ପୁଲୱାମା ଆତଙ୍କୀ ଆକ୍ରମଣକୁ ୩ ବର୍ଷ: ଆଜି ବି ବୀର ପୁଅକୁ ହରାଇ ଗୁମୁରି କାନ୍ଦୁଛି ଦେଶ

ପ୍ରତେକ ଦିନ ଭଳି ନୂଆ ଆଶା, ସମ୍ଭାବନା ନେଇ ଫେବୃଆରୀ 14,2019 ଉଇଁ ସାରିଥିଲା ସକାଳର ସୂର୍ଯ୍ୟ । ହେଲେ ଅଚାନକ ଯେମିତି ସବୁ କିଛି ବଦଳି ଯିବା ସହ ଅଟକି ଗଲା ପବନର ବେଗ ଓ ନିସ୍ତବ୍ଦ ଗଲା ଦେଶ । ସ୍ତବ୍ଧ ହୋଇଗଲା ସମସ୍ତ ଭାରତୀୟଙ୍କ ସ୍ପନ୍ଦନ । ଦୋହଲିଗଲା ଦେଶ । ଯେତେବେଳେ ଖବର ବାଜି ଉଠିଲା ଜମ୍ମୁକାଶ୍ମୀର ପୁଲୱାମାରେ ଏକ ବଡ ଧରଣର ଆତଙ୍କୀ ଆକ୍ରମଣ ହୋଇଛି.

ସୂଚନାଥାଉ କି, ଦେଶମାତୃକାର ସେବା କରୁ କରୁ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ 40 ଜଣ ଭାରତୀୟ ଯବାନ । 2019 ମସିହା ଫେବୃଆରୀ 14 ତାରିଖରେ ଦେଶକୁ ଦୋହଲାଇ ଦେଇଥିଲା ଏହି ଆକ୍ରମଣ । ଆଜି ଏହି ଆକ୍ରମଣକୁ ୩ ବର୍ଷ ପୂରଣ ହୋଇଛି । ଆକ୍ରମଣ ସେ ଦୃଶ୍ୟ ଆଖି ପଲକୁ ଆସିବା କ୍ଷଣି ଆଜି ବି ଶିହରି ଉଠେ ଦେହ ଆଉ ଥରି ଉଠେ ଛାତି । ଶହୀଦ ଯବାନଙ୍କୁ ଆଜି ବି ମନେ ପକାଇ ଗୁମୁରି ଗୁମୁରି କାନ୍ଦୁଛି ଦେଶ । ଶହୀଦଙ୍କ ପାଇଁ ଲୁହ ଗଡାଉଛନ୍ତି ଦେଶବାସୀ ।

୨୦୧୯ ଫେବ୍ରୁଆରୀ ୧୪ ତାରିଖରେ ଦେଶ ପ୍ରେମ ଦିବସ ପାଳନ କରୁଥିବା ବେଳେ ଜମ୍ମୁ-କାଶ୍ମୀରରୁ ଆସିଥିଲା ଦେଶକୁ ମର୍ମାହତ କରିଦେବା ଭଳି ଏକ ଦୁଃଖଦ ଖବର । ଚାରିଆଡେ ପ୍ରେମର ବାର୍ତ୍ତା ଦିଆଯାଉଥିବା ବେଳେ ଘୃଣାର ମଞ୍ଜି ବୁଣିଥିଲେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈସ ଏ ମହମ୍ମଦର ଆତଙ୍କବାଦୀ । ଜାମ୍ମୁକାଶ୍ମୀର ପୁଲୱାମାର ଲେଥପୋରା ନିକଟରେ ଧାଡି ଧାଡ଼ି ହୋଇ ଯାଉଥିବା ସିଆରପିଏଫ୍‌ ଯବାନଙ୍କ ବସ୍‌ରେ କରିଥିଲେ ଭୟଙ୍କର ବିସ୍ଫୋରଣ ।

୩୦୦ କିଲୋଗ୍ରାମ ଆରଡିଏକ୍ସ ବୋଝେଇ କାର୍‌ ଯୋଗେ ଘଟାଇଥିଲେ ଏହି ବିସ୍ଫୋରଣ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୧୦ କିଲୋମିଟର ବ୍ୟାପୀ ଅଞ୍ଚଳ ଥରି ଉଠିଥିଲା । ଯବାନଙ୍କ ରକ୍ତରେ ଭିଜିଯାଇଥିଲା ରାଜପଥ । ଘଟଣାରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ ।

ପ୍ରେମ ଦିବସରେ ସ୍ବାମୀର ପ୍ରେମଭରା କଥା ପଦେ ଶୁଣିବାକୁ ଚାହିଁ ବସିଥିବା ସ୍ତ୍ରୀର ସଂସାର ଉଜୁଡି ଯାଇଥିଲା । କେତେ ମା’ କୋଳ ଖାଲି ହୋଇଯାଇଥିଲା । କିଏ ବାପାଙ୍କୁ ହରାଇଥିଲା ତ କିଏ ଭାଇକୁ । କେତେ ଭଉଣୀଙ୍କ ରାକ୍ଷୀ ଆଜି ବି ଭିଜୁଛି ଆଖି ଲୁହରେ । ଘଟଣାର କିଛି ଦିନ ପରେ ଭାରତ ମଧ୍ୟ ଏହାର ପ୍ରତିଶୋଧ ନେଇଥିଲା.

ପାକିସ୍ତାନର ବାଲାକୋଟ ସ୍ଥିତ ଜୈଶର ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ କରିଥିଲା ଭାରତ । ଏହି କାର୍ଯ୍ୟାନୁଷ୍ଠାନରେ ଜୈଶର ସମସ୍ତ ଆତଙ୍କବାଦୀ ଶିବିର ଧ୍ବଂସ ହୋଇଯାଇଥିବା ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ପୁଲୱାମା ଆକ୍ରମଣର ୩ ବର୍ଷ ଅବସରରେ ସିଆରପିଏଫ ଶହୀଦଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ । ସେମାନଙ୍କ ନିଷ୍ଠା, ସେବା ଓ ବଳିଦାନ ଆଗରେ ଦେଶ ସର୍ବଦା ନତମସ୍ତକ ହୋଇ ରହିବ । ସେମାନଙ୍କୁ ବଳିଦାନକୁ ଦେଶ କେବେ ବି ଭୁଲିବ ନାହିଁ ।

Spread the love