ମୋଦି ସରକାରଙ୍କ ବଡ ନିଷ୍ପତ୍ତି! ମୁକ୍ତ ଶ୍ରେଣୀରେ ରହିବ ଡାଲିଜାତୀୟ ଦ୍ରବ୍ୟର ଆମଦାନୀ

ନୂଆଦିଲ୍ଲୀ ୩୦।୩: ଦେଶରେ ଘରୋଇ ଯୋଗାଣ ବୃଦ୍ଧି ଓ ଦର ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାର ମାର୍ଚ୍ଚ ୨୦୨୩ ପର୍ଯ୍ୟ ଡାଲି ଓ ବିରିର ଆମଦାନୀକୁ ମୁକ୍ତ ଶ୍ରେଣୀରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରି ଶ୍ରେଣୀଭୁକ୍ତ କରାଯିବାର ଉଦ୍ଦେଶ୍ୟ ହେଉଛି ଦେଶକୁ ଡାଲି ଆମଦାନୀ ଅବାଧ କରିବା। ଏ ବାବଦରେ ସରକାରଙ୍କ ପକ୍ଷରୁ ଏକ ବୟାନ ମଧ୍ୟ ଜାରି କରାଯାଇଛି। ଏଥିରେ ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀ ମୂଲ୍ୟ ନିୟନ୍ତ୍ରଣ ଲାଗି ଡାଲିକୁ ମୁକ୍ତ ଶ୍ରେଣୀରେ ରଖା ଯାଇଥିବା ଘୋଷଣା ହୋଇଛି।

ସରକାରଙ୍କ ଏହି ନୀତି ଯୋଗୁ ସବୁ ହିତାଧିକାରୀ ଲାଭବାନ ହୋଇପାରିବେ ବୋଲି ଏବେ ଆଶା କରାଯାଉଛି। ଏହି ନିଷ୍ପତ୍ତି ଏକ ସ୍ଥିର ବ୍ୟବସ୍ଥା ଆଡକୁ ମଧ୍ୟ ଇଙ୍ଗିତ କରୁଛି। ଏଣୁ ଡାଲି ଆମଦାନୀ ନେଇ ନୀତିଗତ ବ୍ୟବସ୍ଥା ସମ୍ପର୍କିତ ସବୁପ୍ରକାର ଶଙ୍କା ଓ ଆଶଙ୍କାରେ ବିରାମ ଲଗାଇ ଦେଇଛି। ଏହା ଦ୍ୱାରା ଦେଶରେ ଡାଲିର ଉପଲବ୍ଧତା ବଢିବା ସହିତ ନିର୍ବାଧ ଆମଦାନୀ ମଧ୍ୟ ନିଶ୍ଚିତ ହୋଇପାରିବ। ଫଳରେ ବଜାର ଦର ମଧ୍ୟ ସ୍ଥିର ଓ ନିୟନ୍ତ୍ରିତ ରହି ପାରିବ ବୋଲି ଏବେ ଆଶା କରାଯାଉଛି। ମୂଲ୍ୟ ହ୍ରାସ ହେଲେ ଗ୍ରାହକ ସିଧାଶଳଖ ଉପକୃତ ହେବେ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର ୧୫ ମେ ୨୦୨୧ରେ ମୁଗ, ହରଡ ଓ ବିରି ଆମଦାନୀକୁ ମୁକ୍ତ ଶ୍ରେଣୀଭୁକ୍ତ କରିଥିଲେ। ଏହା ୩୧ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ବୈଧ ଥିଲା। ତେବେ ପରେ ଏଥିରୁ ମୁଗଡାଲିକୁ ବାହାର କରିଦିଆଯାଇଥିବା ବେଳେ ହରଡ ଓ ବିରି ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ମୁକ୍ତ ଶ୍ରେଣୀରେ ଥିଲା।  ଏବେ ସରକାର ଆଗାମୀ ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଡାଲିଜାତୀୟ ଖାଦ୍ୟଶସ୍ୟକୁ ମୁକ୍ତ ଶ୍ରେଣୀରେ ରଖିବାକୁ ଘୋଷଣା କରିଛନ୍ତି।

ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟଙ୍କ ଅନୁସାରେ ୨୮ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଦେଶର ବଜାରରେ ୧ କେଜି ହରଡାଲିର ହାରାହାରି ଖୁଚୁରା ମୂଲ୍ୟ ୧୦୨ଟଙ୍କା ୯୯ ପଇସା ଥିଲା। ଯାହା ୨୦୨୧ ମସିହା ଏହି ଦିନର ଦର ୧୦୫ଟଙ୍କା ୪୬ ପଇସା ତୁଳନାରେ ୨.୪ ପ୍ରତିଶତ କମ ଥିଲା। ସେହିପରି ବଜାରରେ ମାର୍ଚ୍ଚ ୨୮ ତାରିଖ ଦିନ ୧ କେଜି ବିରିଡାଲିର ମୂଲ୍ୟ ୧୦୪ଟଙ୍କା ୩ ପଇସା ଦରରେ ବିକ୍ରି ହେଉଥିଲା।     

Spread the love