ଚାଷୀଙ୍କୁ ମୋହାରା ବନାଇ ନିର୍ବାଚନ ବୈତରଣୀ ପାର ହେବାର କଳ୍ପନା କରୁଛି ବିଜେଡି: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର,ତା.୧୯/୧୧: ଓଡିଶାରେ ଚାଷୀଙ୍କୁ ସର୍ବଦା ଅବହେଳିତ କରୁଛନ୍ତି ରାଜ୍ୟ ସରକାର । ମଣ୍ଡି ସମସ୍ୟା, ବିହନ ଓ ସାର ଅଭାବ, କଟନି ଛଟନି, ଅବ୍ୟବସ୍ଥିତ ଟୋକନ ବ୍ୟବସ୍ଥା, ବେପାରୀ-ମିଲର-ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକା ଭଳି ଚାଷୀମାରଣ ନୀତି କାରଣରୁ ଚାଷୀଙ୍କ ଭବିଷ୍ୟତ ଲୋପ ହେବାକୁ ବସିଲାଣି । ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡି ସରକାର ଚାଷୀଙ୍କ ଲାଗି କୌଣସି ବ୍ୟବସ୍ଥା ନକରି ସର୍ବଦା କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିବାରେ ବ୍ୟସ୍ତ । ନିର୍ବାଚନ ଆସିଲେ ବିଜୁ ଜନତା ଦଳର ଚାଷୀଙ୍କ କଥା ମନେ ପଡେ । ଶାସକ ବିଜେଡି ସର୍ବଦା ଚାଷୀଙ୍କୁ ମୋହାରା ବନାଇ ନିର୍ବାଚନ ବୈତରଣୀ ପାର ହେବାର କଳ୍ପନା କରିଥାଏ । ଏଥର ମଧ୍ୟ ଉପନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଜୁ ଜନତା ଦଳ ଚାଷୀଙ୍କୁ ନୂଆ ପ୍ରତାରଣାର ବାଣୀ ଶୁଣାଇବା ସହ ମିଥ୍ୟା ପ୍ରତିଶ୍ରୁତି ଦେଇ ସରଳ, ନିଷ୍ପାପ ହୃଦୟକୁ ଜିତି ନିର୍ବାଚନ ପାରହେବାର ହୀନ ଚକ୍ରାନ୍ତ କରୁଛି । ବିଜୁ ଜନତା ଦଳର ହୀନଚକ୍ରାନ୍ତକୁ ଭାରତୀୟ ଜନତା ପାର୍ଟି କେବେ ସଫଳ ହେବାକୁ ଦେବ ନାହିଁ ବୋଲି ରାଜ୍ୟ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଭାରତୀୟ ଜନତା ପାର୍ଟି ସର୍ବଦା ଚାଷୀଙ୍କ ସହିତ, ଚାଷୀଙ୍କ ପାଇଁ ଓ ଚାଷୀଙ୍କ ସ୍ୱର ହୋଇ କାର୍ଯ୍ୟ କରିଥାଏ । ରାଜ୍ୟ ସରକାରଙ୍କ ଅସହଯୋଗ ପାଇଁ ଓଡିଶାର ଚାଷୀ ସବୁଠୁ ଗରିବ । ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ରରେ ମୋଦି ସରକାର ସଂକଳ୍ପବଦ୍ଧ କିନ୍ତୁ ବିଜୁ ଜନତା ଦଳ ଚାଷୀଙ୍କ ତଂଟିରେ କଂଟା ସାଜି ସମସ୍ତ ସୁବିଧାରୁ ବଂଚିତ କରୁଛନ୍ତି । କେନ୍ଦ୍ର ସରକାର ସର୍ବଭାରତୀୟ ସ୍ତରରେ ଚାଷୀର ଆୟ ୧୦ ହଜାର ଟଙ୍କା କରିଥିବା ବେଳେ ଓଡିଶାରେ ତାହା ମାତ୍ର ୫ ହଜାରରେ ସୀମିତ । ଯାହା ଓଡ଼ିଶାର ଚାଷୀଙ୍କ ଦୁର୍ଭାଗ୍ୟ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଓଡ଼ିଶାର ଚାଷୀ ସବୁଠୁ ଅବହେଳିତ ବର୍ଗ । ଓଡିଶାର ୭୦% ଅଧିକ ଜନସାଧାରଣ ଚାଷ ସହ ସଂପୃକ୍ତ ଓ ନିଜେ ଚାଷୀ ଅଟନ୍ତି । କିନ୍ତୁ ଅପାରଗ ରାଜ୍ୟ ସରକାର ଚାଷୀଙ୍କୁ ଅଣଦେଖା କରିବା ସହ ସମ୍ପୂର୍ଣ୍ଣ ଚାଷମାରଣ ନୀତି ଅବଲମ୍ବନ କରୁଛନ୍ତି ।
