ରାଜ୍ୟରେ ବିଦ୍ୟୁତ ବିତରଣ କ୍ଷେତ୍ରରେ ଘରୋଇ କମ୍ପାନୀର ପୁନର୍ବାର ପ୍ରବେଶକୁ ଦୃଢ ବିରୋଧ

ରାଜ୍ୟରେ ବିଦ୍ୟୁତ ଗ୍ରାହକମାନଙ୍କୁ ୨୪ ଘଣ୍ଟିଆ ଉନ୍ନତ ମାନର ବିଦ୍ୟୁତ ସେବା ଯୋଗାଇବା ସହିତ ବିଦ୍ୟୁତ ଚୋରିକୁ ରୋକି ବିଦ୍ୟୁତ ବିତରଣ ଜନିତ କ୍ଷତି (ATC LOSS) କୁ ସର୍ବଭାରତୀୟ ସ୍ଥର ୧୫% ରେ ପହଞ୍ଚାଇ ସ୍ୱଳ୍ପ ମୂଲ୍ୟରେ ବିଦ୍ୟୁତ ଯୋଗାଇବାକୁ ଆମ ରାଜ୍ୟରେ ଆରମ୍ଭ ହୋଇଥିଲା ବିଦ୍ୟୁତ ବିଭାଗରେ ବଡ ସଂସ୍କାର I ଏଥିପାଇଁ Odisha Electricity Reform Act -1995 ପାରିତ ହୋଇ ଆଇନରେ ପରିଣତ ହୋଇଥିଲା I ୩୧/୦୩/୧୯୯୯ ରେ ରାଜ୍ୟରେ ଗଠିତ ହୋଇଥିବା ୪ଟି ବିଦ୍ୟୁତ ବିତରଣ କମ୍ପାନୀ CESCO , NESCO , WESCO , SOUTHCO ର ୫୧% ଅଂଶଧନକୁ ରାଜ୍ୟସରକାର ଘରୋଇ କମ୍ପାନୀକୁ ବିକ୍ରି କରିଥିଲେ I ସେଥିମଧ୍ୟରୁ NESCO , WESCO , SOUTHCO କୁ BSES କମ୍ପାନୀକୁ ମାତ୍ର ୧୧୭ କୋଟି ଟଙ୍କାରେ ବିକ୍ରିକରି CESCO କୁ AES JYOTI STRUCTURE କମ୍ପାନୀକୁ ମାତ୍ର ୪୨ କୋଟି ଟଙ୍କାରେ ବିକ୍ରି କରିଥିଲେ I ସେହି AES କମ୍ପାନୀକୁ ରାଜ୍ୟ ସରକାରଙ୍କ ତରଫରୁ ଅହେତୁକ ଅନୁକମ୍ପା ଦେଖାଇ ୧୭୪ କୋଟି ଟଙ୍କା କମ୍ପାନୀ ଚଳାଇବା ପାଇଁ ଅଗ୍ରିମ ଆକାରରେ ଦିଆଯାଇଥିଲା I ଅର୍ଥାତ ରାଜ୍ୟସରକାର ବିନା ପଇସାରେ AES କମ୍ପାନୀକୁ CESCO ର ୫୧% ଅଂଶଧନକୁ ଦେଇ ୧୩୨ କୋଟି ଟଙ୍କା କମ୍ପାନୀ ଚଳାଇବା ପାଇଁ GRIDCO ରୁ ଦେଇଥିଲେ I ଭାରତ ବର୍ଷ ଇତିହାସରେ ଏହା ଥିଲା ଘରୋଇ କମ୍ପାନୀକୁ ବଡ ଧରଣର ଅହେତୁକ ଅନୁକମ୍ପା, ଯାହାକି ଶୋଭେନ କାନୁନଗୋ ରିପୋର୍ଟରେ ପ୍ରକାଶ ପାଇଛି I CESU ର ପରିଚାଳନା ଭାର AES କମ୍ପାନୀ ନେଲା ପରେ ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର ୧୯୯୯ ମସିହାରେ CESCO ରେ ନୂଆ ମ୍ୟାନଜମେଣ୍ଟ କ୍ୟାଡର ଗଠନ କରିବା , ପ୍ରଚଳିତ ନିୟମର ସଂଶୋଧନ କରିବା I CESCO ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କର ପେନସନ , ଇପିଏଫରେ ପରିବର୍ତ୍ତନ ଆଣିବା , ଏକ୍ସରୋ ଆରେଞ୍ଜଜମେଣ୍ଟ କୁ ବାଇପାସ କରି ଅଲଗା ଆକାଉଣ୍ଟ କରିବା ଇତ୍ୟାଦି କାର୍ଯ୍ୟ କରି ଚାଲିଲେ I ୧୯୯୯ ମସିହା ବାତ୍ୟା ସମୟରେ CESU ର ପରିଚାଳନାରୁ AES ଓହରିଯାଇ ସେସମୟରେ ଲୋକମାନଙ୍କୁ ଅନ୍ଧାରରେ ରଖିଥିଲେ I କେବଳ ସେତିକି ନୁହେଁ CESCO ର ଶ୍ରମିକ/କର୍ମଚାରୀ ଇଞ୍ଜିନିଅରମାନେ ମଧ୍ୟ ସେମାନଙ୍କ ଦରମା ପାଇବାରୁ ବଞ୍ଚିତ ହୋଇଥିଲେ I ଏହିପରି ଅବସ୍ଥା ସୃଷ୍ଟି ହେବାରୁ OERC CESCOର ଲାଇସେନ୍ସ ରଦ୍ଧ କରି ସୁରେଶ ମହାପାତ୍ର (IAS) ଙ୍କୁ Chief Executive ଅଫିସର ହିସାବରେ ନିଯୁକ୍ତି ଦେଇଥିଲେ I ଶ୍ରୀ ମହାପାତ୍ର ତା – ୩/୦୯/୨୦୦୧ରେ OERC କୁ ଯେଉଁ ରିପୋର୍ଟ ଦେଇଥିଲେ ସେଥିରେ ସ୍ପଷ୍ଟ ଜଣାଇଥିଲେଯେ, AES କମ୍ପାନୀ ୫୭୭ କୋଟି ଟଙ୍କା GRIDCO ର ବିଦ୍ୟୁତ କିଣା ବାବଦ ଅର୍ଥ ପୈଠ ନକରିବା ସହିତ ଅନ୍ୟାନ୍ୟ ଅର୍ଥ ମିଶି ୬୩୩ କୋଟି ଟଙ୍କା ଦେଇ ନାହିଁ I ସେହିପରି ପେନସନ ଟ୍ରଷ୍ଟ ଫଣ୍ଡ , ପ୍ରୋଭିଡେଣ୍ଟ ଫଣ୍ଡ ଟ୍ରଷ୍ଟ , କର୍ମଚାରୀଙ୍କ ଠାରୁ ଆଦାୟ କରି ପୈଠ କରି ନାହିଁ I ସପ୍ଲାୟର ପେମେଣ୍ଟ ମଧ୍ୟ ବାକି ରଖିଛି I ଏହାଛଡା ୧୭୪ କୋଟି ଟଙ୍କା ଯେଉଁ ଟଙ୍କାକି Working Capital ହିସାବରେ AES କମ୍ପାନୀକୁ ଦିଆଯାଇଥିଲା I ତାହା ମଧ୍ୟ ବାକି ରଖିଛି I ଆଜି ପର୍ଯ୍ୟନ୍ତ ଦୀର୍ଘ ୨୦ ବର୍ଷ ଧରି ବିଦ୍ୟୁତ ଉପଭୋକ୍ତାଙ୍କର ଏହି ଅର୍ଥ AES କମ୍ପାନୀ ଠାରୁ ଆଦାୟ କରାଯାଇପାରି ନାହିଁ I ଅନ୍ୟ ପକ୍ଷରେ AES କମ୍ପାନୀ GRIDCO ଏବଂ ରାଜ୍ୟ ସରକାରଙ୍କର ସହଯୋଗରେ OPGC ର ଉତ୍ପାଦିତ ବିଦ୍ୟୁତ Unit ପିଛା