୧୮ରୁ ବିଧାନସଭା ସମ୍ମୁଖରେ ବିଜେପିର ସତ୍ୟାଗ୍ରହ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର, ତା.୧୭/୧୧: ପ୍ରାକୃତିକ ଦୁର୍ବିପାକ ହେଲେ ଚାଷୀକୁ ହତାସ କରୁଛନ୍ତି ରାଜ୍ୟ ସରକାର । ଓଡିଶାର ସଂଖ୍ୟା କିମ୍ବା ବୃତିଗତ ଦୃଷ୍ଟିରୁ ବଡ ବର୍ଗ ହେଉଛନ୍ତି ଅନ୍ନଦାତା ଚାଷୀ । କିନ୍ତୁ ବଡ ଦୁଃଖର ବିଷୟ ଓଡିଶାରେ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି କାରଣରୁ ଚାଷୀ ଓ ଚାଷ ସବୁବେଳେ ଅବହେଳିତ ହୋଇଆସିଛି । ରାଜ୍ୟ ସରକାର ଚାଷୀମାନଙ୍କୁ ଦୀର୍ଘଦିନରୁ ଅବହେଳା କରିଆସୁଥିବାରୁ ଚାଷୀମାନେ ବିଭିନ୍ନ ଜିଲ୍ଲାରେ ବିଦ୍ରୋହ କରିଥିଲେ ଓ ଏହାକୁ ଭାରତୀୟ ଜନତା ପାର୍ଟି ସର୍ବଦା ସମର୍ଥନ କରିଛି । ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ଭାରତୀୟ ଜନତା ପାର୍ଟି କଠୋର ପଦକ୍ଷେପ ନେବା ସହ ଆସନ୍ତାକାଲି(ନଭେମ୍ବା ୧୮)ଠାରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳପାଇଁ ସତ୍ୟାଗ୍ରହ କରିବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଓଡିଶା ଏକମାତ୍ର ରାଜ୍ୟ ଯେଉଁଠି ଚାଷୀଙ୍କୁ ପ୍ରୋତ୍ସହନ ମିଳେ ନାହିଁ । ଓଡିଶାର ଚାଷୀଙ୍କୁ ରାଜ୍ୟ ସରକାର ଭଗବାନଙ୍କ ଭରସାରେ ଛାଡିଦେଇଥାନ୍ତି । ଓଡିଶାରେ ଚାଷୀଙ୍କୁ ସାର୍ଟିଫାଇଡ୍ ବିହନ କିମ୍ବା ଉଚ୍ଚ ଉତ୍ପାଦନ କ୍ଷମତା ସଂପନ୍ନ ବିହନ ଦିଆନଯାଇ ନିମ୍ନମାନର ଓ ନକଲି ବିହନ ଯୋଗାଇ ଦେଇଥାନ୍ତି ରାଜ୍ୟ ସରକାର । ଓଡିଶା ସରକାରରେ ସିଡ୍ ସାର୍ଟିଫିକେଟ ଏଜେନି୍ସ ଓ ସିଡ୍ କର୍ପୋରେସନ ଅଛି କିନ୍ତୁ ତାହା ନଥିଲା ଭଳି । ରାଜ୍ୟ ସରକାରଙ୍କ କୃଷି ବିଭାଗ କଥା ନକହିବା ଭଲ । ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ପଞ୍ଜାବର ଚାଷୀ ଓଡ଼ିଶାର ଚାଷୀଙ୍କଠାରୁ ଦେଢ଼ରୁ ଦୁଇଗୁଣ ଅଧିକ ଉତ୍ପାଦନ କରିଥାଏ । ଏଯାଏଁ ଓଡିଶାରେ ଶୀତଳ ଭଣ୍ଡାର ନାହିଁ ଏନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ କାହିଁକି ନେଉନାହାନ୍ତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କ ଅପାରଗତା ତଥା ଧ୍ୟାନ ଦେଉନଥିବା କାରଣରୁ ବିଭିନ୍ନ ସ୍ଥାନରେ ଖରାପ ଓ ଡୁପଲିକେଟ୍ ବିହନ ବିକ୍ରି ହେଉଛି ଫଳରେ ଚାଷୀ ସେହି ବିହନରେ ଚାଷ କରି କ୍ଷତି ସହୁଛି । ନିର୍ବାଚନ ଆସିଲେ ରାଜ୍ୟ ସରକାର ଆଳୁ ମିଶନ୍‌, ପିଆଜ ମିଶନ୍ ଭଳି ଅନେକ ମିଶନ ଓ ଅଧିକ ଉତ୍ପାଦନ କରିବା କଥା କହି ଡିଣ୍ଡିମ ପିଟନ୍ତି । ବାସ୍ତବରେ ଆଳୁ ଓ ପିଆଜ ଏହି ଦୁଇ ମିଶନ ସରକାରଙ୍କ ଅବହେଳା ଯୋଗୁଁ ଫେଲ୍ ମାରିବା ସହ କୃଷିର ଉନ୍ନତି ଘଟି ନଥିବା ଶ୍ରୀ ହରିଚନ୍ଦନ କହିଛନ୍ତି ।
