ଦିନ ୧୧ଟାରେ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରମୋଦ ସାଓ୍ୱନ୍ତ

ନୂଆଦିଲ୍ଲୀ ୨୮/୦୩: ସୋମବାର ଦ୍ବିତୀୟ ଥର ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରମୋଦ ସାୱନ୍ତ। ଶ୍ୟାମା ପ୍ରସାଦ ମୁଖାର୍ଜି ଷ୍ଟାଡିୟମରେ ପୂର୍ବାହ୍ନ ୧୧ଟାରେ ଶପଥ ନେବେ ପ୍ରମୋଦ ସାୱନ୍ତ। କାର୍ଯ୍ୟକ୍ରମରେ ୧୦ ହଜାରରୁ ଅଧିକ ଲୋକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ଛଡା କ୍ୟାବିନେଟର ଆଉ ୧୧ ଜଣ ମନ୍ତ୍ରୀ ହୋଇପାରନ୍ତି। ଶପଥଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରକ୍ଷାମନ୍ତ୍ରୀ ରାଜନାଥ ସିଂ,ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ପ୍ରଥମ ଥର ପାଇଁ ଶପଥଗ୍ରହଣ କାର୍ଯ୍ୟକ୍ରମରେ ଧର୍ମଗୁରୁ ବି ଉପସ୍ଥିତ ରହିବେ। ପ୍ରମୋଦ ସାୱନ୍ତଙ୍କ ନେତୃତ୍ବରେ ବିଜେପି ଗୋଆରେ ବାଜିମାତ କରିଛି।

ବିଧାନସଭା ନିର୍ବାଚନରେ ଗୋଆରେ ବିଜେପି ୨୦ଟି ଆସନ ହାତେଇଛି। ମ୍ୟାଜିକ ଫିଗର ୨୧ଠାରୁ ମାତ୍ର ଗୋଟିଏ ଆସନ ପଛରେ ରହିଛି ବିଜେପି। ତେବେ ସରକାର ଗଠନ ପାଇଁ ବିଜେପିକୁ ୩ ସ୍ବାଧୀନ ପ୍ରାର୍ଥୀ ଏବଂ ମହାରାଷ୍ଟ୍ର ଗୋମନ୍ତକ ପାର୍ଟି ର ଦୁଇ ଜଣ ବିଧାୟକ ସମର୍ଥନ ଜଣାଇଛନ୍ତି। ରାଜଭବନ ବାହାରେ ମୁଖ୍ୟମନ୍ତ୍ରୀ ଶପଥ ନେବାରେ ଏହା ହେବ ଦ୍ବିତୀୟ ଘଟଣା। ପୂର୍ବରୁ ୨୦୧୨ରେ ମନୋହର ପାରିକର ରାଜ୍ୟ ରାଜଧାନୀ ପଣାଜିର କ୍ୟାମ୍ପଲ ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପାରିକରଙ୍କ ଅକାଳ ବିୟୋଗ ପରେ ମାର୍ଚ୍ଚ ୨୦୧୯ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ପ୍ରମୋଦ ସାୱନ୍ତ।

Spread the love