ଓଡ଼ିଶାରେ ଗଭର୍ଣ୍ଣସ ମଡେଲ ଦେଖିଲେ ସାରା ଦେଶରେ ଲୋକ ହସୁଛନ୍ତି : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର, ତା.୧୧/୦୬: ସଚିବଙ୍କ ଚାଟୁକାର କରୁଥିବା ବିଜେଡି ନେତାମାନଙ୍କର ଚିରାଚରିତ ଅଭ୍ୟାସ ଅଛି, ତୃତୀୟ ମହଲାରୁ ଗୋଟିଏ ଲେଖା ଆସିବ ଏବଂ ମୁଖପାତ୍ରମାନେ ପଢ଼ିବେ । ସେହି ଅଭ୍ୟାସ କାରଣରୁ ତାଙ୍କ କଥାର କିଛି ତାଳ ମେଳ ରହୁନାହିଁ । ମିଛ କଥା କହିବାର ଯୁଗ ଶେଷ ହୋଇଗଲାଣି । ଏ କଥା ବୋଧେ ବିଜେଡ଼ିନେତା ମାନେ ଭୁଲି ଯାଇଛନ୍ତି । ଓଡ଼ିଶାରେ ଗଭର୍ଣ୍ଣସ ମଡେଲ ଦେଖିଲେ ସାରା ଦେଶରେ ଲୋକ ହସୁଛନ୍ତି । ମନ୍ତ୍ରୀ ମାନେ ଜଳକା ହୋଇ ବସୁଛନ୍ତି ଏବଂ ସଚିବ ମାନେ ବିଭାଗର ସମୀକ୍ଷା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଘରୁ ବାହାରୁ ନାହାଁନ୍ତି, ତାଙ୍କର ବ୍ୟକ୍ତିଗତ ସଚିବ ରାଜ୍ୟ ସାରା ବୁଲି ଘୋଷଣା ଓ ସଭା ସମିତି କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସଚିବ କୌଣସି ଜାଗାକୁ ଗଲେ ମନ୍ତ୍ରୀ ଓ ବିଧାୟକ ମାନେ ଯାଇ ଷ୍ଟେଜ ବନ୍ଧୁଛନ୍ତି । କେହି ନପଚାରିଲା ଭଳି ଠିଆ ହେଉଛନ୍ତି । ଏଭଳି କଦର୍ଯ୍ୟ ଗଭର୍ଣସ ମଡେଲ ବୋଧେ ଭାରତର କୌଣସି ରାଜ୍ୟରେ ନାହିଁ । ତେଣୁ ଅନ୍ୟକୁ ଆରୋପ କରିବା ପୂର୍ବରୁ 23 ବର୍ଷ ଭିତରେ ବିଜେଡ଼ି ଓଡିଶା ପାଇଁ କଣ କରିଛି ତାହାର ହିସାବ ଦେବା ଦରକାର । ମୁଖ୍ୟମନ୍ତ୍ରୀ କେବଳ ପ୍ରତିଶୃତି ଦିଅନ୍ତି, ଆଉ ଭୁଲି ଯାଆନ୍ତି । ଯାହା ପ୍ରତିଶୃତି ଦେଇଥିଲେ ବିଜେଡ଼ି ସରକାର କେତେ ପୂରଣ କରିଛନ୍ତି ତାର ଉତ୍ତର ରଖନ୍ତୁ ବୋଲି କହିଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କହିଥିଲେ ଓଡ଼ିଶାରୁ ପୂର୍ବଦ୍ୟୋୟର ଯୁଗ ଆରମ୍ଭ ହେବ ଏବଂ ସେ କଥାକୁ କାମରେ କରି ଦେଖାଉଛନ୍ତି । ଓଡ଼ିଶାର ବିକାଶ କ୍ଷେତ୍ରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବିଶେଷ ଭୂମିକା ଅଛି । ଏହା ବିକାଶର ମାନଚିତ୍ର ଦେଖିଲେ ଜଣାପଡୁଛି । ଓଡ଼ିଶାର ଲୋକ ବି ଜାଣିଛନ୍ତି । ତେଣୁ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପିକୁ ବିଜେଡ଼ି ପାଖରୁ ସାର୍ଟିଫିକେଟ ଦରକାର ନାହିଁ ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଧର୍ମେନ୍ଦ୍ର ପ୍ରଧାନ ବିଭାଗୀୟ ମନ୍ତ୍ରୀ ଥିବା ବେଳେ ପେଟ୍ରୋଲିୟମ ସେକ୍ଟରରେ 2 ଲକ୍ଷ 3 ହଜାର କୋଟି ଟଙ୍କାର ନିବେଶ ଓଡ଼ିଶାରେ ହୋଇଛି । ଏକଥାକୁ ରାଜ୍ୟ ସରକାର ଅସ୍ବୀକାର କରି ପାରିବେ କି ? ପଶ୍ଚିମ ଓଡ଼ିଶାର ବରଗଡ଼ରେ 1600 କୋଟି ଟଙ୍କାର ଇଥାନଲ ପ୍ଲାଣ୍ଟ ନିର୍ମାଣ କାମ ଶେଷ ସ୍ଥିତିରେ ପହଂଚିଛି । ବଲାଙ୍ଗୀର ଓ ରାୟଗଡାରେ ଗ୍ୟାସ ବଟଲିଙ୍ଗ ପ୍ଲାଣ୍ଟ ହୋଇଛି । ବଲାଙ୍ଗୀରରେ ଆଜି ଉଦଘାଟିତ ଇନଡୋର ଷ୍ଟାଡ଼ିଅମ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶୃତି ପୂରଣର ଉଦାହରଣ ।
ଦୁର୍ଭାଗ୍ୟର କଥା ଯେ କେନ୍ଦ୍ର ସରକାର ଦେଇଥିବା 9 ଲକ୍ଷ 59 ହାଜର ପକ୍କା ଘର ବଣ୍ଟନ ପାଇଁ ବର୍ଷେରୁ ଅଧିକ ସମୟ ହେଲାଣି ରାଜ୍ୟ ସରକାର ତାଲିକା ପ୍ରସ୍ତୁତ କରି ପାରୁନାହାନ୍ତି । ଏହା ରାଜ୍ୟ ସରକାରଙ୍କ ଅଯୋଗ୍ୟ ପଣିଆ । 2014 ମସିହା ପୂର୍ବରୁ ଓଡ଼ିଶାରେ 20 ଲକ୍ଷ ଗ୍ୟାସ ବ୍ୟବହାରକାରୀ ଥିଲେ । କେବଳ ଉଜ୍ଵଳା ଯୋଜନାରେ 55 ଲକ୍ଷ ପରିବାରଙ୍କୁ ମାଗଣା ଗ୍ୟାସ ମିଳିଛି । ଯାହା ଫଳରେ ଏବେ ଓଡ଼ିଶାରେ ଗ୍ୟାସ ସଂଯୋଗ ସଂଖ୍ୟା ୯୦ ଲକ୍ଷ ପହଂଚିଲାଣି । ଜଙ୍ଗଲରୁ ଜାଳେଣି ସଂଗ୍ରହ ବନ୍ଦ ହୋଇଯାଇଛି । ଏକଥା ବିଜେଡ଼ି ନେତା ମାନଙ୍କୁ ଦେଖା ଯାଉନି । କାରଣ ସେମାନେ ଠିକାଦାର କାମ କରି ମିଛ ବିଲ କରିବା କାମରେ ଲାଗିଛନ୍ତି । ଗରିବ ଲୋକ ଘରେ ଚୁଲି ଜଳୁଛି କି ନାହିଁ ସେ କଥା ଦେଖିବା ପାଇଁ ବିଜେଡ଼ି ନେତାଙ୍କ ପାଖରେ ସମୟ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଓଡ଼ିଶାରେ ଯେତେ ଥର ବିପର୍ଯ୍ୟୟ ହୋଇଛି, ପ୍ରତିଥର କେନ୍ଦ୍ର ସରକାର ହାତ ଖୋଲି ସହାୟତା ଦେଇଛନ୍ତି । ଏ କଥା ବିଜେଡ଼ି ଅସ୍ବୀକାର କରିପାରିବ କି ? ପ୍ରଧାନମନ୍ତ୍ରୀ ଗରିବ ଲୋକଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ମାଗଣା ଚାଉଳ ଯୋଗାଇ ଦେଉଛନ୍ତି । ବିଜେଡି ପାଖରେ ଆଉ ଚାଉଳ କଥା କହିବା ପାଇଁ ମୁହଁ ନାହିଁ । ଏହା ମୋଦି ଚାଉଳ ବୋଲି ଲୋକ ଜାଣି ଗଲେଣି । କେନ୍ଦ୍ର ସରକାର କୋଭିଡ ଟୀକା ଦେଇ ଲୋକଙ୍କ ଜୀବନ ବଞ୍ଚାଇବା କଥା ବିଜେଡ଼ି ଅସ୍ବୀକାର କରି ପାରିବ କି ? କେନ୍ଦ୍ର ସରକାରଙ୍କ ସହାୟତା ନଆସିଲେ ରାଜ୍ୟ ବଜେଟ ଅଚଳ ଅବସ୍ଥାରେ ପହଞ୍ଚିବ । କେନ୍ଦ୍ର ସରକାର ପ୍ରତି ପରିବାରକୁ ଟ୍ୟାପ ଯୋଗେ ପିଇବା ପାଣି ଯୋଗାଇ ଦେବା ପାଇଁ ଅର୍ଥ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନାରେ ପ୍ରତି ଗାଁକୁ ବିଦ୍ୟୁତ ସଂଯୋଗ ପହଞ୍ଚିଛି । ବିଜୁ ଜନତା ଦଳ ସରକାର ଗରିବ ଲୋକଙ୍କ ପାଇଁ କଣ କରିଛି ଟିକେ କୁହନ୍ତୁ ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ କଂଗ୍ରେସ ସରକାରର ୯ ବର୍ଷରେ ୪୧୬୦ କୋଟି ଟଙ୍କା ବ୍ୟୟରେ ମାତ୍ର ୧୪୯୮ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହୋଇଥିଲା । ଗତ ୯ ବର୍ଷରେ ଓଡ଼ିଶାରେ ୨୮,୨୫୧ କୋଟି ଟଙ୍କା ବ୍ୟୟରେ ୪୧୪୩ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହୋଇଛି । ପୂର୍ବ ସରକାର ତୁଳନାରେ ୭ ଗୁଣ ଅଧିକ ଅର୍ଥ ଓଡ଼ିଶାରେ ଜାତୀୟ ରାଜପଥ ପାଇଁ ଦିଆଯାଇଛି ଏବଂ ୪ ଗୁଣ ଅଧିକ ରାସ୍ତା ତିଆରି ହେଇଛି। ମୋଦି ସରକାରଙ୍କ ଯୋଗୁଁ ଟାଙ୍ଗୀରୁ ଦୀଘା ପର୍ଯ୍ୟନ୍ତ ୮ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୩୮୨ କିଲୋମିଟର ଦୀର୍ଘ ଓଡ଼ିଶା ଉପକୂଳ ରାଜପଥ ପର୍ଯଟନ ଓ ବିପର୍ଯ୍ୟୟ ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ସହ ଉପକୂଳ ଅଞ୍ଚଳର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ବରଦାନ ସାବ୍ୟସ୍ତ ହେବ। ଚଣ୍ଡିଖୋଲ ଦେଇ ୩୦୦ କିଲୋମିଟର ଦୀର୍ଘ ପାରାଦୀପ-ବଡ଼ବିଲ ଅର୍ଥନୈତିକ କରିଡର ଓଡ଼ିଶାର ଖଣିଜ ଓ ଶିଳ୍ପାଞ୍ଚଳକୁ ବନ୍ଦର ଓ ରେଳଧାରଣା ସହ ସଂଯୋଗ କରିବ। ୫୭୪୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା କ୍ୟାପିଟାଲ ରିଙ୍ଗରୋଡ଼ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଆଠଗଡ଼, ଟାଙ୍ଗୀ, ଚୌଦ୍ୱାର ଓ ବାଙ୍କୀ ଭଳି ସହରକୁ ପରସ୍ପର ସହ ସଂଯୋଗ କରିବ, ଯାହା ଏହି ଅଞ୍ଚଳର ଟ୍ରାଫିକକୁ ବହୁମାତ୍ରାରେ ଦୂର କରିବ। ସେହିପରି ରାୟପୁରରୁ ବିଶାଖାପାଟଣା ପର୍ଯ୍ୟନ୍ତ ଅର୍ଥନୈତିକ କରିଡର ମୁଖ୍ୟତଃ ଓଡ଼ିଶାର ମାଓ ପୀଡ଼ିତ ନବରଙ୍ଗପୁର ଓ କୋରାପୁଟ ଦେଇଯିବ, ଯାହା ଏହି ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ବରଦାନ ସାବ୍ୟସ୍ତ ହେବ। ଜାତୀୟ ରାଜପଥ ନିର୍ମାଣ ପାଇଁ ହେଉଥିବା ବିଳମ୍ବର ମୁଖ୍ୟ କାରଣ ହେଉଛି ଜମି ଅଧିଗ୍ରହଣ ଓ ଜଙ୍ଗଲ କ୍ଲିୟରେନ୍ସ, ଯାହା ପାଇଁ ରାଜ୍ୟ ସରକାର ମଧ୍ୟ ପ୍ରତ୍ୟକ୍ଷ ରୂପେ ଦାୟୀ । ରାଜ୍ୟ ସରକାରଙ୍କ ନେତା ମନ୍ତ୍ରୀ ବ୍ୟକ୍ତିଗତ ସ୍ଵାର୍ଥ ପାଇଁ ବହୁ ଜାଗାରେ ପ୍ରକଳ୍ପକୁ ବିଳମ୍ବିତ କରାଉଛନ୍ତି, ଆନ୍ଦୋଳନ ଠୁ ଆରମ୍ଭ କରି ଠିକାଦାରଙ୍କୁ ହଇରାଣ ହରକତ କରିବାର ନଜିର ଅଛି। ଗୋଟିଏ ଗୋଟିଏ ପ୍ରକଳ୍ପ ରେ ୩-୪ ଥର ପ୍ରୋଜେକ୍ଟ ବଦଳିଯାଉଛି, କାହା ସ୍ଵାର୍ଥରେ ବଦଳୁଛି, ବିଜୁ ଜନତା ଦଳ ନିଜକୁ ନିଜେ ପଚାରିବା ଆବଶ୍ୟକ।

Spread the love