୨୦୨୩-୨୪ ବଜେଟରେ ସ୍ଵାସ୍ଥ୍ୟସେବା କ୍ଷେତ୍ରକୁ ୧୬ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି: ସ୍ଵାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ୨୦୨୩-୨୪ ବଜେଟରେ ସ୍ଵାସ୍ଥ୍ୟସେବା କ୍ଷେତ୍ରକୁ ୧୬ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏହା ଗତ ବଜେଟ ତୁଳନାରେ ୨୭% ଅଧିକ ଏବଂ ୨୦୧୭-୧୮ ବଜେଟ ତୁଳନାରେ ପ୍ରାୟ ୩ ଗୁଣ। ରାଜ୍ୟର ସାମଗ୍ରିକ ବଜେଟର ଏହା ୭% । ଏହା କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଚାଲିଥିବା ଲଢେ଼ଇରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସ୍ଵାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ। କାହିଁକି ରାଜ୍ୟରେ ଲାଗୁ ହେବନି ଆୟୁଷ୍ମାନ ଭାରତ ସେନେଇ ସ୍ପଷ୍ଟୀକରଣ ଦେଇଛନ୍ତି ସ୍ଵାସ୍ଥ୍ୟ ସଚିବ। ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ରୋଗୀର ଚିକିତ୍ସା ବିଲ୍ ସରକାରୀ ହସ୍ପିଟାଲ ସ୍ତରରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ରାଜ୍ୟ ସରକାର ସରକାରୀ ହସ୍ପିଟାଲରେ ରୋଗୀ ସେବା ସମ୍ପୂର୍ଣ୍ଣ ମାଗଣା କରିଛନ୍ତି। ତେଣୁ ଘରୋଇ ହସ୍ପିଟାଲ ବିଲରୁ ଆୟୁଷ୍ମାନ ଭାରତ ଯୋଜନା ବିଲ୍ ଆରମ୍ଭ କରିବାକୁ ଦାବି କରୁଛନ୍ତି। ଏହାଛଡ଼ା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ଲାଗି ୧୦ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର, ଯାହା ଆୟୁଷ୍ମାନ ଭାରତ ଯୋଜନାରେ ନାହିଁ। ଏସବୁ ପ୍ରସଙ୍ଗ ନେଇ କେନ୍ଦ୍ର – ରାଜ୍ୟ ମଧ୍ୟରେ ସହମତି ଆସିନଥିବାରୁ ରାଜ୍ୟ ଆୟୁଷ୍ମାନ ଭାରତରେ ସାମିଲ ହୋଇନି।

ସ୍ଵାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ଆହୁରି କହିଛନ୍ତି, ହସ୍ପିଟାଲରେ ଲାଗୁ ହେବ ବାୟୋମେଟ୍ରିକ ବ୍ୟବସ୍ଥା । ୨୦୨୩-୨୪ ଆର୍ଥିକ ବର୍ଷରୁ ପାଇଲଟ ପ୍ରକଳ୍ପ ଆଧାରରେ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ଏହା କାର୍ଯ୍ୟକାରୀ କରାଯିବ। ପରବର୍ତ୍ତୀ ସମୟରେ ପିଏଚସି ଓସିଏଚସିରେ ମଧ୍ୟ ଲାଗୁ ହେବ ବାୟୋମେଟ୍ରିକ୍ ବ୍ୟବସ୍ଥା। ଆଉ ୩୦ ମିନିଟ୍ ନୁହେଁ, ୨୦ ମିନିଟ ଭିତରେ ରୋଗୀଙ୍କ ପାଖରେ ପହଞ୍ଚିବ ୧୦୮ ଆମ୍ବୁଲାନ୍ସ। ଏଥିପାଇଁ ୨୦୨୩-୨୪ରେ ୨୩୬ଟି ନୂଆ ଆମ୍ବୁଲାନ୍ସ ୧୦୮ରେ ଯୋଡ଼ିହେବ। ଏଥିପାଇଁ ବଜେଟରେ ୨୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
୨୦୨୩-୨୪ ଆର୍ଥିକ ବର୍ଷ ୧୪୭ ନିର୍ବାଚନ ମଣ୍ଡଳୀରେ ଖୋଲିବ ଆମ ହସ୍ପିଟାଲ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ, ଜିଲ୍ଲା ସଦର ଚିକିତ୍ସାଳୟଗୁଡ଼ିକୁ ଏଥିଲାଗି ବଛାଯାଇଛି। ୯ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ଆମ ହସ୍ପିଟାଲ। ୭୫୦ କୋଟି ଟଙ୍କା ବ୍ୟୟରେ ଉନ୍ନତିକରଣ ହେବାକୁ ଥିବା ଆମ ହସ୍ପିଟାଲରେ ରୋଗୀଙ୍କୁ ସବୁ ମୌଳିକ ସ୍ଵାସ୍ଥ୍ୟ ସେବା ମିଳିବ।
ସେ ଆହୁରି କହିଛନ୍ତି, ୨୦୨୩-୨୪ରେ ୫ ହଜାର ଏମବିବିଏସ୍ ଡାକ୍ତର ଓ ୯ ହଜାର ଷ୍ଟାଫ ନର୍ସଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର। ଏଥିଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ବର୍ଷ ଶେଷ ସୁଦ୍ଧା ରାଜ୍ୟର ସବୁ ପିଏଚସି ଓସିଏଚସିରେ ଏମବିବିଏସ୍ ଡାକ୍ତର ଥିବେ। ପୂର୍ବରୁ ଗତ ୫ ବର୍ଷରେ ୪ ହଜାର ଡାକ୍ତରଙ୍କୁ ଓ ଗତ ୩ ବର୍ଷରେ ୯ ହଜାରରୁ ଅଧିକ ଷ୍ଟାଫ ନର୍ସଙ୍କୁ ନିଯୁକ୍ତି ଦିଆଯାଇଛି।

Spread the love