ନବୀନ ବାବୁ ସବୁ ଜାଣିଶୁଣି ଅପରାଧୀ ନେତାଙ୍କୁ ଖସାଇବା ପାଇଁ ଯୋଜନା କରୁଛନ୍ତି : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର, ତା.୨୪/୦୩: ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଜାଣିଶୁଣି ଅପରାଧୀ ନେତାଙ୍କୁ ଖସାଇବା ପାଇଁ ଯୋଜନା କରୁଛନ୍ତି ବୋଲି ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଟ୍ୱିଟର ପ୍ରତିଜବାବରେ କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।
ଶ୍ରୀ ହରିଚନ୍ଦନ ଟ୍ୱିଟ କରିଛନ୍ତି ଯେ, ପ୍ରଣବ ପ୍ରକାଶ ଦାସ ଆମ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଇ ଦିଲ୍ଲୀରେ ଥାଇ ଓଡ଼ିଶା ବାବଦରେ ସମ୍ପୂର୍ଣ୍ଣ ଅବଗତ ଥାଆନ୍ତି ଏବଂ ସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଜାତି ମତ ରଖିଥାନ୍ତି । ତୁମର ନେତା ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ରହି ସବୁ ଜାଣି ବି ମୁହଁ ନଖୋଲି ଦଳୀୟ ଲୋକଙ୍କୁ ସୁହାଇଲା ଭଳି ଅପରାଧୀ ନେତାଙ୍କୁ ଖସାଇବା ପାଇଁ ଯୋଜନା କରନ୍ତି ।
ତୁମ ସରକାର କଳାକୁ ଧଳା କରିବାରେ ଧୂରନ୍ଦର । ଖୋର୍ଦ୍ଧା ଜିଲ୍ଲା ବାଣପୁର ଘଟଣା ପରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ପୋଲିସ ହେପାଜତରେ ଥିଲା । ତେବେ କିଭଳି ନମ୍ବର ପ୍ଲେଟ ବଦଳିଲା, ତାହା ତୁମ ପୋଲିସ ପ୍ରଶାସନର ପାରିବାପଣିଆକୁ ଦର୍ଶାଉଛି ଏବଂ ଏହି ମାମଲା ସର୍ବସାଧାରଣରେ ପ୍ରଶ୍ନବାଚୀ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ମଣ୍ଡଳି ହିଞ୍ଜିଳି ସହରରେ ଚାରି ଜଣଙ୍କ ହତ୍ୟା ହେଲା । ଏପର୍ଯ୍ୟନ୍ତ ପୋଲିସର ତଦନ୍ତ କେଉଁଠି ଅଛି, କେଉଁ ଅବସ୍ଥାରେ ଅଛି, କେବେ ତଦନ୍ତ ଶେଷ ହେବ, ତାହା ପ୍ରଶ୍ନବାଚୀ । ଏଥିରୁ ସାରା ଓଡ଼ିଶାର ଆଇନଶୃଙ୍ଖଳା କ’ଣ ହେବ, ଏଥିରୁ ଅନୁମେୟ ।
ଓଡ଼ିଶାର ଲୋକ ହିଂସାକୁ ପ୍ରଶୟ ଦିଅନ୍ତି ନାହିଁ । ତୁମ ଦଳର ନେତା ଓ ବିଧାୟକମାନଙ୍କ ଦ୍ୱାରା ପ୍ରାୟୋଜିତ ହିଂସାର ପରିଣାମ ଓଡ଼ିଶା ଆଜି ଭୋଗୁଛି, ଯାହା ତୁମେ ଭଲ ଭାବରେ ଜାଣିଛ । ପଶ୍ଚିମବଙ୍ଗରେ ସରକାର ହିଂସାକୁ ଯେଉଁଭଳି ଭାବରେ ପ୍ରଶୟ ଦେଉଛି, ଓଡ଼ିଶାରେ ମଧ୍ୟ ସମାନ ଅବସ୍ଥା ଦେଖାଯାଉଛି । ତୁମେ ତୁମର ମୁଖିଆଙ୍କୁ ଭଲରେ ବୁଝାଇ ଓଡ଼ିଶାର ଜନସାଧାରଣ ଶାନ୍ତିରେ କେମିତି ରହିପାରିବେ ଓ ନ୍ୟାୟ ପାଇବେ, ତା’ ପାଇଁ ଚେଷ୍ଟା କଲେ ଭଲ ହୁଅନ୍ତା ବୋଲି ବିଜେପି ସାଧାରଣ ସମ୍ପାଦକ ଶ୍ରୀଚନ୍ଦନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ।

Spread the love