କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପତ୍ତି ୨ କୋଟି ୨୪ ଲକ୍ଷ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରଦାନ କରାଯାଇଥିବା ୭ ଜଣ କେନ୍ଦ୍ର ମନ୍ତ୍ରୀଙ୍କର ସମ୍ପତ୍ତି ତାଲିକା ସାର୍ବଜନୀନ ହୋଇଛି। ଏଥିରେ କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଂପତ୍ତି ତାଲିକା ରହିଛି। ମାର୍ଚ୍ଚ ୩୧,୨୦୨୩ ସୁଦ୍ଧା ଶ୍ରୀ ପ୍ରଧାନଙ୍କ ନିକଟରେ ୨ କୋଟି ୨୪ ଲକ୍ଷ ୩୮ ହଜାର ୬୬୭ ଟଙ୍କାର ସଂପତ୍ତି ଅଛି। ଏଥିରୁ ୪୩ ଲକ୍ଷ ୯୫ ହଜାର ୩୩୪ ଟଙ୍କାର ଲାୟବିଲିଟିକୁ ବାଦ ଦେଲେ ତାଙ୍କ ମୋଟ ସଂପତ୍ତି ମୂଲ୍ୟ ୧ କୋଟି ୮୦ ଲକ୍ଷ ୪୩ ହଜାର ୩୩୩ ଟଙ୍କା ।

ସ୍ଥାବର ସଂପତ୍ତିରେ ଶ୍ରୀ ପ୍ରଧାନ ତାଙ୍କ ଗାଜିଆବାଦରେ ଥିବା ଘରର ମୁଲ୍ୟ ୮୬ ଲକ୍ଷ ୮୮ ହଜାର ୬୬୭ ଟଙ୍କା, ଅନୁଗୁଳ ଜିଲ୍ଲା ସତ୍ୟବନ୍ଧ ମୌଜାରେ ୩୨ ଲକ୍ଷ ୫୦ ହଜାର ଟଙ୍କାର ଘରବାଡି ରହିଛି। ଏଥିସହିତ ବ୍ୟାଙ୍କରେ ୨୬ ଲକ୍ଷ ୫୮ ହଜାର ଟଙ୍କା ଜମା,୧୫ ଲକ୍ଷ ୪୨ ହଜାର ଟଙ୍କାର ପିପିଏଫ୍‌, ୫୦ ଲକ୍ଷ ୫୦ ହଜାର ଟଙ୍କାର ମ୍ୟୁଚୁଆଲ ଫଣ୍ଡ୍‌, ୭୪ ହଜାର ଟଙ୍କାର ମୋଟର ଯାନ,୯ ଲକ୍ଷ ୫୦ ହଜାରର ଅଳଙ୍କାର ଓ ଆସବାବ ଏବଂ ୨ ଲକ୍ଷ ୨୬ ହଜାର ଟଙ୍କାର ଅନ୍ୟାନ୍ୟ ସମ୍ପତ୍ତି ସହ କ୍ୟାସ ବାଲାନ୍ସ ରହିଛି। ଉଲ୍ଲେଖଯୋଗ୍ୟ,ମାର୍ଚ୍ଚ ୩୧,୨୦୨୨ ସୁଦ୍ଧା ଶ୍ରୀ ପ୍ରଧାନଙ୍କ ନିକଟରେ ୨ କୋଟି ୨୮ ଲକ୍ଷ ୫୧ ହଜାର ୯୬୫ ଟଙ୍କାର ସମ୍ପତ୍ତି ଥିଲା। ସେଥିରୁ ୪୫ ଲକ୍ଷ ଟଙ୍କାର ଲାୟବିଲିଟିକୁ ବାଦ ଦେଇ ତାଙ୍କ ସମ୍ପତ୍ତିର ମୁଲ୍ୟ ୧ କୋଟି ୮୩ ଲକ୍ଷ ଟଙ୍କା ରହିଥିଲା। ୨୦୨୨ ତୁଳନାରେ ୨୦୨୩ରେ ଶ୍ରୀ ପ୍ରଧାନଙ୍କ ୪ ଲକ୍ଷ ୧୩ ହଜାର ଟଙ୍କାର ସଂପତ୍ତି ହ୍ରାସ ପାଇଛି ।

ଶ୍ରୀ ପ୍ରଧାନଙ୍କ ଦ୍ବାରା ଦାଖଲ କରାଯାଇଥିବା ସମ୍ପତ୍ତି ତାଲିକାରେ ତାଙ୍କ ସହଧର୍ମିଣୀ ମୃଦୁଳା ପ୍ରଧାନଙ୍କ ନାଁରେ ୩ କୋଟି ୧୩ ଲକ୍ଷ ୩୫ ହଜାର ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ରହିଛି।‌ ତେବେ ୧୨ ଲକ୍ଷ ୨୭ ହଜାର ଟଙ୍କାର ଲାୟବିଲିଟିକୁ ବାଦ ଦେଲେ ତାଙ୍କର ସମୁଦାୟ ସଂପତ୍ତିର ମୂଲ୍ୟ ୩ କୋଟି ୧ ଲକ୍ଷ ୬ ହଜାର ଟଙ୍କା ରହିଛି। ତାଙ୍କ ଝିଅ ନୈମିଷାଙ୍କ ପାଖରେ ୨୨ ଲକ୍ଷ ୫୪ ହଜାରର ଜୀବନ ବୀମା ଓ ବ୍ୟାଙ୍କ ଡିପୋଜିଟ ଥିବାବେଳେ ପୁଅ ନିଶାନ୍ତଙ୍କ ପାଖରେ ଜୀବନ ବୀମା ଓ ବ୍ୟାଙ୍କ ଡିପୋଜିଟ ବାବଦରେ ମୋଟ ୨ ଲକ୍ଷ ୩୧ ହଜାର ଟଙ୍କା ରହିଥିବା ଶ୍ରୀ ପ୍ରଧାନ ସତ୍ୟପାଠରେ ଦର୍ଶାଇଛନ୍ତି।

Spread the love