ହତ୍ୟାର କାରଣ ଏବଂ ଅସଲ ଷଡଯନ୍ତ୍ରର ଖୁଲାସା ହିଁ ଦିବଙ୍ଗତ ନବ ଦାସଙ୍କ ପ୍ରତି ଶେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ: ବିଜେପି

ଝାରସୁଗୁଡା/ଭୁବନେଶ୍ୱର, ତା.୧୮/୦୪: ମୁଖ୍ୟମନ୍ତ୍ରୀ ଏବଂ ବିଜୁ ଜନତା ଦଳର ଅତ୍ୟନ୍ତ ପ୍ରିୟ ଇଣ୍ଡିଆ ଟୁଡେ ପତ୍ରିକାର ଗତ ମାସର ସଂସ୍କରଣରେ ‘ମର୍ଡର ଆଣ୍ଡ ଦି ଫାର୍ଷ୍ଟ ଫ୍ୟାମିଲି’ ଶୀର୍ଷକ ଲେଖା ପ୍ରକାଶ ପାଇଛି । ଆଶା କରୁଛୁ ସେ ନିଶ୍ଚିତ ଭାବେ ଏହି ଲେଖାଟିକୁ ପଢିଥିବେ । ବିଭିନ୍ନ ସରକାରୀ କଳ ଓ ତନ୍ତ୍ରର ଚାପକୁ ପ୍ରତିହିତ କରିବା ସହିତ ଅତ୍ୟନ୍ତ ଲୋଭନୀୟ ଅଫର୍‌କୁ ମଧ୍ୟ ପ୍ରତ୍ୟାଖାନ କରିଥିବା ଜଣେ ସୁଯୋଗ୍ୟ ଝିଅ ନିଜ ଦିବଙ୍ଗତ ବାପାଙ୍କୁ ୪ ବର୍ଷର ନିରନ୍ତର ସଂଗ୍ରାମ ପରେ ଶେଷ୍ଠ ଶ୍ରଦ୍ଧାଞ୍ଜଳୀ ଦେବାରେ କିପରି ସଫଳ ହେଉଛନ୍ତି, ଏହି ଲେଖାଟିରେ ପ୍ରକାଶ ପାଇଛି । ସେଭଳି ଝିଅ ପାଇ ଦିବଙ୍ଗତ ବାପା ସ୍ୱର୍ଗରେ ଥାଇ ମଧ୍ୟ ନିଜକୁ ଧନ୍ୟ ଓ ଗର୍ବିତ ମନେକରୁଥିବେ । ଓଡିଶାରେ ମଧ୍ୟ ଏଭଳି ଏକ ‘ମର୍ଡର ଆଣ୍ଡ ଦି ଫାର୍ଷ୍ଟ ଫ୍ୟାମିଲି’ର ଅନୁରୂପ ଘଟଣା ଘଟିଥିବାର ରାଜ୍ୟବାସୀ ଅନୁଭବ କରୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଛନ୍ତି ।
ଜିଲ୍ଲା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନିରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ବର୍ତମାନର ମୁଖ୍ୟମନ୍ତ୍ରୀ ୱାଇ.ଏସ.ଜଗନ ମୋହନ ରେଡ୍ଡିଙ୍କ କାକା ୱାଇ.ଏସ. ବିବେକାନନ୍ଦ ରେଡ୍ଡିଙ୍କ କଡପାସ୍ଥିତ ତାଙ୍କ ବାସଭବନରେ ଅତ୍ୟନ୍ତ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଥିଲା ଏବଂ ଏହାକୁ ହୃଦଘାତ ଓ ରକ୍ତ ବାନ୍ତିର ଆଖ୍ୟା ଦିଆଯାଇଥିଲା । ଏପରିକି ସେହି ସମୟରେ ମୃତ୍ୟୁ ପାଇଁ କେ.