ଆନ୍ଦୋଳନରୁ ଓହରିଲା ଘରୋଇ ବସ୍ ମାଲିକ ସଂଘ

ବ୍ରହ୍ମପୁର:  ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବନ୍ଦ ହେବନି ବସ୍ ସେବା । ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ନିଷ୍ପତ୍ତି ହୋଇଛି । ଆଲୋଚନା ପରେ ଆନ୍ଦୋଳନରୁ ଓହରିଛି ଘରୋଇ ବସ୍ ମାଲିକ ସଂଘ । ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା ଘରୋଇ ବସ୍ ମାଲିକ ସଂଘ । ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ବନ୍ଦ ଡାକରା ଦେଇଥିଲା ସଂଘ ।  ସଂଧ୍ୟା ୬ଟାରୁ ୮ ତାରିଖ ସଂଧ୍ୟା ୬ଟା ଯାଏଁ ୧୪ ଜିଲ୍ଲାରେ ଘରୋଇ ବସ୍ ଗଡ଼ିବନି ବୋଲି ଚେତାବନୀ ଦେଇଥିଲେ ସଂଘର ସଦସ୍ୟ ।

ସୂଚନା ଅନୁସାରେ ପୂର୍ଵ ସରକାରଙ୍କ ଅମଳରେ ଚଳାଚଳ କରୁଥିବା ଲଷ୍ମୀ ବସ ଏବେ ମୁଖ୍ୟମନ୍ତ୍ରୀ ବସ ସେବାରେ ନାମିତ ହୋଇଥିବା ସହ ଏହି ବସ ପଂଚାୟତରୁ ବ୍ଲକ ମୁଖ୍ୟାଳୟକୁ ଯାତାୟାତ କରୁଥିଲା ।  ତେବେ ଏବେ ସେହି ବସ ବିଭିନ୍ନ ସହରକୁ ଚଳାଚଳ କରିବାର ନିଷ୍ପତ୍ତିକୁ ସଂଘ ବିରୋଧ କରିଛି । ଲକ୍ଷ୍ମୀ ବସ ସେବା ଆରମ୍ଭରୁ ଘରୋଇ ବସ ମାଲିକ ସଙ୍ଘ ବିରୋଧ କରି ଆସୁଥିବା ବେଳେ ଆପୋସ ଆଲୋଚନାରେ କିଛି ସମୟ ଚାଲିବା ପରେ ବହୁ ଦିନ ଧରି ବସ ଗୁଡିକ ପଡିରହିଛି ।

ଵର୍ତ୍ତମାନ ବସ ଚାଲିବା ନିଷ୍ପତ୍ତି ଠିକ କିନ୍ତୁ ବାହାର ରାଜ୍ୟକୁ ଦିଆନଯାଇ ଘରୋଇ ବସ ମାଲିକ ସଂଘ ସହ ଚୁକ୍ତିନାମା କରାଯାଉ ବୋଲି ଦାବି କରିଥିଲେ ଉଭୟ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶା ଘରୋଇ ବସ ମାଲିକ ସଂଘ ।  ଅନ୍ୟପଟେ ଏନେଇ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ସହ ଆଜି ସକାଳ ୯ଟାରେ ସଂଘ ପ୍ରତିନିଧିଙ୍କ ଆଲୋଚନା ହୋଇଥିଲା ।  ଆଲୋଚନା ପରେ ଆନ୍ଦୋଳନରୁ ଓହରିଛି ଘରୋଇ ବସ୍ ମାଲିକ ସଂଘ ।

Spread the love