ମୂଲ୍ୟ ବୃଦ୍ଧି କରିବାରେ ଲାଗିଛି I ୩୧/୦୩/୧୯୯୯ ମସିହାରେ ରିଲାଏନ୍ସ ଅଧୀନରେ ଥିବା NESCO , WESCO ଓ SOUTHCO ର କାର୍ଯ୍ୟ ଦକ୍ଷତା ମଧ୍ୟ ଆହୁରି ଉଦବେଗ ଜନକ ଅବସ୍ଥାରେ ଥିଲା I ରାଜ୍ୟସରକାରଙ୍କର ବିନା ଅନୁମତିରେ ୫୧% ଅଂଶଧନକୁ ରିଲାଏନ୍ସ ପାୱାର ତାର ଅନ୍ୟାନ୍ୟ କମ୍ପାନୀକୁ ଟ୍ରାନ୍ସଫର କରି ଦେଇଥିଲା I ଗୋଟିଏ ହେଲେ ଅର୍ଥ DISCOM ଗୁଡିକରେ ଖର୍ଚ୍ଚ କରିନଥିଲା I ଏ ସଂକ୍ରାନ୍ତରେ ଶ୍ରମିକ କର୍ମଚାରୀମାନେ ବାରମ୍ବାର ପ୍ରତିବାଦର ସ୍ୱର ଉତ୍ତୋଳନ କରିବା ସହିତ OERC ର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ରାଜ୍ୟସରକାର ସେଥିପ୍ରତି କର୍ଣପାତ କରିନଥିଲେ I ବାଧ୍ୟ ହୋଇ କର୍ମଚାରୀ ସଂଗଠନ ତରଫରୁ ଉଚ୍ଚତମ ନ୍ୟାୟାଳୟର ଆଶ୍ରୟ ମଧ୍ୟ ନିଆଯାଇଥିଲା I ଶେଷରେ ୨୦୦୯ ମସିହାରେ OERC ର ତତ୍କାଳୀନ Chairman ରାଜ୍ୟର ତତ୍କାଳୀନ Chief Secretary ଏ.କେ ତ୍ରିପାଠୀଙ୍କୁ ଏକ DO ଲେଟର ଲେଖି ଜଣାଇଥିଲେ ଯେ, ରାଜ୍ୟରେ ୫୧% ଅଂଶଧନ ଥିବା ଘରୋଇ କମ୍ପାନୀ ଓ ୪୯% ଅଂଶଧନ ଥିବା ସରକାରଙ୍କ ତରଫରୁ ଦୀର୍ଘ ଦିନ ଧରି ଗୋଟିଏ ହେଲେ ଅର୍ଥ ବିଦ୍ୟୁତ ବିତରଣ କ୍ଷେତ୍ରରେ ବିନିଯୋଗ କରାଯାଉ ନାହିଁ I ବିଦ୍ୟୁତ ଲାଇନ ଓ ସବଷ୍ଟେସନ ଗୁଡିକର ରିପେୟାର ମେଣ୍ଟେନାନ୍ସ ମଧ୍ୟ ହେଉ ନାହିଁ I ଏପରି ଚାଲିଲେ ବିଦ୍ୟୁତ ସଂସ୍ଥା ଭୁଶୁଡି ପଡିବ I ଏଣୁ ତୁରନ୍ତ ରାଜ୍ୟସରକାର ଗୁରୁତ୍ୱାରୋପ କରି ପଦକ୍ଷପ ନେବା ଉଚିତ I ଏହାପରେ ୨୦୧୦ ମସିହାରେ ରାଜ୍ୟସରକାର ଏକ କ୍ୟାପେକ୍ସ ଯୋଜନାରେ ୨୪୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବ୍ୟବସ୍ଥା କଲେ I ସେଥିରେ ସ୍ୱୀକାର କଲେ ଯେ, ଲାଇନ ଓ ସବଷ୍ଟେସନ ଗୁଡିକର Life ୫୦ ବର୍ଷରୁ ଅଧିକ ହୋଇଗଲାଣି I ସେସବୁର ମରାମତି