କ୍ଷମତାର ଅପବ୍ୟବହାର କରି ଖୋଦ୍ ଆଇନମନ୍ତ୍ରୀ ସମସ୍ତ ନ୍ୟାୟିକ ପ୍ରକ୍ରିୟାକୁ ଜଳାଞ୍ଜଳୀ ଦେଉଛନ୍ତି: ଗୋଲକ ମହାପାତ୍ର

ଭୁବନେଶ୍ୱର, ୦୪/୧୨: ମାହାଙ୍ଗା ଡବଲ ମର୍ଡର ଘଟଣାରେ କୋର୍ଟକୁ ଦାଖଲ କରାଯାଇଥିବା ଚାର୍ଜସିଟ୍‌ରେ ୧୩ତମ ମୁଦାଲା ତଥା ରାଜ୍ୟ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ କାଟି ଦିଆଯାଇଥିଲା। ମାନ୍ୟବର ଜେଏମଏଫସି କୋର୍ଟ ତଦନ୍ତ ପ୍ରକ୍ରିୟାକୁ ଭର୍ତ୍ସନା କରିବା ସହିତ ପୁନଃ ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତକାରୀ ମାହାଙ୍ଗା ଥାନାଧିକାରୀ ବିଭିନ୍ନ ପ୍ରକାରର ଆଳ ଦେଖାଇ କୋର୍ଟକୁ ବିଭ୍ରାନ୍ତ କରିଆସୁଛନ୍ତି। ଗତକାଲି ତଦନ୍ତକାରୀ ମାହାଙ୍ଗା ଥାନାଧିକାରୀ କୋର୍ଟରେ ଉପସ୍ଥିତ ରହି ତଥ୍ୟପ୍ରମାଣ ଉପସ୍ଥାପନା କରିବା ପାଇଁ ମାନ୍ୟବର ବିଚାରପତି ନିର୍ଦ୍ଦେଶ ଦେଇଥିଲେ । ଉପସ୍ଥିତ ରହିବା ତ ଦୁରର କଥା, ଏପରିକି ଚିରାଚରିତ ଭାବେ ଗୋଟିଏ ଚିଠି ଲେଖି ଦେଇ ଥାନାଧିକାରୀ ଜଣକ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିଲେ। ତଦନ୍ତକାରୀ ଥାନାଧିକାରୀଙ୍କ ବ୍ୟବହାର ଓ ଆଚରଣରେ କ୍ଷୁବ୍ଧ ହୋଇ ଆଜି ମାନ୍ୟବର କୋର୍ଟ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରିଛନ୍ତି । ମାହାଙ୍ଗା ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ରାଜ୍ୟ ଆଇନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା କେଉଁ ଭଳି ଭାବେ ଆଇନକୁ ନିଜ ଇଙ୍ଗିତରେ ଦିଶା ନିର୍ଦ୍ଦେଶ କରୁଛନ୍ତି, ତାହା ସ୍ପଷ୍ଟ ହୋଇଛି। ଆଇନର ବାଟ ଓଗାଳି, ନ୍ୟାୟାଳୟର ନିର୍ଦ୍ଦେଶକୁ ଅସମ୍ମାନକରି ରାଜ୍ୟର ଖୋଦ୍ ଆଇନମନ୍ତ୍ରୀ କ୍ଷମତାର ଅପବ୍ୟବହାର କରି ସମସ୍ତ ନ୍ୟାୟିକ ପ୍ରକ୍ରିୟାକୁ ଜଳାଞ୍ଜଳୀ ଦେଉଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।

ଅନ୍ୟପଟେ ଗତକାଲି ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କର ଛଳନାପୂର୍ଣ୍ଣ ଭିଡିଓ ବିବୃତିର ଦୋମୁହାଁ ନୀତିକୁ ପଦାରେ ପକାଇଛି । କାହା ସାହାସରେ ଏବଂ କାହା ନିର୍ଦ୍ଦେଶରେ ମାହାଙ୍ଗା ପୋଲିସ ୧୩ତମ ମୁଦାଲା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ କାଟି ଦେଇଥିଲା ? ତଦନ୍ତକାରୀ ଅଧିକାରୀଙ୍କୁ କୋର୍ଟରେ ହାଜର ହେବା ପାଇଁ କିଏ ଓ କାହିଁକି ବାଧା ସୃଷ୍ଟିକରୁଛି ? ପୋଲିସ ତଦନ୍ତକୁ ନେଇ ପ୍ରଶଂସା କରୁଥିବା ଏବଂ ପୋଲିସ ତଦନ୍ତ ଉପରେ ବିଶ୍ୱାସ ରଖିବା ପାଇଁ କହୁଥିବା ମୁଖ୍ୟମନ୍ତ୍ରୀ ଆଜିକାର ଘଟଣା ପରେ ଆଉ କିଛି କହିବା ସ୍ଥିତିରେ ନାହାନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଗୋଟିଏ ପଟେ ଆଇନମନ୍ତ୍ରୀଙ୍କ ମାହାଙ୍ଗା ଡବଲମର୍ଡର ଘଟଣାରେ ପ୍ରତ୍ୟକ୍ଷ ସଂପୃକ୍ତି ଏବଂ ଅନ୍ୟ ପଟେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତିକୁ ନେଇ ବହୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସଂପୁର୍ଣ୍ଣ ସୁରକ୍ଷା ଯୋଗାଇଦେବା ଅତ୍ୟନ୍ତ ଚିନ୍ତାଜନକ। ମୁଖ୍ୟମନ୍ତ୍ରୀଙ୍କର ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତି ଦୃଷ୍ଟି ନାହିଁ, ବରଂ ନିଜ ମନ୍ତ୍ରୀମଣ୍ଡଳର ଅପରାଧିକ ସହଯୋଗୀମାନଙ୍କୁ ସୁରକ୍ଷା ଦେବାର ମୁଳ ଉଦ୍ଦେଶ୍ୟ ରହିଛି । ଶୁଣାଣୀର ପ୍ରକ୍ରିୟା ଫାଷ୍ଟ ଟ୍ରାକ୍ ସେତେବେଳେ ହୋଇପାରିବ ଯେତେବେଳେ ତଦନ୍ତ ପ୍ରକ୍ରିୟା ବିନା ଚାପରେ, ନିରପେକ୍ଷତା ଏବଂ ସମୟସାରଣୀ ଭିତରେ ସମ୍ପନ୍ନ ହେବ। ଯେଉଁଠି ନ୍ୟାୟାଳୟର ନିର୍ଦ୍ଦେଶକୁ ପୋଲିସ ହେୟଜ୍ଞାନ ଓ ଅବମାନନା କରୁଛି, ସେଇଠି କେଉଁ ପ୍ରକାରର ନ୍ୟାୟ ଆଶା ରଖିବେ ରାଜ୍ୟବାସୀ ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ନିହାତି ଜରୁରୀ। ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଅପରାଧ ଓ ଅପରାଧୀମାନଙ୍କୁ ପ୍ରତ୍ୟକ୍ଷ ପ୍ରୋତ୍ସାହନ ଓ ସୁରକ୍ଷା ଯୋଗାଇ ଦିଆଯାଉଥିବା କାରଣରୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ରସାତଳଗାମୀ ହେବାରେ ଲାଗିବା ସହିତ ପୋଲିସ ବ୍ୟବସ୍ଥା ଉପରେ ରାଜ୍ୟବାସୀ ଆସ୍ଥା ହରାଉଛନ୍ତି। ଏଭଳି ପରିସ୍ଥିତି ବଜାୟ ରହିଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟିହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Spread the love