ଯେଉଁ ଦେଶର ଯୁବଶକ୍ତି ଯେତେ ଅଧିକ ସଶକ୍ତ, ଉନ୍ନତ ହେବ ସେ ଦେଶ ସେତେ ଉନ୍ନତି କରିବ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭିଡିଓ ବାର୍ତ୍ତା ମାଧ୍ୟମରେ କୌଶଳ ଦୀକ୍ଷାନ୍ତ ସମାରୋହରେ ଉଦ୍ବୋଧନ ଦେଇଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଦକ୍ଷତା (କୌଶଳ) ବିକାଶର ଏକ ଉତ୍ସବ। ଏହା ଆପଣା ଢଙ୍ଗରେ ଅଦ୍ୱିତୀୟ। ଦେଶର ବିଭିନ୍ନ ଦକ୍ଷତା ବିକାଶ ଅନୁଷ୍ଠାନ ପକ୍ଷରୁ ଆଜି ଯେଉଁ ମିଳିତ ଦୀକ୍ଷାନ୍ତ ସମାରୋହ ଆୟୋଜନ କରାଯାଇଛି ତାହା ବେଶ୍ ସ୍ୱାଗତଯୋଗ୍ୟ। ଏହି କୌଶଳ ଦୀକ୍ଷାନ୍ତ ସମାରୋହ ଆଜିକାର ଭାରତର ଅଗ୍ରାଧିକାରକୁ ପ୍ରତିଫଳିତ କରୁଛି। ଏହି ସମାରୋହରେ ଭାଗ ନେଇଥିବା ହଜାର ହଜାର ଯୁବକ ଯୁବତୀଙ୍କୁ ସେ ଶୁଭେଚ୍ଛା ଜ୍ଞାପନ କରିଥିଲେ।
ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଯୁବଶକ୍ତିର ଗୁରୁତ୍ୱ ଉପରେ ଅଧିକ ଜୋର୍ ଦେଇଛନ୍ତି। ସେ କହିଛନ୍ତି ଯେ ଯେଉଁ ଦେଶର ଯୁବଶକ୍ତି ଯେତେ ଅଧିକ ସଶକ୍ତ ଓ ଉନ୍ନତ ହେବ ସେ ଦେଶ ସେତେ ଉନ୍ନତି କରିବ। ଏହା ଦ୍ୱାରା ରାଷ୍ଟ୍ରର ପ୍ରାକୃତିକ ସମ୍ବଳର ସୁବିନିଯୋଗ ହୋଇ ଏ କ୍ଷେତ୍ରରେ ଉପଯୁକ୍ତ ନ୍ୟାୟ ପ୍ରଦାନ କରିହେବ। ଦେଶର ଦୀର୍ଘ ବେଳାଭୂମି ଓ ଖଣିଜ ସମ୍ପଦ ସବୁର ଉପଯୁକ୍ତ ବିନିଯୋଗ ପାଇଁ କୁଶଳୀ ଓ ସୁଦୃଢ ଲୋକଶକ୍ତିର ବିଶେଷ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଭାରତ ଏବେ ଏଭଳି ବିଚାରକୁ ଗୁରୁତ୍ୱ ଦେଇ ଯୁବଶକ୍ତିକୁ ସୁଦୃଢ ତଥା କୁଶଳୀ କରୁଛି। ଏହା ଫଳରେ ସମଗ୍ର ବ୍ୟବସ୍ଥାରେ ଅଭୂତପୂର୍ବ ଉନ୍ନତି ପରିଲକ୍ଷିତ ହେଉଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଏ କ୍ଷେତ୍ରରେ ଦ୍ୱିମୁଖୀ ଆଭିମୁଖ୍ୟ ଗ୍ରହଣ କରି କାମ କରିଛନ୍ତି। ଦୀର୍ଘ ଚାଳିଶ ବର୍ଷ ପରେ ଦେଶରେ ନୂଆ ଶିକ୍ଷାନୀତି ଏଥି ପାଇଁ ସରକାର କାର୍ଯ୍ୟକାରୀ କରିଛନ୍ତି। ଦୀର୍ଘ ଚାଳିଶବର୍ଷ ପରେ ଦେଶରେ ନୂଆ ଶିକ୍ଷାନୀତି ପରିବର୍ତ୍ତିତ ସମୟର ଆବଶ୍ୟକତା ପୂରଣ ପାଇଁ ପ୍ରବର୍ତ୍ତିତ ହୋଇଛି। ସରକାର ଏବେ ଦେଶରେ ବହୁ ସଂଖ୍ୟାରେ ମେଡିକାଲ କଲେଜ, ଆଇଆଇଟି, ଆଇଆଇଏମ୍ ଓ ଆଇଟିଆଇ ଭଳି ଅନେକ ବୈଷୟିକ ଶିଷାନୁଷ୍ଠାନ ପ୍ରତିଷ୍ଠା କରୁଛନ୍ତି। କୋଟି କୋଟି ଯୁବକ ଯୁବତୀଙ୍କୁ ପ୍ରଧାନମନ୍ତ୍ରୀ କୁଶଳ ବିକାଶ ଯୋଜନାରେ ତାଲିମ ପ୍ରଦାନ କରାଯାଉଛି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ପାରମ୍ପରିକ କ୍ଷେତ୍ର ଯାହା ଲୋକଙ୍କୁ ନିଯୁକ୍ତି ଦେଇଥାଏ ସେସବୁକୁ ସରକାର ସୁଦୃଢ କରୁଛନ୍ତି।