ଠିକା ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗ, ଲୋୟର ପିଏମଜିରେ ଗର୍ଜିଲେ ଲକ୍ଷାଧିକ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର ଲୋୟର ପିଏମଜିରେ ପ୍ରାଥମିକ ଶିକ୍ଷକଙ୍କ ବିକ୍ଷୋଭ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରୁଥିବା ରାଜ୍ୟର ୧ ଲକ୍ଷ ୩୬ ହଜାର ଶିକ୍ଷକଶିକ୍ଷୟିତ୍ରୀଙ୍କ ରାଲି ଓ ଧାରଣା । ୩ ଦଫା ଦାବିରେ ଲକ୍ଷାଧିକ ଶିକ୍ଷକ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି । ପ୍ରାଥମିକ ଶିକ୍ଷକ ମିଳିତ ମଞ୍ଚ ଆହ୍ଵାନରେ ହେଉଥିବା ଏହି ଆନ୍ଦୋଳନରେ ପ୍ରଥମ ଦାବି ରହିଛି ଶିକ୍ଷା ସହାୟକ ଭାବେ ନିଯୁକ୍ତ ହୋଇଥିବା ୬ ବର୍ଷ ସମୟକୁ ରେଗୁଲାର ନିଯୁକ୍ତି ଭାବେ ବିବେଚନା କରି ଇନକ୍ରିମେଣ୍ଟ ପ୍ରଦାନ କରିବା। କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ନୂତନ ପେନସନ ନୀତି ପରିବର୍ତ୍ତେ ପୁରୁଣା ପେନସନ ନୀତିକୁ ଲାଗୁ ପାଇଁ ଦାବି କରାଯାଇଛି । ୨୦୦୧ ମସିହାରୁ ରାଜ୍ୟରେ ଶିକ୍ଷା ସହାୟକ ନିଯୁକ୍ତି ଆରମ୍ଭ ହୋଇଥିଲା ବେଳେ, ମାତ୍ର ୧୫୦୦ ଟଙ୍କାରେ ଏହି ଶିକ୍ଷକ ମାନେ କାର୍ଯ୍ୟ ସମ୍ପାଦନ କରିଥିଲେ । ୬ ବର୍ଷ ପରେ ଶିକ୍ଷା ସହାୟକ ନିୟମିତ ଶିକ୍ଷକର ମାନ୍ୟତା ପାଇଥିଲେ। ଏହା ସହିତ ସମାନ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ହାଇସ୍କୁଲ ଶିକ୍ଷକ ମାନଙ୍କଠାରୁ କମ୍‌ ଦରମା ପାଉଥିବା ଏହି ପ୍ରାଥମିକ ଶିକ୍ଷକମାନେ ଅଭିଯୋଗ କରିଛନ୍ତି। ହାଇସ୍କୁଲର ଠିକା ଶିକ୍ଷକଙ୍କୁ ମୂଳ ନିଯୁକ୍ତି ତାରିଖରୁ ନିୟମିତ କରାଯାଇ ଥିବା ବେଳେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ତାହାର ବ୍ୟତିକ୍ରମ ହୋଇ ୬ ବର୍ଷର ଶିକ୍ଷା ସହାୟକ ସମୟକୁ ଗଣତି ହେଉ ନଥିବା ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ ଶିକ୍ଷକ ।

Spread the love