କ୍ଷେତ୍ରରେ ଘରୋଇ କମ୍ପାନୀ ଗୁଡିକ ବା ସରକାର ଗୋଟିଏ ହେଲେ ଅର୍ଥ ଖର୍ଚ୍ଚ କରିନାହାନ୍ତି I ସରକାରୀ ସବସିଡ଼ ମଧ୍ୟ ଦିଆଯାଉନାହିଁ I ସେଥିପାଇଁ କ୍ୟାପେକ୍ସ ଅର୍ଥ ବରାଦ କରାଗଲା I ହେଲେ ଘରୋଇ କମ୍ପାନୀ ଗୁଡିକର ଅସହଯୋଗ ଯୋଗୁ ସେହି ବରାଦ ଅର୍ଥରୁ ମାତ୍ର ୯୦୦ କୋଟି ଟଙ୍କା ଖର୍ଚ୍ଚ ହୋଇ ପାରିଲା I ରିଲାଏନ୍ସ କମ୍ପାନୀକୁ ଏହିପରି ଅସହଯୋଗ ଯୋଗୁ OERC ବାଧ୍ୟ ହୋଇ ୨୦୧୫ ମସିହାରେ ତାର ଲାଇସେନ୍ସ ପ୍ରତ୍ୟାହାର କଲେ I ରିଲାଏନ୍ସ କମ୍ପାନୀ ଉପରେ କୋଟି କୋଟି ଟଙ୍କା ବାକି ଥିବା ବିଷୟ OERC ତାଙ୍କ ୪/୩/୨୦୧୫ ଅର୍ଡରରେ ଉଲ୍ଲେଖ କରିଛନ୍ତି I ଏହିପରି ପରିସ୍ଥିତରେ ଘରୋଇ କମ୍ପାନୀ ଗୁଡିକର ଅପାରଗତା ଦୀର୍ଘ ୨୦ବର୍ଷ ଧରି ରାଜ୍ୟ ସରକାର ଜାଣିଥିଲେ ମଧ୍ୟ ଗତ ୧୩/୧୨/୨୦୧୯ ଦିନ CESU ର ୪୯% ଅଂଶଧନ ନିଜ ଅଧୀନରେ ରଖିବାକୁ OERC କୁ ଜଣାଇବା ଦ୍ୱାରା ପୁନର୍ବାର ଘରୋଇ କମ୍ପାନୀକୁ ବିଦ୍ୟୁତ ବିତରଣ କ୍ଷେତ୍ରରେ ପ୍ରବେଶ କରିବାର ବ୍ୟବସ୍ଥା ଜଳ ଜଳ ହୋଇ ଦେଖାଯାଉଛି I ନିକଟରେ TATA POWER କୁ ଏକ Single Bid ପ୍ରକ୍ରିୟାରେ OERC ଲାଇସେନ୍ସ ପ୍ରାଦନ କରିବା ବିଷୟ ପ୍ରକାଶ ପାଇଛି I ଏହି କମ୍ପାନୀକୁ CESU ର ୫୧% ଅଂଶଧନ ହସ୍ତାନ୍ତର କରିବା ପୂର୍ବରୁ ଶ୍ରମିକ କର୍ମଚାରୀମାନଙ୍କର ଚାକିରିର ସର୍ତ୍ତାବଳି , ପେନସନ ଟ୍ରଷ୍ଟ , ଇପିଏଫ ବାବଦରେ ଅର୍ଥ ଡିପୋଜିଟ କରିନଥିବା CESCO କର୍ତ୍ତୃପକ୍ଷ ବା OERC କୌଣସି ପଦକ୍ଷପ ନେଇନାହାନ୍ତି I କର୍ମଚାରୀ ମାନଙ୍କର ୧୦% ଅଂଶଧନ ଉପରେ ମାଲିକାନା ଥିଲାବେଳେ ତାଙ୍କ ସହ କୌଣସି ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇନାହିଁ I ୨୦୧୦-୧୧ ମସିହାରେ ଲାଭ କରୁଥିବା CESU କାହିଁକି ହଠାତ ଏପରି କ୍ଷତିର ସମ୍ମୁଖୀନ ହେଲା OERC ତାର ବିଧିବଦ୍ଧ ତଦନ୍ତ ନକରି ଓ ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଘରୋଇକରଣ ପ୍ରକ୍ରିୟା ଆରମ୍ଭ କରିବା ଏକ ଜନ ବିରୋଧୀ କାର୍ଯ୍ୟ I ଦେଶରେ କୌଣସି ରାଜ୍ୟରେ ଘରୋଇ କମ୍ପାନୀ ମାନଙ୍କୁ ବିଦ୍ୟୁତ ବିତରଣ ଦାୟିତ୍ୱ ଦିଆଯାଇନଥିବାବେଳେ ରାଜ୍ୟ ସରକାର କାହିଁକି ଏପରି ପଦକ୍ଷପ ନେଇ ବିଦ୍ୟୁତ ଗ୍ରାହକଙ୍କ ଅର୍ଥକୁ ହରିଲୁଟ କରିବାରେ ସହାୟତା କରୁଛନ୍ତି, ତାହା ଜଣାପଡୁ ନାହିଁ I ବର୍ତ୍ତମାନ CESU ର ୧ ହାଜର ୯୦୦ କୋଟି ଟଙ୍କା ବିଭିନ୍ନ ବିଦ୍ୟୁତ ଗ୍ରାହକ ଉପଭୋକ୍ତାଙ୍କ ଉପରେ ବାକିଥିବା ବିଷୟ CESU ର ବର୍ତ୍ତମାନର CEO ଅରୁଣ ବୋଥ୍ରା ସର୍ବସାଧାରଣରେ ପ୍ରକାଶ କରିଛନ୍ତି ଶ୍ରମିକ/କର୍ମଚାରୀ ଇଞ୍ଜିନିଅରଙ୍କ ସହଯୋଗରେ CESU କୁ ଏକ ଲାଭଜନକ କମ୍ପାନୀରେ ପରିଣତ କରିବାର କାର୍ଯ୍ୟକ୍ରମ ଗ୍ରହଣ କରୁଥିବାବେଳେ ରାଜ୍ୟସରକାର ଜାଣିଶୁଣି ପୁନର୍ବାର ଘରୋଇ କମ୍ପାନୀ ମାନଙ୍କୁ ବିଦ୍ୟୁତ ବିତରଣ କ୍ଷେତ୍ରରେ ପ୍ରବେଶ କରୁଥିବାରୁ ଉପଭୋକ୍ତାଙ୍କ ସମେତ ଶ୍ରମିକ/କର୍ମଚାରୀ ଇଞ୍ଜିନିୟର ସଂଗଠନମାନଙ୍କ ତରଫରୁ ଏହାକୁ ଦୃଢ ବିରୋଧ କରାଯାଉଛି I କୌଣସି ଘରୋଇ କମ୍ପାନୀକୁ CESU ର ଲାଇସେନ୍ସ ଯଦି ପ୍ରଦାନ କରାଯାଏ ତାହାହେଲେ ସେ କମ୍ପାନୀକୁ ଶ୍ରମିକ କର୍ମଚାରୀ ଇଞ୍ଜିନିୟରମାନେ ସହଯୋଗ କରିବେ ନାହିଁ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ଉପଭୋକ୍ତା ମହାସଂଘର ସଭାପତି ରମେଶ ଶତପଥୀଙ୍କ ସମେତ ଶ୍ରମିକ ନେତା ଯତୀନ୍ଦ୍ର କୁମାର ରାୟ ,ପ୍ରଶାନ୍ତ କୁମାର ମହାପାତ୍ର ,ଅକ୍ଷୟ କୁମାର ପାଢ଼ୀ,ବିଜୟ କୁମାର ପାତ୍ର , ଅକ୍ଷୟ କୁମାର ତ୍ରିପାଠୀ , ସତ୍ୟବାଦୀ ବାଗ, ହେମନ୍ତ କୁମାର ଦାସ ,ନଳିନୀକାନ୍ତ ବିଶ୍ୱାଳ,ସଞ୍ଜୀବ ପ୍ରସାଦ ବେହେରା ପ୍ରମୁଖ ପ୍ରକାଶ କରିଛନ୍ତି l

Spread the love