୫-ଟି ସଚିବଙ୍କ ଗସ୍ତକୁ ବିଜେପିର ବିରୋଧ, ରଣପୁରରେ ୨ ଦିନ ବନ୍ଦ ରହିଲା ଅଣ୍ଡା ଦୋକାନ

ରଣପୁର: ପୁଲିସକୁ ଘାରିଛି ଅଣ୍ଡା ଭୟ | ୫-ଟି ସଚିବଙ୍କୁ କାଳେ ବିଜେପି ଓ କଂଗ୍ରେସ କର୍ମୀ ବିରୋଧ କରିବେ ତାହାକୁ ନଜରରେ ରଖି ୨ ଦିନ ପାଇଁ ଅଣ୍ଡା ଦୋକାନ ବନ୍ଦ ରଖିଲା ପୁଲିସ | କେବଳ ଅଣ୍ଡା ଦୋକାନ ନୁହେଁ ରଣପୁର ଅଞ୍ଚଳରେ ସମସ୍ତ ଦୋକାନ ବଜାରକୁ ପୁଲିସ ପ୍ରଶାସନ ତରଫରୁ ବନ୍ଦ ରଖାଯାଇଛି | ମିଳିଥିବା ସୂଚନା ମୁତାବକ ରଣପୁରର ବିଭିନ୍ନ ସମସ୍ୟାକୁ ନେଇ ଆଜି ୫-ଟି ସଚିବ ଭିକେ ପାଣ୍ଡିଆନ ରଣପୁର ଗସ୍ତରେ ଆସିଥିଲେ | ସେ ଜେଲ ଛକରେ ପହଞ୍ଚି ସେଠାରୁ ବାହାରି ରଣପୁରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିବାକୁ ଯାଉଥିବାବେଳେ ଶାମୁକା ସାହି ନିକଟରେ ବିଜେପିର ଦଳୀୟ କର୍ମୀମାନେ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି | ବିଜେପି କର୍ମୀମାନେ ତାମିଲ ଶାସନ ଚଳିବ ନାହିଁ, ଫେରିଯାଅ ନାରାବାଜି ଦେଇ ଘୋର ବିରୋଧ କରିଥିଲେ ।

ଅନ୍ୟପଟେ ୫-ଟି ସଚିବଙ୍କ ଗସ୍ତକୁ ନେଇ ଗତକାଲିଠାରୁ ରଣପୁର ଅଞ୍ଚଳରେ ସମସ୍ତ ଅଣ୍ଡାଦୋକାନ ବନ୍ଦ ରହିଥିବାବେଳେ ଆଜି ସମସ୍ତ ଦୋକାନ ବଜାରକୁ ପୁଲିସ୍ ପ୍ରଶାସନ ତରଫରୁ ବନ୍ଦ ରଖାଯାଇଛି। ଉଲ୍ଲେଖ ଥାଉ କି କିଛିଦିନ ତଳେ ୫-ଟି ସଚିବ ଭିକେ ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗସ୍ତ ଅବସରରେ ଯାଇଥିବାବେଳେ ବିରୋଧର ସମ୍ମୁଖୀନ ହୋଇଥିଲେ । ପାଣ୍ଡିଆନଙ୍କ କାର ଉପରକୁ ୩ ଜଣ କଂଗ୍ରେସ କର୍ମୀ ଅଣ୍ଡାମାଡ଼ କରିଥିଲେ। ଗୋଟିଏ ଅଣ୍ଡା ସେ ବସିଥିବା କାରର ବାମପାର୍ଶ୍ବର ପଛକୁ ବାଜିଥିଲା। ବୌଦ୍ଧ ପରି ସୁବର୍ଣ୍ଣପୁରରେ ମଧ୍ୟ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତକୁ ଜୋରଦାର ବିରୋଧ କରି ଆମ ଆଦମୀ ପାର୍ଟି ପକ୍ଷରୁ କାରକେଡକୁ ଅଣ୍ଡାମାଡ଼ କରାଯାଇଥିଲା ।

Spread the love