ ଏକର ଜମିରେ ସ୍ଥାପିତ ରାଷ୍ଟ୍ରପତି ଭବନରେ ୩୪୦ଟି କୋଠରୀ ରହିଛି। ଯିବା ଆସିବା ଲାଗି ରାଷ୍ଟ୍ରପତିଙ୍କୁ ଏକ ସ୍ୱତନ୍ତ୍ର ମର୍ସିଡିଜ ବେଞ୍ଜ ଏସ-୬୦୦ କାର ରହିଛି।

ରାଷ୍ଟ୍ରପତିଙ୍କୁ ୨ଟି ଲ୍ୟାଣ୍ଡ ଲାଇନ ଫୋନ ଓ ଗୋଟିଏ ମୋବାଇଲ ମିଳିଥାଏ ଯାହା ତାଙ୍କ ଲାଗି ସମ୍ପୂର୍ଣ୍ଣ ଫ୍ରି । ରାଷ୍ଟ୍ରପତିଙ୍କୁ କଡା ସୁରକ୍ଷା ମିଳିଥାଏ ଓ ତାଙ୍କ ଅଙ୍ଗରକ୍ଷୀମାନେ ସର୍ବଦା ତାଙ୍କ ସହ ରହିଥାନ୍ତି। ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷକଙ୍କୁ ପ୍ରେସିଡେନ୍ସିଆଲ ବର୍ଡିଗାର୍ଡ କୁହାଯାଏ। ରାଷ୍ଟ୍ରପତିଙ୍କ ସହ ୮୬ ଜଣ ବର୍ଡିଗାର୍ଡ ସବୁ ବେଳେ ଥାନ୍ତି। ରାଷ୍ଟ୍ରପତି ସହଯୋଗୀଙ୍କ ସହ ମାଗଣା ରେଳ ଓ ବିମାନ ଯାତ୍ରା କରିପାରନ୍ତି।

Spread the love