ଦୀର୍ଘ ୨୨ବର୍ଷ ଧରି ନବୀନ ବାବୁ ଚାଷୀଙ୍କୁ ଅବହେଳା କରୁଛନ୍ତି । ଧାନର ସହାୟକ ମୂଲ୍ୟ କେନ୍ଦ୍ର ସରକାର ୨୦୪୦ଟଙ୍କା କରିଥିଲେ ବି ଚାଷୀ ଆଜି ତାରିଖରେ ଦଲାଲଙ୍କୁ ୧୨୫୦ରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ଫଳରେ ଚାଷୀ ମୁଣ୍ଡରେ ଚଡକ ପଡିଛି କହିଲେ ଅତୁକ୍ତି ହେବ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଓଡ଼ିଶା ପ୍ରଦେଶର ଚାଷରୀ ହାଆ ହୁତାସରେ ଜୀବନ କାଟୁଛି । ୧୦ବର୍ଷ ଭିତରେ ୩୦ ରୁ ୩୫% ଧାନ ଚାଷ ହେଉଥିବା ଜମି ଏବେ ପଡିଆ ପଡିଛି ବିଭିନ୍ନ ଅଂଚଳରେ । ଚାଷୀଙ୍କ ପ୍ରତି ରାଜ୍ୟ ସରକାର ଅବହେଳା ଓ ଅନ୍ୟାୟ କରିଛନ୍ତି । ଆଜିର ଏହି ସତ୍ୟାଗ୍ରହରେ ପୁରୀ ଜିଲ୍ଲାର ନିମାପଡା ଓ କାକଟପୁର ଦୁଇ ବିଧାନସଭା ମଣ୍ଡଳୀର ଜନସାଧାରଣ ସାମିଲ ହୋଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଭାରତୀୟ ଜନତା ପାର୍ଟି ନିର୍ଣ୍ଣାୟକ ଲଢ଼େଇ ଲଢ଼ୁଛି ଓ ସର୍ବଦା ଚାଷୀଙ୍କ ସାଙ୍ଗରେ ଭାରତୀୟ ଜନତା ପାର୍ଟି ରହିଛି ଓ ଆଗକୁ ରହିବ । ଚାଷୀଙ୍କ ଲାଗି ଭାରତୀୟ ଜନତା ପାର୍ଟି ବିଧାନସଭା ସମ୍ମୁଖରେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସତ୍ୟାଗ୍ରହ କରିବ । ଯଦି ସତ୍ୟାଗ୍ରହ ପରେ କୁମ୍ଭକର୍ଣ୍ଣରେ ଶୋଇଥିବା ରାଜ୍ୟ ସରକାରଙ୍କ ନିଦ ନଭାଙ୍ଗେ ତାହାଲେ ଆଗାମୀ ଦିନରେ ବିଜେପି ଜିଲ୍ଲା ଓ ସବଡିଭିଜନସ୍ତରରେ ବ୍ୟାପକ ସତ୍ୟାଗ୍ରହ କରିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପୂର୍ବତନ ବିଧାୟକ ବାୟୀଧର ମଲ୍ଲିକ, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ସୁଦୀପ୍ତ ରାୟ, ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ସଭାପତି ବାବୁ ସିଂ, ଆଶ୍ରିତ ପଟ୍ଟନାୟକ, ଜଗନ୍ନାଥ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସୁଦର୍ଶନ ନାୟକ, ପ୍ରଭଞ୍ଜନ ମହାପାତ୍ର, ପ୍ରଦୀପ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ ।

Spread the love