ବରଗଡ ଜିଲ୍ଲାକୁ କେତେ ଟଙ୍କା ଇନ୍‌ପୁଟ୍ ସବସିଡି ଦିଆଯିବ, ମୁଖ୍ୟମନ୍ତ୍ରୀ ସବିଶେଷ ତଥ୍ୟ ରଖନ୍ତୁ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର, ତା.୧୬/୧୧: ବରଗଡ ଜିଲ୍ଲାରେ ମରୁଡି ହୋଇଥିବା ନେଇ ଥିବା ଚିଠି ଉପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ ଓ ବରଗଡ଼ ଜିଲ୍ଲା ପାଇଁ ଇନପୁଟ୍ ସବସିଡି କେତେ ଦିଆଯିବ, ସେହି ସବିଶେଷ ତଥ୍ୟର ଉତର ମୁଖ୍ୟମନ୍ତ୍ରୀ ରଖନ୍ତୁ ବୋଲି ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦାବି କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଅକ୍ଟୋବର ୧୧, ୨୦୨୧ରେ ଏସଆରସି ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ମରୁଡି ସ୍ଥିତି ନେଇ ଚିଠି ଲେଖିବା ସହ ସବିଶେଷ ରିପୋର୍ଟ ଦେବା ପାଇଁ ଚିଠିରେ ଉଲ୍ଲେଖ କରିଥିଲେ । ବରଗଡ଼ ଜିଲ୍ଲାରେ ମରୁଡି ହୋଇଥିବା ନେଇ ସେ ଚିଠି କୁଆଡେ ଗଲା ? ଏହି ଚିଠି ଅଛି ନା ନାହିଁ ମୁଖ୍ୟମନ୍ତ୍ରୀ ତା’ର ଜବାବ ରଖନ୍ତୁ । ଯେତେବେଳେ ବିଧାନସଭାରେ ମରୁଡି ପ୍ରସଙ୍ଗ ଉଠିଲା ସେତେବେଳେ କୌଣସି ଜିଲ୍ଲାରେ ମରୁଡି ନ ଥିବା କଥା ସରକାରଙ୍କ ପକ୍ଷରୁ କୁହାଗଲା । ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ କେବଳ ମିଛ କହୁଛନ୍ତି । ବିଶେଷ ଭାବରେ ପଦ୍ମପୁରବାସୀ ଓ ବରଗଡବାସୀଙ୍କୁ ଭଣ୍ଡାଉଛନ୍ତି । ଭୋଟ ବ୍ୟାଙ୍କ୍ ପାଇଁ ଚାଷୀ ମାନଙ୍କୁ ସହାୟତା ଦେବାର ମିଛ ପ୍ରହେଳିକା ସୃଷ୍ଟି କରୁଛନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ଭୋଟ୍ ପାଇଁ ନିଜ ସ୍ୱାର୍ଥକୁ ଦେଖି ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରି ଆସିଛନ୍ତି । କୌଣସି କାମ ଠିକରେ ଦର୍ଶାଇ ନାହାନ୍ତି । ଯଦି ଦର୍ଶାଇଛନ୍ତି ତେବେ ରାଜ୍ୟବାସୀଙ୍କୁ କୁହନ୍ତୁ ବରଗଡ ଜିଲ୍ଲା ଓ ପଦ୍ମପୁରର ଚାଷୀଙ୍କୁ ଇନପୁଟ ସବସିଡିରେ କେତେ ଟଙ୍କା ଦେବେ ? ମୁଖ୍ୟମନ୍ତ୍ରୀ ଏହାର ସ୍ପଷ୍ଟୀକରଣ ରଖନ୍ତୁ ।
