ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଫେସର କିଶୋର ବସା ଓ ଇଞ୍ଜିନିୟର ଅଶୋକ ବସା
ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଫେସର କିଶୋର ବସା ଓ ଇଞ୍ଜିନିୟର ଅଶୋକ ବସା । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି ପ୍ରଫେସର କିଶୋର ବସା ଓ ଇଞ୍ଜିନିୟର ଅଶୋକ ବସା। ଭାରତ ସରକାରଙ୍କ ନ୍ୟାସନାଲ୍ ମନ୍ୟୁମେଣ୍ଟସ୍ ଅଥରିଟିର ଅଧ୍ୟକ୍ଷ ଅଛନ୍ତି ପ୍ରଫେସର କିଶୋର ବସା। ଇନଷ୍ଟିଟିଚ୍ୟୁଟ ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ)ର ପୂର୍ବତନ ଅଧ୍ୟକ୍ଷ ଇଞ୍ଜିନିୟର ଅଶୋକ ବସା ରାଷ୍ଟ୍ରପତି ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।
ସାକ୍ଷାତକାଳରେ ପ୍ରଫେସର କିଶୋର ବସା ଓଡିଶାର ସାଂସ୍କୃତିକ ଏବଂ ଆଦିବାସୀ ଉନ୍ନୟନ ସମ୍ପର୍କିତ ବିଭିନ୍ନ ସମସ୍ୟାଗୁଡ଼ିକୁ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଏକ ନ୍ୟାସନାଲ୍ ଇନ୍ ଷ୍ଟିଟ୍ୟୁଟ୍ ଅଫ୍ ଟ୍ରାଇବାଲ୍ ଡିଭେଲପମେଣ୍ଟ (ଏନ.ଆଇ.ଟି.ଡି.) ସ୍ଥାପନା ପାଇଁ ସେ ଅନୁରୋଧ କରିଥିଲେ।
ରାଇରଙ୍ଗପୁରର ଭୌଗୋଳିକ ଅବସ୍ଥିତି ଏବଂ ଏହା ଓଡିଶା ତଥା ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଆଦିବାସୀ ଜନବହୁଳ ଅଞ୍ଚଳ ହୋଇଥିବା ଯୋଗୁଁ ରାଇରଙ୍ଗପୁର ହିଁ ଏହି ପ୍ରତିଷ୍ଠାନ ପାଇଁ ସବୁଠାରୁ ପ୍ରଯୁଜ୍ୟ ସ୍ଥାନ ହେବ ବୋଲି ପ୍ରଫେସର ବସା ଜଣାଇବା ସହ ଏହି ପ୍ରତିଷ୍ଠାନଟିକୁ ହାଇଦ୍ରାବାଦର ନ୍ୟାସନାଲ୍ ଇନ୍ ଷ୍ଟିଟ୍ୟୁଟ୍ ଅଫ୍ ରୁରାଲ୍ ଡିଭେଲପମେଣ୍ଟ ମଡେଲରେ ଗଢାଯିବା ନିମନ୍ତେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲେ।
ସେହିପରି ଇଞ୍ଜିନିୟର ଅଶୋକ ବସା ବିଶ୍ୱବ୍ୟାପୀ ଜଳ ସଂକଟ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରିଥିଲେ । ଜଳର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାକୁ ଏସ.ଡ଼ି.ଜି. ଲକ୍ଷ୍ୟ ୬, ୧୧, ୧୩ ଓ ୧୪ ରେ ସ୍ଥାନ ଦେବା ସହିତ ମିଳିତ ଜାତିସଂଘ ‘ୱାଟର୍ ଆକ୍ସନ୍ ଡେକେଡ଼ ୨୦୧୮-୨୦୨୮’ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଜଳ ସଂକଟ, ଜଳ ବ୍ୟବହାର ପ୍ରବନ୍ଧନ ଓ ସମନ୍ୱିତ ଜଳ ସମ୍ପଦ ପ୍ରବନ୍ଧନ ନିମନ୍ତେ ଜନ ସଚେତନତା ସୃଷ୍ଟି ପାଇଁ ଏହି ପଦକ୍ଷେପ ଗ୍ରହଣ ହୋଇଥିବା ସେ ଉଲ୍ଲେଖ କରିଥିଲେ। ପ୍ରଫେସର କିଶୋର ବସା ଏବଂ ଇଂ. ଅଶୋକ ବସା ରାଷ୍ଟ୍ରର ବୃହତର ସ୍ୱାର୍ଥ ପାଇଁ ବ୍ୟକ୍ତିଗତ ଭାବରେ ସେମାନଙ୍କର ଚିନ୍ତାଧାରା ଉପସ୍ଥାପନ କରିବା ପାଇଁ ସୁଯୋଗ ଦେଇଥିବାରୁ ରାଷ୍ଟ୍ରପତିଙ୍କ ପ୍ରତି ଆନ୍ତରିକ କୃତଜ୍ଞତା ପ୍ରକାଶ କରିଥିଲେ।