୨୦୧୮ମସିହାରୁ ଚାଷୀଙ୍କୁ ଇନପୁଟ୍ ସବ୍‌ସିଡି ଓ ଆସେସମେଂଟ୍ ମଧ୍ୟ ଠିକ୍ ଭାବେ ମିଳୁନଥିଲେ ବି ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି କି ସାଟେଲାଇଟ୍ ଇମେଜିଙ୍ଗ୍ ଓ ଜିଓ ସ୍ପାଟିଆଲ ଆନାଲିସିସ୍ କରି ସଠିକ୍ କ୍ଷୟ କ୍ଷତିର ଆକଳନ କରୁନାହାଁନ୍ତି । ଫଳରେ ଚାଷୀମାନେ ଅପାରଗ ରାଜ୍ୟ ସରକାରଙ୍କ ହୀନ ଚକ୍ରାନ୍ତର ଶିକାର ହେଉଛନ୍ତି । ଇନପୁଟ୍ ସବ୍‌ସିଡି ମାତ୍ର ୬୮୦୦ଟଙ୍କା / ରିଲିଫ୍ କୋର୍ଡରେ ବ୍ୟାପକ ସଂଶୋଧନ ପାଇଁ ଚାଷୀ ସମାଜର ଦୀର୍ଘ ଦିନର ଦାବିକୁ ସରକାର ଅଣଦେଖା କରୁଛନ୍ତି । ଚାଷୀ ପଞ୍ଜିକରଣକୁ ନେଇ ସମବାୟ ବିଭାଗ ଓ ଖାଦ୍ୟ ଯୋଗାଣ ବିଭାଗ କରୁଥିବା ଚଂଚକତା ଓ ଭ୍ରଷ୍ଟାଚାର ତୁରନ୍ତ ବନ୍ଦ ହେଉ । ମୁଖ୍ୟମନ୍ତ୍ରୀ ୨୦୧୬ରେ ସୋହେଲା ଠାରେ ଘୋଷଣା କରିଥିବା କ୍ୱିଂଟାଲ ପିଛା ୧୦୦ଟଙ୍କାର ବୋନସକୁ ଚଳିତ ଖରିଫ କ୍ରୟ ସମୟରେ ନିଶ୍ଚୟ ଦେବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ । ରବି ଋତୁରେ ହୋଇଥିବା ଡାଲି ଜାତୀୟ ଫସଲ ଏବଂ ଅନ୍ୟ ଖାଦ୍ୟ ଶସ୍ୟରେ କେନ୍ଦ୍ର ସରକାର ବର୍ଦ୍ଧିତ ସହାୟକ ମୂଲ୍ୟ ଦେଉଛନ୍ତି । ଓଡିଶାରେ ନା ସେଥିପାଇଁ ପ୍ରୋତ୍ସାହନ ଦିଆଯାଉଛି, ନା ତାର କ୍ରୟ ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ସମବାୟ ଋଣ ଚାଷୀକୁ ମିଳୁନାହିଁ । କାଗଜ ପତ୍ରରେ ନୂଆ ପୁରୁଣା କରି ସମବାୟ ବିଭାଗ ଚଂଚକତା କରୁଛି ସେଥିପ୍ରତି ସରକାରଙ୍କ ନିଘା ନାହିଁ । ଚାଷୀ ବାଧ୍ୟ ହୋଇ ମହାଜନ ବା ଗାଁରେ ଫଣ୍ଡ୍ କରିଥିବା ମହିଳା ଗୋଷ୍ଠୀମାନଙ୍କ ଠାରୁ ଉଚ୍ଚ ଦରରେ ଋଣ ନେଉଛି ଏବଂ କ୍ଷତି ହେଲେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
କେନ୍ଦ୍ର ସରକାର ଗତବର୍ଷ ୭୭ଲକ୍ଷ ଟନ୍ ଧାନ କିଣିଥିଲେ ବି ରାଜ୍ୟ ସରକାରଙ୍କର ଭୁଲ୍ ନୀତି ଓ ଧାନରିସାଇକ୍ଲିଂ କାରଣରୁ ଚାଷୀର ଧାନ ବିକ୍ରି ହୋଇପାରିନାହିଁ । ଜଳସେଚିତ ଓ ଅଣ ଜଳସେଚିତ ଏକର ପିଛା କ୍ରୟ ଲିମିଟ୍‌ରେ ବୃଦ୍ଧି କରାଯାଉ, କାରଣ ବିକ୍ରୀ ଯଥେଷ୍ଟ ଅଧିକ ହୋଇଛି ଏବଂ କମ୍ ଦରରେ ଅଧା ଉତ୍ପାଦନ କରିବା ପାଇଁ ଚାଷୀ ବାଧ୍ୟ ହେଉଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଧାନର ସହାୟକ ମୂଲ୍ୟ କେନ୍ଦ୍ର ସରକାର ୨୦୪୦ଟଙ୍କା କରିଥିଲେ ବି ଚାଷୀ ଆଜି ତାରିଖରେ ଦଲାଲଙ୍କୁ ୧୨୫୦ରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ଗତ ୨ବର୍ଷ ଧରି ସେଂଟ୍ରାଲ୍ ଟୋକନ୍ ନାଁରେ ମିଲର ମାନଙ୍କ ହାତରେ ବ୍ୟବସ୍ଥାକୁ ଟେକି ଦେଇଛନ୍ତି ରାଜ୍ୟ ସରକାର । ମିଲର ମର୍ଜିରେ ଧାନ ଉଠୁଚି ଓ ବ୍ୟାପକ କଟ୍‌ନୀ ଛଟ୍‌ନୀ ହେଉଛି । ମନଇଛା ବିଳମ୍ବରେ ମଣ୍ଡି ଖୋଲିବା କାରଣରୁ ଉତ୍ପାଦିନ ଧାନକୁ ଚାଷୀ ବାଧ୍ୟ୍ୟ ହୋଇ ଦଲାଲଙ୍କୁ କମ୍ ପ୍ରାପ୍ୟରେ ବିକ୍ରି କରୁଛି ।
ରାଜ୍ୟରେ ବ୍ୟାପକ ସାର କଳାବଜାରୀ ହେଉଛି ଏବଂ ରାଜ୍ୟ ସରକାରଙ୍କ ଆଖି ଆଗରେ କୃତ୍ରିମ ଅଭାବ ସୃଷ୍ଟି କରାଯାଉଛି । ଚାଷୀ ଆବଶ୍ୟକ ବେଳେ ସାର ମୁଠେ ପାଉନାହିଁ । ନକଲି କୀଟନାଶକ ରାଜ୍ୟ ସାରା ବ୍ୟାପକ ଭାବେ ମିଳୁଛି ଏବଂ ଏହାକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାରଙ୍କ ଇଚ୍ଛା ଶକ୍ତି ନାହିଁ । ରାଜ୍ୟରେ ବୀମାକୁ ନେଇ ମିଛ ରାଜନୀତି କରୁଛି ବିଜେଡି ସରକାର । ପୂର୍ବରୁ ଚାଷୀଙ୍କୁ ଫସଲବୀମାର ସହଜ ଉପଲବ୍ଧ ନିମନ୍ତେ କେନ୍ଦ୍ର କୃଷି ବୈଷୟିକ କମିଟି ବାରମ୍ବାର ରାଜ୍ୟ ସରକାରଙ୍କୁ ଅବଗତ କରିଥିବା ସତ୍ୱେ ରାଜ୍ୟ ସରକାର ସେଥିପ୍ରତି କର୍ଣ୍ଣପାତ କରିନାହାନ୍ତି । ଅପରପକ୍ଷରେ ଚାଷୀ ବୀମା କ୍ଷତିପୂରଣ ନପାଇବାରୁ ରାଜ୍ୟ ସରକାର ରାଜନୀତି କରି କେନ୍ଦ୍ର ଉପରେ ମିଛ ଦୋଷ ଲଦିବାକୁ ଅପଚେଷ୍ଟା କରୁଛନ୍ତି । ରାଜ୍ୟରେ ଏସମସ୍ୟାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଦିଲ୍ଲୀଠାରେ କେନ୍ଦ୍ରକୃଷିମନ୍ତ୍ରୀଙ୍କ ସହ ସବିଶେଷ ଆଲୋଚନା କରିଥିଲେ । ପରେ ପରେ ତ୍ୱରିତ ପଦକ୍ଷେପ ନେବା ସହ ପ୍ରଧାନମନ୍ତ୍ରୀ ଫସଲବୀମା ରାଶି ଚାଷୀଙ୍କ ପାଖରେ ପଂହଚାଇବାରେ ବିଳମ୍ବ ପାଇଁ ରାଜ୍ୟ ସରକାର ଦାୟୀ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସ୍ପଷ୍ଟ ଭାବେ ଉଲ୍ଲେଖ କରି ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ।
ରାଜ୍ୟ ସରକାର ୨୦୧୮ରେ ଘୋଷଣା କରିଥିବା କାଳିଆର ବାର୍ଷିକ ଦଶ ହଜାର ଟଙ୍କା ଚାଷୀକୁ ଦିଆଯାଉ । ପିଏମ୍ କିଷାନ୍‌ର ସଠିକ୍ ତାଲିକା ଆଜିଯାଏଁ ହୋଇପାରିଲାନାହିଁ କାହିଁକି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାପତି ତଥା ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଭୃଗୁ ବକି୍ସପାତ୍ର, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି ଓ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love