ଆଇଆଇଏମ୍ ସମ୍ବଲପୁର କ୍ୟାମ୍ପସ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସମ୍ବଲପୁର: ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇଆଇଏମ୍ ସମ୍ବଲପୁର କ୍ୟାମ୍ପସ ଲୋକାର୍ପିତ ହୋଇଛି। ଏହାକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ, ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଜଳସଂପଦ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ, ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ଓ ଆଇଆଇଏମ୍ ନିର୍ଦେଶକ ପ୍ରଫେସର୍ ମହାଦେବ ଜୟସ୍ବାଲ୍ ପ୍ରମୁଖ ଉପସ୍ଥିତ ଥିଲେ। ଗତ ୨୦୨୧ରେ କୋଭିଡ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଭିଡିଓ କନଫରେନ୍ସିଂ ଜରିଆରେ ଆଇଆଇଏମ୍‌ ସମ୍ବଲପୁରର ନୂତନ କ୍ୟାମ୍ପସ ଶିଳାନ୍ୟାସ କରିଥିଲେ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ପ୍ରଧାନମନ୍ତ୍ରୀ ସବୁବେଳେ କୁହନ୍ତି, ଯେଉଁ ପ୍ରକଳ୍ପକୁ ଆମ ସରକାର ଆରମ୍ଭ କରେ, ସେହି ପ୍ରକଳ୍ପକୁ ଲୋକାର୍ପଣ ମଧ୍ୟ କରେ । ଭାରତ ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ପ୍ରାୟ ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇଆଇଏମ୍ ସମ୍ବଲପୁର କ୍ୟାମ୍ପସର ମଧ୍ୟ ଲୋକାର୍ପଣ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୨୭,୨୧୨ ଟଙ୍କା ନିବେଶରେ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ର ତାଲାବିରା ଠାରେ ୨୪୦୦ ମେଗାୱାଟ କୋଇଲା ଆଧାରିତ ଥର୍ମାଲ ପାୱାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ ୮୦୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ ସହିତ ୮୦୦ ମେଗାୱାଟ ପ୍ରକଳ୍ପର ମଧ୍ୟ ଯୋଜନା କରାଯାଇଛି। ଏହି ପ୍ରକଳ୍ପ ନିମନ୍ତେ ନିକଟବର୍ତ୍ତୀ ତଲାବିରା ୨ ଓ ୩ ଖଣିରୁ କୋଇଲା ଯୋଗାଣ କରାଯାଇଛି। ଏହି ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ଓ ଅନ୍ୟ ରାଜ୍ୟଗୁଡ଼ିକୁ ୧୭୮୭ କୋଟି ୟୁନିଟ୍ ବିଜୁଳି ଯୋଗାଇ ଦେବ।
ସେହିପରି ‘ଜଗଦୀଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପାଇପଲାଇନ ପ୍ରକଳ୍ପ’ ର ‘ଧାମରା – ଅନୁଗୁଳ ୪୧୨ କିମି ଦୈର୍ଘ୍ୟ ପାଇପଲାଇନ ସେକ୍ସନ’ କୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି। ‘ପ୍ରଧାନ ମନ୍ତ୍ରୀ ଉର୍ଜା ଗଙ୍ଗା’ ଯୋଜନା ଅଧୀନରେ ୨୪୫୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଓଡ଼ିଶାକୁ ଜାତୀୟ ଗ୍ୟାସ୍‌ ଗ୍ରିଡ୍‌ ସହିତ ସଂଯୋଗ କରିବ। ସେ ମୁମ୍ବାଇ-ନାଗପୁର-ଝାରସୁଗୁଡା ପାଇପ୍‌ଲାଇନର ‘ନାଗପୁର