ଚନ୍ଦ୍ରବାବୁ ନାଇଡୁ ଓ ତାଙ୍କ ଦଳ ଦାୟୀ ବୋଲି ଅଭିଯୋଗ ଅଣାଯାଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ୩-୩ଟି ଏସଆଇଟି ଗଠନ କରାଯାଇ ଘଟଣାର ତଦନ୍ତ କରାଯାଇଥିଲେ ମଧ୍ୟ କୈାଣସି ସତ୍ୟାସତ୍ୟ ସାମ୍ନାକୁ ଆସିନଥିଲା । ସେହି ସମୟରେ ସ୍ୱର୍ଗତଃ ବିବେକାନନ୍ଦଙ୍କ ଝିଅ ସୁନୀତାଙ୍କୁ କଡପା ଲୋକସଭା କିମ୍ବା ବିଧାନସଭା ପାଇଁ ଦଳୀୟ ଟିକେଟ ଦେବା ପ୍ରତିଶୃତି ଦିଆଯାଇଥିଲା । ଏ ସମସ୍ତକୁ ପ୍ରତ୍ୟାଖାନ କରି ସୁନୀତା ନିଜ ଦିବଙ୍ଗତ ବାପାଙ୍କ ମୃତ୍ୟୁର ସତ୍ୟାସତ୍ୟ ଜାଣିବା ଉଦ୍ଦେଶ୍ୟରେ ମାନ୍ୟବର ହାଇକାର୍ଟଙ୍କୁ ସିବିଆଇ ଦ୍ୱାରା ତଦନ୍ତ ପାଇଁ ଅପିଲ୍ କରିଥିଲେ । ମାନ୍ୟବର ହାଇକୋର୍ଟ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ । ଘଟଣାର ତଦନ୍ତ ସିବିଆଇ ଦ୍ୱାରା ହେବା ପରେ ଏବଂ ୨୩୪ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣ ସହ ଘଟଣାରେ ତାଙ୍କ ନିଜ କାକା ଭାସ୍କର ରେଡ୍ଡୀ ଓ ଅନ୍ୟମାନଙ୍କ ସଂପୃକ୍ତି ପଦାରେ ପଡିଲା ଏବଂ ଗତ କାଲି ଭାସ୍କର ରେଡ୍ଡୀଙ୍କୁ ଗିରଫ କରାଯାଇଛି । ନିଜ ପୁଅ ତଥା ବର୍ତମାନର ସାଂସଦ ଥିବା ଅଭିନାଶଙ୍କୁ ଦଳୀୟ ଟିକେଟ ଦେବା ପାଇଁ ଭାସ୍କର ଏଭଳି ଅମାନୁଷିକ ହତ୍ୟାକାଣ୍ଡ କରିଥିଲେ ସିବିଆଇ ତଦନ୍ତରେ ଧରା ପଡିଛି । ଏହା ହିଁ ଦର୍ଶାଉଛି ସିବିଆଇର ସଫଳତା । ଦୀର୍ଘ ୪ ବର୍ଷ ପରେ ସୁନୀତା ନିଜ ଦିବଙ୍ଗତ ବାପାଙ୍କ ହତ୍ୟାକାରୀକୁ ଧରିବାରେ ସଫଳ ହୋଇଛନ୍ତି ଏବଂ ଏହା ନିଶ୍ଚିତ ଭାବେ ଗୋଟିଏ ଝିଅର ନିଜ ଦିବଙ୍ଗତ ବାପାଙ୍କ ପାଇଁ ଶେଷ୍ଠ ଶ୍ରଦ୍ଧାଞ୍ଜଳୀ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଓଡିଶାର ଜଣେ ପ୍ରଭାବଶାଳୀ ବିଜେଡି ନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀ ଦିନ ଦ୍ୱିପହରରେ ଗୁଳି କରି ହତ୍ୟା କଲେ । ରାଜ୍ୟ ସରକାର ମଧ୍ୟ କ୍ରାଇମବ୍ରାଂଚ ଦ୍ୱାରା ଘଟଣାର ତଦନ୍ତ କରାଇଲେ । ୮୦ ଦିନ ପରେ ମଧ୍ୟ ହତ୍ୟାକାଣ୍ଡର ମୁଖ୍ୟ କାରଣ ସଂପର୍କରେ ଜଣାପଡିଲା ନାହିଁ । ଆମେରିକା ସଂସ୍ଥା ନାଁରେ ଏଫବିଆଇ ତଦନ୍ତର