ସ୍ୱତନ୍ତ୍ର ଗ୍ରାଂଟ ଜରିଆରେ ଆର୍ଥିକ ସହାୟତା ପ୍ରଦାନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିବେଦନ କଲା ଜିଲ୍ଲା ବିଜେପି

ଭୁବନେଶ୍ୱର,ତା.୦୭/୦୧: ଭୁବନେଶ୍ୱର ସହରର ଜନସଂଖ୍ୟା କ୍ରମାଗତ ବୃଦ୍ଧି ପାଇଚାଲିଥିବା କାରଣରୁ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବାର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇଛି । ପୁରୁଣା ଭୁବନେଶ୍ୱରସ୍ଥିତ ମ୍ୟୁନିସିପାଲ ହସପିଟାଲ ଏକ ପୁରାତନ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏହା ଉପରେ ବର୍ତମାନ ପାଖାପାଖି ଦୁଇ ଲକ୍ଷରୁ ଉର୍ଦ୍ଧ୍ୱ ରାଜଧାନିବାସୀ ନିର୍ଭରଶୀଳ । ଏହି ହସ୍ପିଟାଲଟି ଦୀର୍ଘ ଦିନ ହେବ ଅବହେଳିତ ଅବସ୍ଥାରେ ରହିଛି । ବାରମ୍ବାର ରାଜ୍ୟ ସରକାରଙ୍କୁ ବିଜେପି ଦୃଷ୍ଟ ଦେବାକୁ କହୁଥିଲେ ମଧ୍ୟ ରାଜ୍ୟ ସରକାର ସ୍ଥାଣୁ ହୋଇ ଲୋକଙ୍କୁ ଅସୁବିଧାକୁ ଠେଲି ଦେଉଛନ୍ତି । କିନ୍ତୁ ରାଜ୍ୟ ସରକାର ଏବଂ ସ୍ଥାନୀୟ କତୃପକ୍ଷଙ୍କ ଆନ୍ତରିକତା ଅଭାବ ଏବଂ ବିହୀତ ପଦକ୍ଷେପ ଗ୍ରହଣ ନକରିବାରୁ ଏହି ହସପିଟାଲକୁ ଆସୁଥିବା ରୋଗୀମାନେ ସଠିକ୍ ଚିକିତ୍ସା ପାଇବାରୁ ବଂଚିତ ହେଉଛନ୍ତି । ରୋଗୀମାନେ ମୈାଳିକ ସୁବିଧା ସୁଯୋଗ ପାଇବାରୁ ବଂଚିତ ହେଉଛନ୍ତି । ସହରର ଏହି ପୁରାତନ ହସପିଟାଲରେ ଆବଶ୍ୟକୀୟ ଭିତିଭୁମି, ଡାକ୍ତର, ମେଡିକାଲ ଷ୍ଟାଫ, ମେଡିକାଲ ଉପକରଣ ଆଦି ଯୋଗାଇ ଦିଆଗଲେ ଅଂଚଳବାସୀ ସ୍ୱାସ୍ଥ୍ୟ ସେବା ପାଇ ଲାଭାନ୍ୱିତ ହୁଅନ୍ତେ । ଅଂଚଳବାସୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଏହି ହସପିଟାଲକୁ ସ୍ୱତନ୍ତ୍ର ଗ୍ରାଂଟ ଜରିଆରେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ତଥା ଏକାମ୍ର ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ବାବୁ ସିଂ ଆଜି ଓଡିଶା ଗସ୍ତରେ ଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମନସୁଖ୍‌ଲାଲ୍ ମାଣ୍ଡଭିୟାଙ୍କୁ ଭେଟି ନିବେଦନ କରିବା ସହିତ ଏ ସଂକ୍ରାନ୍ତରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ଏହି ଅବସରରେ ଲିଙ୍ଗରାଜ ମଙ୍ଗଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଭୀମଟାଙ୍ଗି ଅଂଚଳର ପୂର୍ବତନ କର୍ପୋରେଟର ସୁଭାସିନୀ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love