ନବ ଦାସ ହତ୍ୟାକାଣ୍ଡ ଘଟଣାର ତଦନ୍ତ ବାଟବଣା ହୋଇଛି: ସୁରେଶ ପୂଜାରୀ

ସମ୍ବଲପୁର: ନବ ଦାସ ହତ୍ୟାକାଣ୍ଡ ଘଟଣାର କ୍ରାଇମବ୍ରାଞ୍ଚ ଚାର୍ଜସିଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଚାର୍ଜସିଟ ଏକ ରଦ୍ଦି କାଗଜ। ଏହାର ତଦନ୍ତ ଗୋପାଳରୁ ଆରମ୍ଭ ଏବଂ ଗୋପାଳରେ ଶେଷ ହୋଇଛି।ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି, ଏପର୍ଯ୍ୟନ୍ତ ଏହି ଘଟଣାରେ ଗୋପାଳ ଦାସଙ୍କ ମୋବାଇଲ ଟ୍ରାକ କରାଯାଇନାହିଁ, ଯାହାଫଳରେ ନବ ଦାସଙ୍କ ହତ୍ୟାର ତଦନ୍ତ ବାଟବଣା ହୋଇଛି। ହତ୍ୟାକାଣ୍ଡ ପୂର୍ବରୁ ଗୋପାଳ କାହା ସାଙ୍ଗରେ କଥା ହୋଇଥିଲେ ତାହାର ସବିଶେଷ ତଥ୍ୟ ନାହିଁ। ହତ୍ୟାକାଣ୍ଡର ୧୫ ଦିନ ପୂର୍ବର ଫୋନ ରେକର୍ଡ କାହିଁକି ସଂଗ୍ରହ କରାଗଲାନି? ଏହାସହ ନବ ଦାସ ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚ କୋର୍ଟକୁ ଦେଇଥିବା ତଥ୍ୟ ସଠିକ ନାହିଁ, ଏଣୁ ଏହା ଏକ ରଦ୍ଦି କାଗଜ ଭଳି। ଗୋପାଳକୁ ପାଗଳ କୁହାଯାଇଥିଲା, ତାହେଲେ ବନ୍ଧୁକ କାହିଁକି ଇସ୍ୟୁ ହେଲା। ୧୮ ରାଉଣ୍ଡ ଗୁଳି ଆସିଲା କିପରି । ଯଦି ୩ ରାଉଣ୍ଡ ଗୁଳି ଚାଲିଥିଲା ତାହେଲେ ଆଉ ଗୋଟିଏ ଖୋକା କୁଆଡେ ଗଲା। ନବ ଦାସଙ୍କ ରକ୍ତ ଜୁଡୁବୁଡୁ ସାର୍ଟ ଗଲା କୁଆଡେ? ବନ୍ଧୁକରୁ କେତେଦୂରରୁ ଗୁଳି ଚାଲିଛି ତାର ଗ୍ରାଫିକ୍ସ ପ୍ରେଜେଣ୍ଟଟେସନ ଚାର୍ଜ ସିଟରେ ନାହିଁ।
ଯେଉଁ ଗୁଳି ନବ ଦାସଙ୍କ ଦେହରେ ବାଜିଥିଲା ତାକୁ ଏଯାଏ ଖୋଜି ପାଇନି ପୁଲିସ। ଗାଡ଼ିକୁ ତୁରନ୍ତ ଜବତ କରିଥିଲେ ଗୁଳି କୁଆଡ଼େ ଗଲା ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ। ନବ ଦାସଙ୍କ ହତ୍ୟାରେ ଯେଉଁମାନେ ଲାଭ ପାଇଥାନ୍ତେ, ସେମାନେ ଏହି ତଦନ୍ତରେ ବର୍ତ୍ତିଗଲେ ବୋଲି ସାଂସଦ ସୁରେଶ ପୂଜାରୀ କହିଛନ୍ତି। ଥରେ ଟ୍ରାଫିକରେ ନବ ଦାସଙ୍କ ଗାଡ଼ି ଅଟକାଇବା, ପୁତୁରାକୁ ନେଇ ଚାକିରି ପାଇଁ ନବ ଦାସଙ୍କ ପାଖକୁ ଯିବା ପରେ ନବ ଦାସ କଥା ନ ଶୁଣିବା ଓ ନବ ଦାସଙ୍କ ସମର୍ଥକଙ୍କ ସହ ଝଗଡ଼ା ହୋଇଥିଲା ବୋଲି ଚାର୍ଜସିଟରେ ଉଲ୍ଲେଖ ରହିଛି। ଫଳରେ ଗୋପାଳ ନିଜ ଭାଇ ସହିତ ସମଲେଶ୍ବରୀ ମନ୍ଦିର ଯାଇଥିଲା ଓ ସଂକଳ୍ପ କରିଥିଲା ନବ ଦାସଙ୍କୁ ମାରିବା ପାଇଁ ବୋଲି ସୁରେଶ କହିଛନ୍ତି। କିନ୍ତୁ ବଡ଼ ଭାଇଙ୍କୁ କଣ ଜେରା କରାଗଲା ତାହାର ଚାର୍ଜସିଟରେ ଉଲ୍ଲେଖ ନାହିଁ। ତେବେ ପାଇଖାନା ଟାଙ୍କିରୁ ବାହାରିଥିବା ୩୦ ପୃଷ୍ଠା ପେପରରେ ଲେଖାଯାଇଥିବା ଅକ୍ଷର ସ୍ବଷ୍ଟ ଦୃଶ୍ୟମାନ ଥିଲା ନା ନାହିଁ ସେ ବିଷୟରେ ଚାର୍ଜସିଟରେ କାହିଁକି ଉଲ୍ଲେଖ ନାହିଁ ବୋଲି ସୁରେଶ ପ୍ରଶ୍ନ କରିଛନ୍ତି।

Spread the love