ଭେଳିକି ୫୦ ଦିନ ପୂରିଲା, ଆପଣ ଏଥିରେ ସନ୍ତୁଷ୍ଟ କି ? ନିର୍ବାଚନ ଆୟୋଗ ନିଜ ସାମ୍ବିଧାନିକ ଦାୟୀତ୍ୱନୁଯାୟୀ ଖାଲି ପଡିଥିବା ଝାରସୁଗୁଡା ଉପନିର୍ବାଚନ କରାଉଛନ୍ତି । ଅପର ପକ୍ଷରେ ଦିବଙ୍ଗତ ନବ ଦାସଙ୍କ ଅବର୍ତମାନରେ ତାଙ୍କ ପରିବାରର ମୁରବୀ ସାଜିଥିବା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସରକାର ସ୍ୱର୍ଗତ ନବ ଦାସ ଓ ତାଙ୍କ ପରିବାରକୁ କେବେ ନ୍ୟାୟ ଦେବେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
କେବଳ ଅନୁକଂପା ଓ ସହାନୁଭୁତି ପ୍ରଦାନ କରି ଦଳୀୟ ସଭାପତି ଭାବେ କେବଳ ଟିକେଟ ଦେବା ଛଡା ଅନ୍ୟ କଣ କରିଛନ୍ତି ନବୀନ ବାବୁ ? ଅନ୍ୟ ପଟେ ନବ ବାବୁଙ୍କ ଝିଅକୁ ବିଜେଡି ଟିକେଟ ମିଳିବା ପରେ ନ୍ୟାୟ ପାଇଁ ଲଢେଇ କରିବେ ନା ନୀରବ ହୋଇ ରହିବେ, ତାହା ସାଧାରଣ ଲୋକେ ପଚାରୁଛନ୍ତି । ସୁନୀତା ରେଡ୍ଡୀଙ୍କୁ ରୋଲ ମଡେଲ କରି ନବ ବାବୁଙ୍କ ପରିବାର ସଦସ୍ୟ ଏବଂ ବର୍ତମାନର ମୁରବୀ ମୁଖ୍ୟମନ୍ତ୍ରୀ ମହୋଦୟ ଯଥାଶୀଘ୍ର ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରିବା ପାଇଁ ପତ୍ର ଲେଖନ୍ତୁ । ଯଦି ମୁଖ୍ୟମନ୍ତ୍ରୀ ସିବିଆଇ ତଦନ୍ତ ପାଇଁ ପତ୍ର ଲେଖୁ ନାହାନ୍ତି, ତାହେଲେ ନବ ବାବୁଙ୍କ ଦାୟଦମାନେ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟର ଆଶ୍ରୟ ନିଅନ୍ତୁ । ଅସଲ ଷଡଯନ୍ତ୍ରର ଖୁଲାସା ହେଲେ ପ୍ରକୃତ ଦୋଷୀ ସାମ୍ନାକୁ ଆସିବେ ଏବଂ ତାହା ହିଁ ଦିବଙ୍ଗତ ନବ ଦାସଙ୍କ ପ୍ରତି ଶେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର୍ ଦାସ୍‌, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନୀଲ ପଣ୍ଡା, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଓମପ୍ରକାଶ ମିଶ୍ର ଏବଂ ଜିଲ୍ଲା ସାଧାରଣ ସଂପାଦକ ବିମଳେନ୍ଦୁ ଭୋଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love