ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନ ପ୍ରଦାନ
ଭୁବନେଶ୍ୱର, ୧୩/୧୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କୁ ପର୍ଯ୍ୟଟନ ଓ ଆତିଥ୍ୟ ଶିକ୍ଷା କ୍ଷେତ୍ରରେ ଜୀବନ ବ୍ୟାପୀ ଅବଦାନ ନିମନ୍ତେ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି । ଅକ୍ଟୋବର ୧୦ ଓ ୧୧ ଦୁଇ ଦିନ ଧରି ଆଯୋଧ୍ୟା ଠାରେ ଆୟୋଜିତ “ତୃତୀୟ ଟୁରିଜିମ୍ ଷ୍ଟୁଡେଂଟ୍ସ” କନ୍କ୍ଲେଭ୍ରେ ପ୍ରଫେସର ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଡିଟିଓଆରଆର୍ ଏବଂ ଡକ୍ଟର ରାମ ମନୋହର ଲୋହିଆ ଅୱଧ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଏହି କନ୍କ୍ଲେଭ ଆୟୋଜନ କରାଯାଇଥିଲା ।
ସୋଆରେ ଯୋଗ ଦେବା ପୂର୍ବରୁ ପ୍ରଫେସର ମିଶ୍ର କେନ୍ଦ୍ର ସରକାରଙ୍କର ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧିନସ୍ଥ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ୍ ମ୍ୟାନେଜମେଂଟ (ଆଇଆଇଟିଟିଏମ୍)ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ । ପ୍ରଫେସର ମିଶ୍ର ଅଲ୍ ଇଣ୍ଡିଆ ବୋର୍ଡ ଅଫ୍ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟର ଅଧ୍ୟକ୍ଷ ଓ ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ)ର ଏଗ୍ଜିକ୍ୟୁଟିଭ୍ କମିଟିର ସଦସ୍ୟ ଭାବେ ଲଗାତର ଦୁଇ ଥର କାର୍ଯ୍ୟ ତୁଲାଇଛନ୍ତି । ସେ ନ୍ୟାସ୍ନାଲ୍ ବୋର୍ଡ ଅଫ୍ ଆକ୍ରେଡିଟେସନ୍ (ଏନ୍ବିଏ)ର ଆକ୍ରେଡିଟେସନ୍ ଇଭାଲୁଏସନ୍ କମିଟିର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ।
ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ପ୍ରଫେସର ମିଶ୍ରଙ୍କୁ ଏହି ସମ୍ମାନ ପାଇଥିବା ନେଇ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଫେସର ମିଶ୍ର ଦେଶ ଏବଂ ବିଦେଶରେ ଅନେକ ସମ୍ମାନ ଓ ପୁରସ୍କାର ଗ୍ରହଣ କରିଛନ୍ତି । ଗତ ଅଗଷ୍ଟ ମାସରେ ନୂଆଦିଲ୍ଲୀ ଠାରେ ଇଣ୍ଡିଆନ୍ ଇନ୍ଟରନ୍ୟାସ୍ନାଲ୍ ଫ୍ରେଣ୍ଡସିପ୍ ସୋସାଇଟି ପକ୍ଷରୁ ତାଙ୍କୁ “ରାଷ୍ଟ୍ରୀୟ ଗୌରବ ସମ୍ମାନ” ପ୍ରଦାନ କରାଯାଇଥିଲା ।