ଝାରସୁଗୁଡ଼ା ପ୍ରାକୃତିକ ଗ୍ୟାସ ପାଇପ୍‌ଲାଇନ ବିଭାଗ’ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ୬୯୨ କିମି ବିଶିଷ୍ଟ ୨୬୬୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ବିକଶିତ ହେବାକୁ ଥିବା ଏହି ପ୍ରକଳ୍ପ ଓଡ଼ିଶା, ମହାରାଷ୍ଟ୍ର ଏବଂ ଛତିଶଗଡ ଭଳି ରାଜ୍ୟରେ ପ୍ରାକୃତିକ ଗ୍ୟାସ ଉପଲବ୍ଧତାକୁ ସୁଦୃଢ଼ କରିବ।

ସୁନ୍ଦରଗଡ ଜିଲ୍ଲାର ଏନ୍‌ଟିପିସି ଦର୍ଲିପାଲି ସୁପର୍‌ ଥର୍ମାଲ ପାୱାର ଷ୍ଟେସନ ଏବଂ ଏନ୍‌ଏସ୍‌ପିସିଏଲ୍‌ ରାଉରକେଲା ପିପି-୨ ପ୍ରକଳ୍ପ ବିସ୍ତାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି ଏବଂ ଏନ୍‌ଟିପିସି ତାଳଚେର ଥର୍ମାଲ ପାୱାର ପ୍ରକଳ୍ପ ତୃତୀୟ ପର୍ଯ୍ୟାୟର ଶିଳାନ୍ୟାସ କରିଛନ୍ତି।
ଏମ୍‌ସିଏଲ୍‌ର ପ୍ରାୟ ୨୧୪୫ କୋଟି ଟଙ୍କା ମୂଲ୍ୟରେ ନିର୍ମିତ ଭୁବନେଶ୍ୱରୀ ଫେଜ-୧ ପର୍ଯ୍ୟାୟ ଏବଂ ଲାଜକୁରା ଆର୍‌ଏଲ୍‌ଏସ୍‌ ସହିତ କୋହଳ ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଝାରସୁଗୁଡ଼ା ୫୫୦ କୋଟିରୁ ଅଧିକ ମୂଲ୍ୟରେ ନିର୍ମିତ ଇବ୍‌ ଭ୍ୟାଲି ୱାସେରିକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ପ୍ରାୟ ୮୭୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଝାରସୁଗୁଡା-ବରପାଲି-ସରଡ଼େଗା ରେଳଲାଇନ ପ୍ରଥମ ସୋପାନର ୫୦ କିଲୋମିଟର ଲମ୍ବା ଦ୍ୱିତୀୟ ଟ୍ରାକ୍କୁ ସେ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ପ୍ରାୟ ୨୧୧୦ କୋଟି ଟଙ୍କା ବ୍ୟୟରେ ବିକଶିତ ଜାତୀୟ ରାଜପଥର ତିନୋଟି ସଡ଼କ ପ୍ରକଳ୍ପକୁ ମୁଲି-କୋଇଡା ସେକ୍ସନର ଚାରି ଲେନ, ବୀରମିତ୍ରପୁର-ବ୍ରାହ୍ମଣୀ ବାଇପାସ୍ ପାର୍ଶ୍ୱ ସେକ୍ସନ ଏବଂ ବ୍ରାହ୍ମଣୀ ବାଇପାସ୍ ପାର୍ଶ୍ୱ -ରାଜାମୁଣ୍ଡା ସେକ୍ସନର ଚାରି ଲେନ୍‌ର ମଧ୍ୟ ଉଦ୍‌ଘାଟନ କରିଛନ୍ତି। ପ୍ରାୟ ୨୧୪୬ କୋଟି ଟଙ୍କାର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ। ଶୈଳଶ୍ରୀ ରାଜପ୍ରାସାଦର ସ୍ଥାପତ୍ୟ ଦ୍ବାରା ଅନୁପ୍ରାଣିତ ସମ୍ବଲପୁର ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେ ଏହି ଅଞ୍ଚଳରେ ରେଳ ନେଟୱାର୍କର କ୍ଷମତା ବୃଦ୍ଧି କରି ସମ୍ବଲପୁର-ତାଳଚେର ଦୋହରୀକରଣ ରେଳଲାଇନ ଏବଂ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳପଥର ଝାରତରଭା-ସୋନପୁର ନୂତନ ରେଳଲାଇନକୁ ଦେଶକୁ ସମର୍ପିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ ସବୁଜ ପତାକା ପ୍ରଦର୍ଶନ କରି ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡା ହେଡ୍ ପୋଷ୍ଟ ଅଫିସ୍ ହେରିଟେଜ୍ ବିଲଡିଂକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି।

Spread the love