୧୧ ଡିସେମ୍ବର ୨୦୧୭ରେ ସେତେବେଳର ବିଜେପି ବିଧାୟକ ପ୍ରଦୀପ ପୁରୋହିତ ବିଧାନସଭାରେ ତତ୍‌କାଳୀନ ରାଜସ୍ୱ ମନ୍ତ୍ରୀଙ୍କୁ ଦାଶ କମିଶନର ସୁପାରିଶ ଅନୁଯାୟୀ ପଦ୍ମପୁର ସବଡିଭିଜନକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ କରିବା ନେଇ ପ୍ରଶ୍ନ କରିଥିଲେ । ଯାହାର ଉତରରେ ତତ୍‌କାଳୀନ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଥିଲେ ଯେ, ପଦ୍ମପୁର ସବଡିଭିଜନକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ନାହିଁ । ୨୫ ଡିସେମ୍ବର ୨୦୧୮ରେ ଶ୍ରୀ ପୁରୋହିତ ପୁଣି ଥରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ଏ ଦିଗରେ ଚିଠିର ଉତର ଦେଇନଥିଲେ କିମ୍ବା କୌଣସି ପଦକ୍ଷେପ ନେଇନଥିଲେ । ଯାହା ପଦ୍ମପୁରବାସୀଙ୍କୁ ଆଘାତ ଦେଇଥିଲା । ୨୦୧୯ରେ ବି ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ କହିଥିଲେ । ଏହା ସତ୍ୱେ ଏଥିରେ କୌଣସି ଅଗ୍ରଗତି ହୋଇନାହିଁ ।
ଆଶ୍ଚର୍ଯ୍ୟଜନକ ଭାବରେ ପଦ୍ମପୁର ଉପନିର୍ବାଚନକୁ ଆଖି ଆଗରେ ରଖି ନଭେମ୍ବର ୧୨ ତାରିଖ ଅର୍ଥାତ୍ ଶନିବାର ରାତିରେ ବିଜେଡି ପକ୍ଷରୁ ଏକ ମିଛ ପ୍ରେସ୍ ରିଲିଜ୍ ଜରାଯାଇଥିଲା । ଯେଉଁଥିରେ ପଦ୍ମପୁର ଜିଲ୍ଲା ଗଠନ ଦାବି ପ୍ରତି ପୂର୍ଣ୍ଣ ସମର୍ଥନ ରହିଥିବା ବିଜେଡି ଦର୍ଶାଇଥିଲା । ଯାହାକୁ ତାଙ୍କ ଦଳର ବିଧାୟକ ହିଁ ଖଣ୍ଡନ କରିଥିଲେ । ଏଥିରୁ ରାଜ୍ୟ ସରକାର ପଦ୍ମପୁର ପାଇଁ କଣ ଚିନ୍ତା କରୁଛନ୍ତି, ସବୁ ମିଛ ଧରା ପଡିଛି । ମିଛ କହି ଲୋକଙ୍କୁ ଭ୍ରମିତ କରିବା ବିଜେଡିର ଦୈନନ୍ଦିନ ଅଭ୍ୟାସ ହୋଇଛି ।
ଶ୍ରୀ ହରିଚନ୍ଦନ କହିଛନ୍ତି, ଆଜି ବୁଦ୍ଧୀଜୀବୀମାନେ ଦଳ ମତ ନିର୍ବିଶେଷରେ ଏହାକୁ ନେଇ ଏକାଠୀ ହେବା ପରେ ବିଜେଡି ସଭାପତି କହୁଛନ୍ତି ନିର୍ବାଚନୀ ଇସ୍ତାହାରରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବେ । ପୂର୍ବରୁ ନିର୍ବାଚନୀ ଇସ୍ତାହାରରେ ମଧ୍ୟ ବିଜେଡି ସଭାପତି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଳିଆ ଯୋଜନାରେ ୧୦ ହଜାର ଟଙ୍କା ଦେବାର ଘୋଷଣା କରିଥିଲେ । କିନ୍ତୁ ଏବେ ୪ ହଜାର ଟଙ୍କା ଦେଉଛନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ ସୋହେଲାରେ ଚାଷୀଙ୍କୁ ଧାନ କ୍ୱିଂଟାଲ ପିଛା ୧୦୦ ଟଙ୍କାର ବୋନସ ଦେବା ପାଇଁ କହି ମଧ୍ୟ ଠକିଲେ । ପିଠା ଯୋଜନା କରି ଲୋକଙ୍କୁ ଭୂଆଁ ବୁଲାଇଲେ । ବିଜେପୁରରେ ମୁଖ୍ୟମନ୍ତ୍ରୀ ଗଙ୍ଗାଧର ମେହେର ଉଠା ଜଳସେଚନ ଯୋଜନା କରିବା ପାଇଁ କହିଥିଲେ । ମାତ୍ର ଏହି ଯୋଜନାରେ ଏ ପର୍ଯ୍ୟନ୍ତ ବୁନ୍ଦେ ପାଣି ବିଜେପୁରରେ ପହଁଚିଲା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓ ପ୍ରତିଶ୍ରୁତି ପାଣିର ଗାର ସଦୃଶ ହୋଇଛି । ମୁଖ୍ୟମନ୍ତ୍ରୀ ଚାଷୀ ଓ ଓଡ଼ିଶାବାସୀଙ୍କୁ ବାରମ୍ବାର ପ୍ରତାରଣା କରି ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ଗରିବ, ଆଦିବାସୀ, ଦଳିତ, ନିଷ୍ପେସିତଙ୍କ ବିରୋଧୀ ନାୟକ ସାଜିଛନ୍ତି । ଭ୍ରଷ୍ଟାଚାରକୁ ଆୟୁଧ କରିଛନ୍ତି । କଳାଟଙ୍କା ଓ ଶାସନ କଳକୁ ଆୟୁଧ କରିଛନ୍ତି ।
ଆମ ଦଳର ପ୍ରଦୀପ ପୁରୋହିତ ହେଉଛନ୍ତି ଲଢୁଆ ନେତା । ସବୁବେଳେ ଚାଷୀ ଓ ପଦ୍ମପୁରବାସୀଙ୍କ ପାଇଁ ଲଢି ଆସିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଓ ପୁରୋହିତଙ୍କ ପ୍ରତି ବିଶ୍ୱସନୀୟତା ବୃଦ୍ଧି ପାଇଥିବାରୁ ଏହି ଭୟରେ ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରୁଛନ୍ତି । ଓଡ଼ିଶାବାସୀଙ୍କୁ କେତେ ମିଛ କହିବେ । କେତେ ଭୂଆଁ ବୁଲେଇବେ ? ଣାଜ୍ୟ ସରକାର ଲୋକଙ୍କୁ ଭ୍ରମିତ କରିବା ବନ୍ଦ କରନ୍ତୁ । ମୁଖ୍ୟମନ୍ତ୍ରୀ ତାଙ୍କର ୨୨ବର୍ଷ ଶାସନ କାଳରେ କେବଳ ଅସତ୍ୟ, ପ୍ରହେଳିକାକୁ ଆଶ୍ରା କରିଛନ୍ତି । ଏଭଳି ମିଥ୍ୟା ପ୍ରତିଶ୍ରୁତି ଓ ଭ୍ରମାତ୍ମକ ରାସ୍ତାରେ ସରକାର ଚାଲିପାରିବ ନାହିଁ କି ରାଜ୍ୟର ବିକାଶ ସାଧିତ ହେବ ନାହିଁ । କମ୍ ସେ କମ୍ ଥରେ ଏପ୍ରକାର ପ୍ରହେଳିକା ଓ ଅସତ୍ୟର ଗଣ୍ଡିଭିତରୁ ବାହାରି ବାସ୍ତବ ସତ୍ୟକୁ ସାମ୍ନା କରନ୍ତୁ ମୁଖ୍ୟମନ୍ତ୍ରୀ ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଓ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସାରଦା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love