ଗ୍ୟାସ୍ ଦରବୃଦ୍ଧି ସାଢ଼େଚାରିକୋଟି ଓଡ଼ିଆଙ୍କୁ ବାଧୁଛି, ଚୁପ୍ ବସିବନି ବିଜେଡି: ସୌମ୍ୟରଂଜନ

ଭୁବନେଶ୍ବର: ଗ୍ୟାସ ଦରବୃଦ୍ଧିକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଖଣ୍ଡପଡ଼ା ବିଧାୟକ ତଥା ବରିଷ୍ଠ ବିଜେଡି ନେତା ସୌମ୍ୟରଂଜନ ପଟ୍ଟନାୟକ। ଆଜି ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୌମ୍ୟରଂଜନ କହିଛନ୍ତି, ୫୦ ଟଙ୍କା ଗ୍ୟାସ ଦର ବୃଦ୍ଧି ଲୋକଙ୍କୁ ବାଧିଛି। ଏହା ସାଢ଼େ ୪ କୋଟି ଓଡ଼ିଆଙ୍କୁ ବହୁତ ବାଧିଛି। ୨୦୧୪ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଜ୍ଜ୍ବଳା ଯୋଜନା ଘୋଷଣା କରିଥିଲେ, ସେଥିରେ ଘରେ ଘରେ ଗ୍ୟାସ୍ ଯୋଗାଇ ଦିଆଯାଇଥିଲା। ସେ ସମୟରେ ଗ୍ୟାସର ମୂଲ୍ୟ କମ୍ ଥିଲା। ହେଲେ ଆଜି ୯ ବର୍ଷ ଭିତରେ ଏହାର ତିନିଗୁଣା ବୃଦ୍ଧି ହୋଇଛି। ଏହାକୁ ନେଇ ଆମେ ଚୁପ୍ ବସିବୁନି।

୨୦୧୪ରେ ଯେବେ ବିଜେପି ସରକାର ଆସିଲା, ସେବେ ଯୋଜନାଗୁଡ଼ିକ ମଧ୍ୟରୁ ଯେଉଁ ଯୋଜନା ସାଧାରଣ ଲୋକଙ୍କ ମନକୁ ଛୁଇଁଥିଲା ତାହା ହେଉଛି ଉଜ୍ଜ୍ୱଳା ଯୋଜନା। ସେବେ ଅନେକ ଉତ୍ସାହିତ କଲା ଭଳି କଥା କହିଥିଲେ ପ୍ରଧାନମନ୍ତ୍ରୀ, ଯାହା ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ମନକୁ ଛୁଇଁ ଥିଲା। ଆଜି ଯେବେ ଗ୍ୟାସ ଦର ବଢୁଛି ପ୍ରଧାନମନ୍ତ୍ରୀଙ୍କ ସେ ପ୍ରତିଶ୍ରୁତି ମନକୁ ଆସୁଛି। ତଥ୍ୟ କହୁଛି, ପୂର୍ବରୁ ୨୧ ଲକ୍ଷ ପରିବାର ଗ୍ୟାସ ଉପଭୋକ୍ତା ଥିଲେ। ମୋଦୀ ସରକାରଙ୍କ କାର୍ଯ୍ୟକ୍ରମ ଫଳରେ ୪ ଗୁଣ ବଢି ଏହା ୮୮ଲକ୍ଷରେ ପହଞ୍ଚିଛି। ଆଗରୁ ୨୦ ପ୍ରତିଶତ ଘରେ ଗ୍ୟାସ ଚୁଲା ଜଳୁଥିବା ବେଳେ ଏବେ ୮୦ ପ୍ରତିଶତ ଘରେ ଗ୍ୟାସ ବ୍ୟବହାର ହେଉଛି। କିନ୍ତୁ ୨୦୧୪ରେ ଗ୍ୟାସ ସିଲିଣ୍ଡର ଦାମ ୪୫୦ ଆଉ ଏବେ ୧୧୪୫ ଟଙ୍କାରେ ପହଞ୍ଚିଛି। ମାମାନଙ୍କ ଆଖିରୁ ଲୁହ ଦୂର କରିବାକୁ ଯେଉଁ ଯୋଜନା ହୋଇଥିଲା, ତାହା ଏବେ ଲୋକଙ୍କୁ କନ୍ଦେଇଲାଣି। ଏହି ଗ୍ୟାସ ଦର କାହିଁକି ବଢିଲା କାରଣ କଣ ସେଥିରେ ବିଜେପି ଚୁପ। ଆମେ ପ୍ରଶ୍ନ କରୁଛୁ ବିଜେପି କାହିଁକି ଏହି ଘଟଣାରେ ନିରବ।

ସେ ଆହୁରି କହିଛନ୍ତି, କେନ୍ଦ୍ର ସରକାର ଚାଉଳ କାଟିଲେ। ଏବେ ଗ୍ୟାସ ଦରବୃଦ୍ଧି କଲେ। ପ୍ରଧାନମନ୍ତ୍ରୀ ୫ କେଜି ଚାଉଳ କାଟିବା ପ୍ରମାଣିତ କରୁଛି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଚାହୁଁନାହାନ୍ତି। ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ବାର୍ଥ ବିଜେଡିର ସ୍ବାର୍ଥ। ବିଜେଡି ଓଡ଼ିଶାର ଘରେ ଘରେ ରହିଛି। କେନ୍ଦ୍ର ସରକାର ଯାହା ଚାହୁଁଛନ୍ତି ଆଉ ଯାହାର ମେରିଟ ଅଛି ଆମେ ସମର୍ଥନ ଦେଇ ଆସିଛୁ। କିନ୍ତୁ ଓଡ଼ିଶାର ସ୍ୱାର୍ଥ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗ ଯେବେ ଆସିବ ବିଜେଡି ଚୁପ ବସିବନି। କିନ୍ତୁ ବିଜେପି ଚୁପ କାହିଁକି ।

Spread the love