ଭାରତ ଛଡ଼ା କୌଣସି ଦେଶ ଅର୍ଥ ଦେଉନାହାନ୍ତି: ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ
କଲମ୍ବୋ: ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ବେଳେ ଇନ୍ଧନ ନିମନ୍ତେ ଭାରତ ଛଡ଼ା ଅନ୍ୟ କୌଣସି ଦେଶ ଅର୍ଥ ଯୋଗାଇ ଦେଉନାହାନ୍ତି ବୋଲି ଗତକାଲି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମସିଂହେ କହିଛନ୍ତି।ଏହାଛଡ଼ା, ଶ୍ରୀଲଙ୍କାକୁ ସହାୟତା ବ୍ୟବସ୍ଥା ଯୋଗାଇଦେବା ପ୍ରକ୍ରିୟା ତ୍ବରାନ୍ବିତ କରିବା ଲାଗି ସେ ସଂସଦରେ ଉଦ୍ବୋଧନ ଦେଇ ‘ଇଣ୍ଟର୍ନ୍ୟାସ୍ନାଲ୍ ମନିଟାରି ଫଣ୍ଡ୍’କୁ ଅନୁରୋଧ କରିଛନ୍ତି। ସହାୟତା ଆସିବା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ମୁଁ ଆପ୍ରାଣ ଉଦ୍ୟମ ଚଳାଇଛି ଏବଂ ସେପ୍ଟେମ୍ବର ଶେଷ ସୁଦ୍ଧା ଅର୍ଥ ମିଳବ ବୋଲି ଆଶା କରୁଛି ବୋଲି ସେ କହିଛନ୍ତି। ଆଗାମୀ ୬ ମାସ ପାଇଁ ଦେଶକୁ ସଚଳ ରଖିବା ଲାଗି ସେ ୬ ନିୟୁତ ବିଲିୟନ୍ ଡଲାର୍ ପାଇଁ ଅନୁରୋଧ କରିଛନ୍ତି।ରାଷ୍ଟ୍ରାୟତ ‘ସିଲୋନ୍ ଇଲେକ୍ଟ୍ରିସିଟି ବୋର୍ଡ’ର ଇଞ୍ଜିନିୟର୍ମାନଙ୍କର ଯୋଜନାବଦ୍ଧ ଧର୍ମଘଟକୁ ଉଦ୍ଦେଶ୍ୟ କରି ସେ କହିଛନ୍ତି, ପ୍ଲାକାର୍ଡ ଧରି ଧର୍ମଘଟ କରନ୍ତୁ, ଦୟାକରି ବିଦ୍ୟୁତ୍ କାଟ କରନ୍ତୁ ନାହିଁ। ସେମିତି କଲେ ଭାରତରୁ ସହାୟତା ମାଗିବା ପାଇଁ ମୋତେ କୁହନ୍ତୁ ନାହିଁ। ଇନ୍ଧନ ଏବଂ କୋଇଲା ପାଇଁ ଆମକୁ କୌଣସି ଦେଶ ଅର୍ଥ ଦେଉନାହାନ୍ତି। କେବଳ ଭାରତ ଦେଉଛି। ଆମର ଭାରତୀୟ କ୍ରେଡିଟ୍ଲାଇନ୍ ଏବେ ଶେଷ ହେବା ପର୍ଯ୍ୟାୟରେ ପହଞ୍ଚିଲାଣି।